କ୍ୱାଣ୍ଟିକୋ: ଆମେରିକା ପ୍ରତିରକ୍ଷାମନ୍ତ୍ରୀ ପିଟ୍ ହେଗସେଥ୍ ତାଙ୍କ ବାର୍ଷିକ ‘ଷ୍ଟେଟ୍ ଅଫ ଦି ଫୋର୍ସ’ ସମ୍ବୋଧନରେ ଆମେରିକା ସେନାରେ କେତେକ ବଡ଼ ପରିବର୍ତ୍ତନର ଘୋଷଣା କରିଛନ୍ତି। ଏଥିରେ ଏକ ନୂଆ ଡ୍ରୋନ କମାଣ୍ଡ ସ୍ଥାପନା ସହ ୨୦ ପ୍ରତିଶତ ଜେନେରାଲ ଓ ଆଡମିରାଲଙ୍କ ସଂଖ୍ୟା ହ୍ରାସ କରିବା ଘୋଷଣା ଆଦି ରହିଛି। ହେଗସେଥ କହିଛନ୍ତି ଯେ ପେଣ୍ଟାଗନ ଯୁଦ୍ଧର ଭବିଷ୍ୟ ଅଧ୍ୟୟନ କରିବା ଲାଗି ଏକ ପଦକ୍ଷେପ ମଧ୍ୟ ନେବ। ‘ସ୍ପେସ୍ ଏକ୍ସ’ ସିଇଓ ଏଲନ ମସ୍କ ଓ ପ୍ରତିନିଧି ସଭାର ପୂର୍ବତନ ଅଧ୍ୟକ୍ଷ ଗିଙ୍ଗରିଚ୍ ଏହାର ନେତୃତ୍ୱ ନେବେ।

ହେଗସେଥ କହିଛନ୍ତି ଯେ ପ୍ରତିରକ୍ଷା ବିଭାଗ ‘ଧାର୍ମିକ ବ୍ୟାପାର କାର୍ଯ୍ୟାଳୟ’ ନିର୍ମାଣ କରିବ ଓ ୪୦ ବର୍ଷରେ ପ୍ରଥମ ଥର ଏକ ନୂଆ ସାମରିକ ଘାଟି ନିର୍ମାଣର ଯୋଜନା ମଧ୍ୟ ହେଉଛି। ହେଗସେଥ ଭର୍ଜିନିୟାର ମେରିନ କୋର ବେସ୍ କ୍ୱାଣ୍ଟିକୋରେ କନିଷ୍ଠ ଅଧିକାରୀ ଓ ଅଧିନସ୍ଥ ସାମରିକ କର୍ମଚାରୀଙ୍କ ନେତୃତ୍ୱଙ୍କ ଆଗରେ ଏହି ଘୋଷଣା କରିଛନ୍ତି। ଷ୍ଟେଟ୍ ଅଫ ଦି ଫୋର୍ସ ସମ୍ବୋଧନ ପେଣ୍ଚାଗନ ନେତୃତ୍ୱ ନେଉଥିବା ଲୋକଙ୍କ ମଧ୍ୟରେ ଏହା କୌଣସି ସାଧାରଣ କଥା ନୁହେଁ। ପେଣ୍ଟାଗନ ପ୍ରମୁଖ ପୁଣି ଥରେ ଦୋହରାଇଛନ୍ତି ଯେ ସେ ଆମେରିକା ସେନାରେ ବଡ଼ ପରିବର୍ତ୍ତନ କରିଛନ୍ତି।

ହେଗସେଥ୍ ଡ୍ରୋନ କେନ୍ଦ୍ରିତ ୱାରଫେୟାର କମାଣ୍ଡ ଘୋଷଣା କରିଛନ୍ତି। ସେ ମାନିଛନ୍ତି ଯେ ଯୁଦ୍ଧର ଗତି ଓ ଏହାକୁ ସମର୍ଥନ ଦେଉଥିବା ପ୍ରକ୍ରିୟାରେ ଦ୍ରୁତ ପରିବର୍ତ୍ତନ ହେଉଛି। ଇରାନ ପ୍ରାୟତଃ ଶସ୍ତା ଡ୍ରୋନ ବ୍ୟବହାର କରୁଛି, ଏଥିରୁ କିଛି ଡ୍ରୋନ ୭ ମାସ ହେଲା ଜାରି ଯୁଦ୍ଧରେ ଆମେରିକୀୟ ସେନାକୁ ଅସ୍ତବ୍ୟସ୍ତ କରିଛି। ହେଗସେଥ୍ ଋଷୀୟ ସୈନିକଙ୍କ ସହ ଲଢିବା ପାଇଁ ୟୁକ୍ରେନ ଦ୍ୱାରା ଡ୍ରୋନ ଉପଯୋଗର ଉଲ୍ଲେଖ କରିଛନ୍ତି ଓ କହିଛନ୍ତି ଯେ ଏହା ଏକ ଏପରି ଜିନିଷ ଯାହାକୁ ଆମେରିକା ସେନା ନିଜ ଅଭିଜ୍ଞତାରୁ ଶିଖିଛନ୍ତି।

ତେବେ ୟୁରୋପରେ ମୁତୟନ ତଥା ଡ୍ରୋନ ଯୁଦ୍ଧ କୌଶଳରେ ଅଭିଜ୍ଞ ଆମେରିକା ସେନାର ଏକ ୟୁନିଟକୁ ନିକଟରେ ନିଜର ପ୍ରୟାସ ରୋକିବା ଓ ପାରମ୍ପରିକ ପଦାତିକ ସେନା ବଟାଲିୟନ ଭାବେ କାମ କରିବାକୁ ଆଦେଶ ଦିଆଯାଇଥିଲା।