ଲଣ୍ଡନ ୧୯।୧୨: ବ୍ରିଟେନ ବିଦେଶମନ୍ତ୍ରାଳୟ ଉପରେ ବଡ଼ ଧରଣର ସାଇବର ଆକ୍ରମଣର ଖବର ଆସୁଛି। ୟୁକେ ମିଡିଆ ରିପୋର୍ଟ ଅନୁସାରେ ଏହା ପଛରେ ସନ୍ଦିଗ୍ଧ ଚୀନ୍ ହ୍ୟାକରଙ୍କ ହାତ ଥାଇପାରେ, ସେମାନେ ବ୍ରିଟେନ ବିଦେଶ କାର୍ଯ୍ୟାଳୟର ସେହି ସିଷ୍ଟମକୁ ଟାର୍ଗେଟ୍ କରିଛନ୍ତି ଯେଉଁଥିରେ ସମ୍ବେଦନଶୀଳ ଡକ୍ୟୁମେଣ୍ଟ ଥିଲା। ତେବେ ୟୁକେ ଟ୍ରେଡ ମନ୍ତ୍ରୀ କ୍ରିସ୍ ବ୍ରାୟଣ୍ଟ ‘ସ୍କାଇ ନ୍ୟୁଜ୍’କୁ କହିଛନ୍ତି ଯେ ହ୍ୟାକ୍ ପାଇଁ କିଏ ଦାୟି ଏହା ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇ ନାହିଁ।

ତେବେ ସମ୍ବାଦପତ୍ର ‘ଦି ସନ’ ରିପୋର୍ଟ ଅନୁସାରେ ଷ୍ଟର୍ମ-୧୮୪୯ ନାମକ ଚୀନ୍ ହ୍ୟାକର ସମୂହ ବିଦେଶ କାର୍ଯ୍ୟାଳୟ ସର୍ଭରକୁ ଟାର୍ଗେଟ୍ କରିଛନ୍ତି ଓ ଭିସା ବିବରଣୀ ସମ୍ପର୍କିତ ସୂଚନା ପର୍ଯ୍ୟନ୍ତ ପହଞ୍ଚିଛନ୍ତି। ଏଣୁ ହଜାର ହଜାର ଗୋପନୀୟ ଡକ୍ୟୁମେଣ୍ଟ ଓ ଡାଟା ଚୋରି ହୋଇଛି।ବ୍ରାୟଣ୍ଟ କହିଛନ୍ତି ‘ନିଶ୍ଚିତ ରୂପେ ଏଫସିଡିଓ (ବିଦେଶ, ରାଷ୍ଟ୍ରମଣ୍ଡଳ ଓ ବିକାଶ କାର୍ଯ୍ୟାଳୟ)ରେ ହ୍ୟାକିଙ୍ଗ ହୋଇଛି। ଏହି ଆକ୍ରମଣ କିଛି ମାସ ପୂର୍ବରୁ ହୋଇଛି’। ସେ କହିଛନ୍ତି ଯେ ଆମକୁ ଏ ସମ୍ପର୍କରେ ଅକ୍ଟୋବର ମାସରେ ସୂଚନା ମିଳିଥିଲା। ହେଲେ ଆମେ ଯଥାଶୀଘ୍ର ସେହି ଲୁପ ହୋଲକୁ ବନ୍ଦ କରିଦେଇଥିଲୁ।

ଏହି ସାଇବର ଆକ୍ରମଣ ପରେ ବ୍ରିଟେନରେ ଚାଞ୍ଚଲ୍ୟ ଖେଳି ଯାଇଛି। ଏହା ପଛରେ ଚୀନ୍ ର ହାତ ଥିବା କୁହାଯାଉଛି, ହେଲେ ଏହା ଏ ପର୍ଯ୍ୟନ୍ତ କେବଳ ସନ୍ଦେହରେ କୁହାଯାଉଛି। ବ୍ରାୟଣ୍ଟ ଏଫସିଡିଓର ଏକ ସାଇଟ୍ ରେ ବୈଷୟିକ ସମସ୍ୟା ଆଡକୁ ଇସାରା କରିଛନ୍ତି, ଯାହା ନିକଟ ଅତୀତରେ ହ୍ୟାକିଙ୍ଗ ଚିନ୍ତା ବଢେଇ ଦେଇଥିଲା। ବ୍ରାୟଣ୍ଟ କହିଛନ୍ତି ଯେ ଏଥି ଯୋଗୁ କୌଣସି ବ୍ୟକ୍ତି ବିଶେଷଙ୍କ ଉପରେ ପ୍ରଭାବ ପଡିବାର ସମ୍ଭାବନା କ୍ଷୀଣ। ଏଣୁ ଏହାକୁ ନେଇ ଭୟଭୀତ ହେବା ଉଚିତ ନୁହେଁ। ଆମେ ଏହାକୁ କାବୁରେ ରଖିଛୁ ଓ ଏହା ବି ପୁରା ସ୍ପଷ୍ଟ ହୋଇନି ଏହା କେଉଁଠୁ ଆସିଛି।

ଏହି ସାଇବର ଆକ୍ରମଣ ପରେ ବିରୋଧୀ କଞ୍ଜରଭେଟିଭ ପାର୍ଟି ଲେବର ସରକାରଙ୍କ ଉପରେ ଚୀନ୍ ହସ୍ତକ୍ଷେପରୁ ଦେଶକୁ ରକ୍ଷା କରିବାରେ ବିଫଳ ହୋଇଥିବାର ଅଭିଯୋଗ ଆଣିଛି। କହିଛି ଚୀନ୍ ଆମ ସୁରକ୍ଷା, ସଂସ୍ଥା ଓ ଗଣତନ୍ତ୍ରକୁ ଦୁର୍ବଳ କରୁଛି। ତେବେ ୟୁକେ ବିଦେଶ ସଚିବ ପ୍ରୀତି ପଟେଲ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି ଯେ ଷ୍ଟାର୍ମର ସବୁ ଅବସରରେ ଚୀନ ଆଗରେ ନଇଁ ପଡୁଛନ୍ତି, ଏଣୁ ଆମ ଜାତୀୟ ହୀତର ସୁରକ୍ଷା ପାଇଁ ତାଙ୍କ ଉପରେ ଭରସା କରାଯାଇ ନପାରେ ବୋଲି ଉଲ୍ଲେଖ କରିଛନ୍ତି। ‘ଦି ସନ’ ରିପୋର୍ଟ ଅନୁସାରେ ଷ୍ଟର୍ମ-୧୮୪୯ ବେଜିଂ ସରକାରୀ ହ୍ୟାକିଂ ତନ୍ତ୍ରର ଅଂଶ ଓ ଚୀନ୍ ସମ୍ପର୍କିତ ଗୁଇନ୍ଦା ସମୂହ। ଏହାକୁ ପାଶ୍ଚତ୍ୟ ଏଜେନ୍ସୀମାନେ ଚିହ୍ନଟ କରିଛନ୍ତି।

ଏହି ସମୂହ ଚୀନ ସରକାରଙ୍କୁ ସମାଲୋଚନା କରୁଥିବା ରାଜନେତା, ସଂସଦୀୟ କର୍ମଚାରୀ ଓ ସଙ୍ଗଠନଙ୍କୁ ଟାର୍ଗେଟ କରିବାର ଅଭିଯୋଗ ରହିଛି। ଏହା ଫିସିଂ ଇ-ମେଲ ଓ କ୍ଲାଉଡ ଆକ୍ସେସ ଯୋଗେ ସମ୍ବେଦନଶୀଳ ରାଜନୈତିକ ସୂଚନା ଏକତ୍ର କରେ । ଜନୈକ ୟୁକେ ସରକାରୀ ମୁଖପାତ୍ର କହିଛନ୍ତି ଯେ ଆମେ ଏକ ସାଇବର ଘଟଣାର ଯାଞ୍ଚ ପାଇଁ କାମ କରୁଛୁ। ଆମେ ଆମର ସିଷ୍ଟମ ଓ ଡାଟାର ସୁରକ୍ଷାକୁ ଗୁରୁତର ସହ ଗ୍ରହଣ କରିଥାଉ।