ବାଗଡୋଗ୍ରା: ପଶ୍ଚିମବଙ୍ଗ ପୋଲିସ ଶୁକ୍ରବାର ସିଲିଗୁଡି ବାଗଡୋଗ୍ରା ଏୟାରପୋର୍ଟରୁ ମାଲଦା ବନ୍ଧକ କାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀକୁ ଗିରଫ କରିଛି। ଅଭିଯୁକ୍ତକୁ ଆଡଭୋକେଟ ମୋଫକରୁଲ ଇସ୍ଲାମ ଭାବେ ଚିହ୍ନଟ କରାଯାଇଛି। ତାକୁ ସେତେବେଳେ ପୋଲିସ ଗିରଫ କରିଛି ଯେତେବେଳେ ସେ ବିମାନ ଯୋଗେ ପଳାଇଯିବାକୁ ଉଦ୍ୟମ କରୁଥିଲା। ଏଡିଜି କେ. ଜୟରାମନ ସାମ୍ବାଦିକଙ୍କୁ କହିଛନ୍ତି ଯେ ମୋଫକରୁଲ ଉତ୍ତର ଦିନାଜପୁର ଜିଲ୍ଲା ଇଟାହାରର ବାସିନ୍ଦା ଓ ଏବେ ସେ କୋଲକାତାରେ ରହୁଛି।

ଖବର ଅନୁସାରେ ପେଷାରେ ଓକିଲ ମୋଫକରୁଲ ବ୍ଲକ ଡେଭଲପମେଣ୍ଟ କାର୍ଯ୍ୟାଳୟ ବାହାରେ ଭାଷଣ ଦେଇଥିଲେ ଓ ଭିଡକୁ ଅଞ୍ଚଳ ନ ଛାଡିବା ପାଇଁ କହିଥିଲେ। ସେପଟେ ବ୍ଲକ୍ କାର୍ଯ୍ୟାଳୟରେ ଏସଆଇଆର ସମ୍ପର୍କିତ ୩ ମହିଳାଙ୍କ ସମେତ ୭ ଜଣ ବିଚାର ବିଭାଗୀୟ ଅଧିକାରୀ ଏକ ପ୍ରକାର ବନ୍ଦୀ ହୋଇଯାଇଥିଲେ। ମୋଫକରୁଲ ୨୦୨୧ ମସିହାରେ ଏଆଇଏମଆଇଏମ ଟିକେଟରେ ପଶ୍ଚିମବଙ୍ଗରୁ ବିଧାନସଭା ନିର୍ବାଚନ ଲଢିଥିଲେ। ଏଡିଜି କେ. ଜୟରାମନଙ୍କ ଅନୁସାରେ ବୁଧବାର ଭାଷଣ ମାଧ୍ୟମରେ ସେ ସ୍ଥାନୀୟ ଲୋକଙ୍କୁ ଉସକାଇବାକୁ ଉଦ୍ୟମ କରିଥିଲେ। ଏ ନେଇ ତାଙ୍କ ବିରୋଧରେ କାଲିୟାଚକ ପୋଲିସ ଷ୍ଟେସନରେ ୩ଟି ଏତଲା ରୁଜୁ ହୋଇଛି।

ଏଡିଜିଙ୍କ ଅନୁସାରେ ମୋଫକରୁଲ ମାମଲାର ଜାତୀୟ ଯାଞ୍ଚ ଏଜେନ୍ସୀ (ଏନଆଇଏ) ଯାଞ୍ଚ କରିବେ। ତେବେ ପଶ୍ଚିମବଙ୍ଗ ପୋଲିସ ଏହି ମାମଲା ପୂର୍ବ ପରିକଳ୍ପିତ ଥିଲା କି ଓ ଏହି ଘଟଣା ପଛରେ ଆଉ କେତେ ଲୋକ ଅଛନ୍ତି ଯାଞ୍ଚ କରିବ। ତେବେ ଏହି ମାମଲାରେ ସମ୍ପୃକ୍ତି ଲାଗି ପୋଲିସ ଏ ପର୍ଯ୍ୟନ୍ତ ଜଣେ ଆଇଏସଏଫ ପ୍ରାର୍ଥୀଙ୍କ ସମେତ ମୋଟ ୩୫ ଜଣଙ୍କୁ ଗିରଫ କରିଛି। ତେବେ ସୁପ୍ରିମକୋର୍ଟ ମାଲଦା ଘଟଣାକୁ ବିଚାରବିଭାଗୀୟ କାର୍ଯ୍ୟରେ ବାଧା ଦେବା ଲାଗି ଏକ ଦୁଃସାହାସିକ ଓ ଜାଣିଶୁଣି କରାଯାଇଥିବା ପ୍ରୟାସ ବୋଲି କହିଛନ୍ତି।

ଭାରତର ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ପୀଠ ଘଟଣାକୁ ନେଇ ଉଦବେଗ ପ୍ରକାଶ କରିବା ସହିତ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ, ଗୃହ ସଚିବ ଓ ଡିଜିପିଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ପୀଠ କହିଛନ୍ତି ଯେ ପୂର୍ବ ସୂଚନା ସତ୍ତ୍ୱେ ପଶ୍ଚିମବଙ୍ଗ ଅଧିକାରୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ କରିବାରେ ବିଫଳ ହୋଇଛନ୍ତି। ଏଣୁ ପଶ୍ଚିମବଙ୍ଗ ଏସଆଇଆର ସମ୍ପର୍କିତ ବିଚାରବିଭାଗ ଅଧିକାରୀ ଦୀର୍ଘ ଘଣ୍ଟା ବିନା ଭୋଜନ ପାଣିରେ କଟାଇବାକୁ ବାଧ୍ୟ ହୋଇଥିଲେ।

ବୁଧବାର ମାଲଦାରେ ହୋଇଥିଲା କ’ଣ?
ମାଲଦାରେ ବୁଧବାର ଅପରାହ୍ନରେ ସେତେବେଳେ ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିଲା ଯେତେବେଳେ ବିକ୍ଷୋଭକାରୀଙ୍କ ଏକ ସମୂହ କାଲିୟାଚକ୍-୨ ବ୍ଲକ୍ ଡେଭଲପମେଣ୍ଟ କାର୍ଯ୍ୟାଳୟ ବାହାରେ ଜମା ହୋଇଗଲେ। ବିଶେଷ ଗହନ ପୁନରୀକ୍ଷଣ (ଏସଆଇଆର) ପ୍ରକ୍ରିୟା କାଳରେ ଭୋଟର ଲିଷ୍ଟରୁ ବାଦ ପଡିଥିବା ଅସନ୍ତୁଷ୍ଟ ଲୋକେ ଏହି ବିକ୍ଷୋଭ କରିଥିଲେ। ବିକ୍ଷୋଭକାରୀ ପ୍ରଥମେ କାର୍ଯ୍ୟାଳୟରେ ଥିବା ବିଚାରବିଭାଗୀୟ ଅଧିକାରୀଙ୍କୁ ଭେଟିବାକୁ ଦାବି କରିଥିଲେ। ଯେତେବେଳେ ସେମାନଙ୍କୁ ଭିତରକୁ ଯିବାକୁ ମନା କରିଦିଆଗଲା ଉତ୍ତେଜନା ଆହୁରି ବଢି ଯାଇଥିଲା। ବିକ୍ଷୋଭକାରୀ ପୁରା ବିଲ୍ଡିଂକୁ ଘେରାଇ କରିଦେଇଥିଲେ। ଫଳରେ କାର୍ଯ୍ୟାଳୟରେ ଏସଆଇଆର ସମ୍ପର୍କିତ କାମ କରୁଥିବା ୩ ମହିଳା ବିଚାରବିଭାଗୀୟ ଅଧିକାରୀଙ୍କ ସମେତ ୭ ଜଣ ଫଶି ରହିଯାଇଥିଲେ।

ସମୟ ବିତିବା ସହିତ ପ୍ରଦର୍ଶନ ଉଗ୍ରରୂପ ଧାରଣ କରିଥିଲା। ବିକ୍ଷୋଭକାରୀ ଜାତୀୟ ରାଜମାର୍ଗ ନମ୍ବର ୧୨(କୋଲକାତା-ସିଲିଗୁଡି) କୁ ଅବରୋଧ କରିଦେଇଥିଲେ। ଫଳରେ ଯାତାୟାତ ପ୍ରଭାବିତ ହେବା ସହ ଅଧିକାରୀଙ୍କ ଉପରେ ଚାପ ବଢି ଯାଇଥିଲା। ବିଳମ୍ବିତ ରାତ୍ରିରେ ସୁରକ୍ଷା ଅଧିକାରୀଙ୍କ ଏକ ଟିମ୍ ଫଶି ରହିଥିବା ଅଧିକାରୀଙ୍କୁ ମୁକୁଳେଇବାକୁ ଘଟଣାସ୍ଥଳକୁ ପହଞ୍ଚି ଥିଲେ। ପରେ ନିର୍ବାଚନ ଆୟୋଗ ଘଟଣାକୁ ନେଇ ରାଜ୍ୟ ପୋଲିସକୁ ରିପୋର୍ଟ ତଲବ କରିଛନ୍ତି।