ନୂଆଦିଲ୍ଲୀ: ମେଟ୍ରୋରେ ଅତ୍ୟଧିକ ଉଚ୍ଚ ଶବ୍ଦରେ ରିଲ୍ ଦେଖିବା, ଜୋରରେ ପାଟିକରି ଫୋନରେ କଥା ହେବା କିମ୍ବା ବିନା ହେଡଫୋନରେ ଗୀତ ଶୁଣିବା ପଡ଼ିପାରେ ମହଙ୍ଗା। ଏମିତି କଲେ ଯାତ୍ରୀଙ୍କୁ ଦେବାକୁ ପଡ଼ିବ ଜରିମାନା। ଚେନ୍ନାଇ ମେଟ୍ରୋ ରେଲ୍ ଲିମିଟେଡ (CMRL) ଏହାକୁ ନେଇ ମାର୍ଗଦର୍ଶିକା ଜାରି କରିଛି। ଆଡଭାଇଜରୀରେ ସ୍ପଷ୍ଟ କରାଯାଇଛି ଯେ, ମେଟ୍ରୋରେ କୌଣସି ପ୍ରକାରର ଶବ୍ଦ କରିବା ଦ୍ବାରା ୫୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିପାରେ।

CMRLର ଆଡଭାଇଜରୀ ଅନୁସାରେ ମେଟ୍ରୋ କିମ୍ବା ମେଟ୍ରୋ ପରିସରରେ ଜୋର୍ ଶବ୍ଦରେ କଥା ହେବା, ବିନା ହେଡଫୋନରେ ଗୀତ ବା ଭିଡିଓ ଦେଖିବା କିମ୍ବା ସ୍ପିକର ମୋଡରେ କଲ୍ କରି କଥା ହେବାକୁ ନିୟମର ଉଲ୍ଲଘଂନ ବୋଲି ଧରାଯିବ। ରିପୋର୍ଟ ଅନୁସାରେ, ଏପର୍ଯ୍ୟନ୍ତ ଏସବୁକୁ ଛୋଟ କଥା ବୋଲି ଧରାଯାଉଥିଲା। କିନ୍ତୁ ଏବେ ଏହାକୁ ଗୁରୁତର ସମସ୍ୟା ଭାବରେ ଧରାଯିବ। ବିଶେଷ କରି ଏହି ନିୟମ ଯାତ୍ରୀଙ୍କୁ ମୋବାଇଲ ଫୋନରୁ ହିଁ ହେଉଥିବା ଶବ୍ଦରୁ ଆଶ୍ବସ୍ତି ପାଇଁ ଆସିଛି।

ଦେବାକୁ ପଡ଼ିବ ଜରିମାନା

ମେଟ୍ରୋ ରେଲଓ୍ବେ (ଅପରେସନ ଆଣ୍ଡ୍ ମେଣ୍ଟେନାନ୍ସ) ଆକ୍ଟ ୨୦୦୨ର ଧାରା ୫୯ ଅନୁଯାୟୀ, କେହି ଯାତ୍ରୀଙ୍କ ଯୋଗୁ ଯଦି ଅନ୍ୟ ଯାତ୍ରୀମାନଙ୍କୁ ଅସୁବିଧା ହେଉଛି ତେବେ, ଏହା ଏକ ଦଣ୍ଡନୀୟ ଅପରାଧ। ଏମିତିରେ ମାମଲାରେ ୫୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲଗାଯାଇପାରେ ଏବଂ ଆବଶ୍ୟକ ପଡ଼ିଲେ ଯାତ୍ରୀଙ୍କୁ ମେଟ୍ରୋ ପରିସରରୁ ବାହାର କରାଯାଇପାରେ। ନୂଆ ନିୟମ ଏହି ଆଇନର ଅଂଶ।

Also Read: ଓଭରଲୋଡ୍ ଗାଡ଼ି ଉପରେ କଡ଼ା ନଜର, ଦେବାକୁ ପଡ଼ିବ ୪ ଗୁଣା ଅଧିକ ଟୋଲ୍ ଟ୍ୟାକ୍ସ

CMRLର ଅପିଲ୍

CMRL ଯାତ୍ରୀଙ୍କୁ ଜରିମାନାରୁ ବର୍ତ୍ତିବା ପାଇଁ କିଛି ପରାମର୍ଶ ଦେଇଛି। CMRL ଅପିଲ କରିଛି ଯେ, ଲୋକଙ୍କୁ ମେଟ୍ରୋରେ ହେଡଫୋନର ବ୍ୟବହାର କରିବା ଦରକାର। ଧୀରେ କଥା ହେବା ଏବଂ ସ୍ପିକର ମୋଡରେ ନରଖି କଥା ହେବା ଦରକାର। ପୂର୍ବରୁ ଚଳିତ ମାସ ଆରମ୍ଭରେ ଭାରତୀୟ ରେଲଓ୍ବେ ବୋର୍ଡ ମଧ୍ୟ ଯାତ୍ରୀଙ୍କୁ ଏଭଳି ଅପିଲ୍ କରିଥିଲା। ଭାରତୀୟ ରେଲଓ୍ବେ ଏକ ବିବୃତ୍ତିରେ କହିଛି ଯେ, ଟ୍ରେନରେ ହେଡଫୋନର ବ୍ୟବହାର କରନ୍ତୁ। ଯାହାଦ୍ବାରା ଅନ୍ୟ ଯାତ୍ରୀଙ୍କୁ ଅସୁବିଧା ନହେବ।