କୋଲକାତା ୨୦।୩: ନିର୍ବାଚନୀ ରାଜ୍ୟ ପଶ୍ଚିମବଙ୍ଗରେ ଶୁକ୍ରବାର ଶାସକ ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ତଥା ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ପାର୍ଟିର ଘୋଷଣାପତ୍ର (ମାନିଫିଷ୍ଟୋ) ’ ଦିଦିଙ୍କ ୧୦ ବଚନ’ ଜାରି କରିଛନ୍ତି। ଏଥି ପାଇଁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ମମତା କହିଛନ୍ତି ଯେ ରାଜ୍ୟରେ ଆମେ ‘ଦୁଆରେ ଚିକିତ୍ସା’ ଅର୍ଥାତ ଘରକୁ ଘର ବୁଲି ଚିକିତ୍ସା ସେବା ଯୋଜନା ଆରମ୍ଭ କରିବୁ।

ଏହି ଯୋଜନା ପ୍ରତ୍ୟେକ ବୁଥରେ କାର୍ଯ୍ୟକାରୀ ହେବ। ଏଥି ପାଇଁ ଚିକିତ୍ସା ଶିବିର ସବୁ ଆୟୋଜନ ହେବ। ସେହିପରି ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ସୁଧାର ପାଇଁ ୧ ହଜାର ସ୍କୁଲକୁ ଇ-ଲର୍ଣ୍ଣିଂ ସହିତ ଆଧୁନିକ କରାଯିବ। ଏହା ଛଡା ଆଗାମୀ ଦିନରେ ଆମେ ୭-୮ ନୂଆ ଜିଲ୍ଲା ବ୍ଲକ୍ ଏପରିକି ନୂଆ ନଗରପାଳିକା ମଧ୍ୟ ଗଠନ କରିବୁ। ସେ କହିଛନ୍ତି ଯେ ରାଜ୍ୟ ସରକାର ‘ଲକ୍ଷ୍ମୀ ଭଣ୍ଡାର ’ଯୋଜନାରେ ଆଉ ୫୦୦ ଟଙ୍କା ବୃଦ୍ଧି ସହ ମହିଳାଙ୍କୁ ମିଳୁଥିବା ମାସିକ ଆର୍ଥିକ ସହାୟତା ଜାରି ରହିବ। ଏହି ଯୋଜନାରେ ଏଣିକି ସାଧାରଣ ବର୍ଗର ମହିଳାଙ୍କୁ ମାସିକ ୧,୫୦୦ ଟଙ୍କା ହିସାବରେ ବାର୍ଷିକ ୧୮ ହଜାର ଟଙ୍କା ଓ ଏସସି/ଏସଟି ମହିଳାଙ୍କୁ ମାସିକ ୧୭୦୦ ଟଙ୍କା ହିସାବରେ ବାର୍ଷିକ ୨୦,୪୦୦ ଟଙ୍କା ମିଳିବ।

ସେହିପରି ମମତା ବାନାର୍ଜୀ ‘ବାଂଲାର ଯୁବା ସାଥୀ’ ଯୋଜନା ଜାରି ରଖିବେ ବୋଲି ଘୋଷଣା କରିଛନ୍ତି। ଏହି ଯୋଜନାରେ ରାଜ୍ୟର ବେକାର ଯୁବକଯୁବତୀଙ୍କୁ ମାସିକ ୧,୫୦୦ ଟଙ୍କା ହିସାବରେ ବାର୍ଷିକ ୧୮,୦୦୦ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ସେହିପରି ମୁଖ୍ୟମନ୍ତ୍ରୀ ରାଜ୍ୟ ଲାଗି ୩୦,୦୦୦ କୋଟି ଟଙ୍କାର କୃଷି ବଜେଟ ଆରମ୍ଭ କରିବା ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି। ଏହା ଦ୍ୱାରା ରାଜ୍ୟର ଚାଷୀ ଓ ସେମାନଙ୍କ ପରିବାରଙ୍କୁ ଲଗାତାର ସହାୟତା ମିଳିବା ସହ ଭୂମିହୀନ ଚାଷୀଙ୍କୁ ସାହାରା ମିଳିବ। ରାଜ୍ୟ କୃଷିର ମଧ୍ୟ ସାମଗ୍ରୀକ ବିକାଶ ହୋଇ ପାରିବ। ସେହିପରି ‘ଶିକ୍ଷାୟତନ’ ଯୋଜନା ରେ ସବୁ ସରକାରୀ ସ୍କୁଲମାନଙ୍କ ଭିତ୍ତିଭୂମିର ସମଗ୍ର ବିକାଶ କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି।

ଦିଦିଙ୍କ ୧୦ ବଚନ କ’ଣ?

  • ଲକ୍ଷ୍ମୀଭଣ୍ଡାର ଯୋଜନା ବୃଦ୍ଧି: ସାଧାରଣ ବର୍ଗର ମହିଳାଙ୍କୁ ମାସିକ ୧୫୦୦ ଓ ଏସସି/ଏସଟି ମହିଳାଙ୍କ ଲାଗି ୧୭୦୦ ଟଙ୍କା ଘୋଷଣା କରିଛନ୍ତି।
  • ଯୁବା ସାଥୀ ଯୋଜନା: ବେକାର ଯୁବକ ଯୁବତୀଙ୍କୁ ଚାକିରୀ ମିଳିବା ପର୍ଯ୍ୟନ୍ତ ମାସିକ ୧୫୦୦ ଟଙ୍କାର ସହାୟତା
  • ସମସ୍ତ ଲାଗି ଛାତଘର: ବେଙ୍ଗଲର ପ୍ରତି ପରିବାରଙ୍କ ଲାଗି ପକ୍କା ଘର ସୁନିଶ୍ଚିତ କରିବା
  • ଦୁଆରେ ଚିକିତ୍ସା: ସବୁ ବ୍ଲକ ଓ ସହରାଞ୍ଚଳରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରି ଲୋକଙ୍କୁ ସେମାନଙ୍କ ଘର ନିକଟରେ ଚିକିତ୍ସା ସେବା ଯୋଗାଇ ଦେବା।
  • କୃଷି ବଜେଟ ଓ ସହାୟତା: ଚାଷୀଙ୍କ ଲାଗି ୩୦,୦୦୦ କୋଟି ଟଙ୍କାର ଅଲଗା କୃଷି ବଜେଟ୍, ଭୂମିହୀନ ଚାଷୀଙ୍କୁ ଦିଆଯିବ ସ୍ୱତନ୍ତ୍ର ସହାୟତା।
  • ସ୍ୱଚ୍ଛ ପେୟଜଳ: ରାଜ୍ୟର ପ୍ରତ୍ୟେକ ଘରକୁ ପାଇପ ଜରିଆରେ ପିଇବା ପାଣି ଯୋଗାଣ ହେବ।
  • ଶିକ୍ଷା ଅପଗ୍ରେଡେସନ: ବେଙ୍ଗଲ ଶିକ୍ଷାୟତନ ଯୋଜନାରେ ସବୁ ସରକାରୀ ସ୍କୁଲର ବିଶ୍ୱସ୍ତରୀୟ ଭିତ୍ତିଭୂମି ନିର୍ମାଣ, ଆରମ୍ଭ ହେବ ଇ-ଲର୍ଣ୍ଣିଂ।
  • ବୟଷ୍କଙ୍କୁ ପେନସନ: ବର୍ତମାନର ହିତାଧିକାରୀଙ୍କୁ ଅବାଧ ପେନସନ ମିଳିବା ସହିତ ସବୁ ପାତ୍ର ବରିଷ୍ଠ ନାଗରିକଙ୍କ ନିମନ୍ତେ ପରିସର ସମ୍ପ୍ରସାରଣ କରାଯିବ।
  • ଆର୍ଥିକ କେନ୍ଦ୍ର ଓ ଭିତ୍ତିଭୂମି: ପଶ୍ଚିମବଙ୍ଗକୁ ପୂର୍ବ ଭାରତର ବାଣିଜ୍ୟିକ କେନ୍ଦ୍ର ଭାବେ ଗଢି ତୋଳାଯିବ। ଏଥିରେ ନୂଆ ବନ୍ଦର, ଲଜିଷ୍ଟିକ୍ସ ଓ ଗ୍ଲୋବାଲ ଟ୍ରେଡ ସେଣ୍ଟର ନିର୍ମାଣ କରାଯିବ।
  • ପ୍ରଶାସନିକ ପୁନର୍ଗଠନ: ପ୍ରଶାସନିକ କାର୍ଯ୍ୟକୁ ଶରଳ କରିବାକୁ ୭ ନୂଆ ଜିଲ୍ଲୀ ନୂଆ ସହରାଞ୍ଚଳ ନଗର ପାଳିକା ଗଠନ ହେବ।