ନୂଆଦିଲ୍ଲୀ :ଭାରତରେ ବିରୋଧୀ ରାଜନୈତିକ ଦଳଙ୍କ ସମୂହ ଇଣ୍ଡିମେଣ୍ଟ ବୈଠକ ୩୦ ସେପ୍ଟେମ୍ବର ବୁଧବାର ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି। ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟାରେ ଗଡ଼ବଡ଼ ଅଭିଯୋଗକୁ ନେଇ ମିଳିତ ଆନ୍ଦୋଳନ ଯୋଜନାକୁ ଚୂଡ଼ାନ୍ତ ରୂପ ଦେବା ନିମନ୍ତେ ଏହି ବୈଠକ ଅନୁଷ୍ଠିତ ହୋଇଛି। ଇଣ୍ଡିମେଣ୍ଟ ବୈଠକରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଇଲେକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ)କୁ ଖାରଜ କରି ବାଲଟ ଭୋଟିଂକୁ ଫେରି ଆସିବାକୁ ଦାବି କରିଛନ୍ତି।

ଇଣ୍ଡିମେଣ୍ଟ ବୈଠକରେ ମଲ୍ଲିକାର୍ଜୁନ ଖଡଗେ, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି, ସାନିଆ ଗାନ୍ଧି, ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ, ଉମର ଅବଦୁଲ୍ଲା, ମମତା ବାନାର୍ଜୀ ଓ ମହବୁବା ମୁଫ୍ତିଙ୍କ ସମେତ ଅନେକ ବଡ଼ ନେତା ଯୋଗ ଦେଇଛନ୍ତି। ଏହି ବୈଠକରେ କଂଗ୍ରେସ ସଭାପତି ଖଡଗେ ୫ଟି ଦାବି ରଖିଛନ୍ତି। ଏଥିରେ

  • ଭବିଷ୍ୟତର ନିର୍ବାଚନରେ ଏସଆଇଆର ପୂର୍ବର ଭୋଟର ଲିଷ୍ଟ ବ୍ୟବହାର କରାଯିବା
  • ଭୋଟର ଲିଷ୍ଟରୁ କୌଣସି ଭୋଟରର ନାମ ହଟିଲେ ଅପିଲର ପ୍ରଭାବୀ ପ୍ରକ୍ରିୟା ରହିବା
  • ପ୍ରଶାସନିକ ତ୍ରୁଟି ଯୋଗୁ ଯୋଗ୍ୟ ଭୋଟରଙ୍କ ନାମ କଟିବାରୁ ବର୍ତ୍ତିବା
  • ଇଭିଏମ ବଦଳେ ବାଲଟ ପେପର ଭୋଟିଂପ୍ରଥମ ଥର ଭୋଟ ଦେଉଥିବା ଭୋଟର ଙ୍କ ଲାଗି ସହଜ ଓ ସରଳ ଭୋଟର ରେଜିଷ୍ଟ୍ରେସନ

ଆଦି ଦାବି ରଖିଛନ୍ତି।

ଇଣ୍ଡି ମେଣ୍ଟର ଏହି ଦାବି ଗତ ସପ୍ତାହରେ ଇଂରାଜୀ ସମ୍ବାଦପତ୍ର ‘ଇଣ୍ଡିଆନ ଏକ୍ସପ୍ରେସ୍’ ର ଏକ ରିପୋର୍ଟ ସାମ୍ନାକୁ ଆସିବା ପରେ ଆସିଛି। ଏହି ରିପୋର୍ଟରେ କୁହାଯାଇଥିଲା ଯେ ଏସଆଇଆର ପ୍ରକ୍ରିୟା ସମ୍ପର୍କିତ ନିଷ୍ପତ୍ତି ଓ ଆଦେଶରେ ନିର୍ବାଚନ କମିଶନର ସୁଖବୀର ସିଂହ ସନ୍ଧୁ ଓ ବିବେକ ଯୋଶୀ ଏସଆଇଆର ସମ୍ପର୍କରେ ୧୦ ମାସରେ ୧୪ଟି ଅଧିକାରୀକ ଆପତ୍ତି କରିଥିଲେ। ଏହି ରିପୋର୍ଟ ସାମ୍ନାକୁ ଆସିବା ପରେ ନିର୍ବାଚନ ଆୟୋଗ ପ୍ରେସ୍ ନୋଟ୍ ଜାରି କରି କହିଥିଲେ ଯେ ଏସଆଇଆରକୁ ନେଇ ସବୁ ନିଷ୍ପତ୍ତି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ସହିତ ନିର୍ବାଚନ କମିଶନର ସୁଖବୀର ସିଂହ ସନ୍ଧୁ ଓ ବିବେକ ଯୋଶୀଙ୍କ ସହମତିରେ ନିଆଯାଇଥିଲା।

ଇଭିଏମକୁ ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ
ବୈଠକରେ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ ସାରା ଦେଶରେ ନାଗରିକ ଓ ରାଜନୈତିକ ଦଳ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟକୁ ନେଇ ଚିନ୍ତା ବ୍ୟକ୍ତ କରୁଛନ୍ତି। ଦୀର୍ଘ ବର୍ଷରୁ ଆମେ ଇଭିଏମ ନେଇ ଜବାବ ମାଗି ଆସୁଛେ, ଆମେ ଭୋଟର ଲିଷ୍ଟରେ ହେରଫେର ଓ ନିର୍ବାଚନ ଲିଷ୍ଟରେ ବିନା କାରଣରେ କରାଯାଉଥିବା ପରିବର୍ତ୍ତନ ଉପରେ ପ୍ରଶ୍ନ ଉଠାଉଛେ। ଖଡଗେ କହିଛନ୍ତି ଯେ ବିରୋଧୀ ଦଳ ନେତା ପ୍ରମାଣ ସହ ମହାଦେବପୁରା, ଆଲନ୍ଦ, ହରିୟାଣା ଓ ମହାରାଷ୍ଟ୍ରରେ ଭୋଟ ହେରଫେର ଅଭିଯୋଗ କରିଥିଲେ। ସେହିଭଳି ଇଣ୍ଡିମେଣ୍ଟ ପାର୍ଟି ମାନେ ମଧ୍ୟ ଏହି ମାମଲାରେ ପ୍ରଶ୍ନ ଉଠାଉଛନ୍ତି। ହେଲେ ଦୁଃଖର କଥା ଏ ସବୁ ବେକାର ହୋଇଛି।

କଂଗ୍ରେସ ନେତା କହିଛନ୍ତି ଯେ ଇଭିଏମକୁ ନେଇ ଆମର ଆଭିମୁଖ୍ୟ ସ୍ପଷ୍ଟ ହେବା ଆବଶ୍ୟକ। ଏହା ଏପରି ମେସିନ ଯାହାକୁ ବିଜେପି ନିଜ ଆବଶ୍ୟକତା ଅନୁସାରେ ଉପଯୋଗ କରୁଛି। ରାହୁଲ ଗାନ୍ଧିଙ୍କ ଶବ୍ଦରେ କହିଲେ ନିର୍ବାଚନ ଜିତିବାକୁ, ଝୁଲା ସଂସଦ କରିବା ଅଥବା ନିର୍ବାଚନ ହାରିବା ପାଇଁ ଆମେ ଏବେ ଏହି ମେସିନ ଆଉ ବ୍ୟବହାର କରିପାରିବାନି। କଂଗ୍ରେସ ସଭାପତି କହିଛନ୍ତି ଯେ ଭାରତୀୟ ନିର୍ବାଚନ ପ୍ରଣାଳୀରେ ବିଶ୍ୱାସ ସ୍ଥାପନା ପାଇଁ ଆମକୁ ବାଲଟ ବା ମତପତ୍ର ଭୋଟ କୁ ଫେରିଯିବାକୁ ପଡିବ। ଗଣତନ୍ତ୍ର ସଂସ୍ଥାଙ୍କୁ ପାରଦର୍ଶି ଉପାୟରେ ଜନତାଙ୍କ ବିଶ୍ୱାସ ଜିତିବା ଦରକାର।