ଢାକା: ବାଂଲାଦେଶରେ ହିନ୍ଦୁ ଯୁବକ ଦୀପୁ ଦାସଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ଢାକା ପୁଲିସ। ଗିରଫ ମୁଖ୍ୟ ଅଭିଯୁକ୍ତ ୟାସିନ ଆରାଫାତ ଜଣେ ପୂର୍ବତନ ଶିକ୍ଷକ। ସେ ହିଁ ଭିଡ଼କୁ ଉସ୍କାଇବା ଓ ଆକ୍ରମଣକୁ ଠିକ୍ ଭାବରେ କାର୍ଯ୍ୟକାରୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବୋଲି ଢାକା ପୁଲିସ କହିଛି।

ଘଟଣା ଗତବର୍ଷ ଡିସେମ୍ବର ୧୮ ତାରିଖରେ ମୈମନସିଂ ଜିଲ୍ଲାରେ ଘଟିଥିଲା। ୨୭ ବର୍ଷୀୟ ଦୀପୁ ଦାସଙ୍କୁ ତାଙ୍କ କାରଖାନା ସୁପରଭାଇଜରମାନେ ଇସ୍ତଫା ଦେବାକୁ ବାଧ୍ୟ କରିଥିଲେ। ଏବଂ ସେ ଧର୍ମନିନ୍ଦା କରିଛନ୍ତି ବୋଲି ଅଭିଯୋଗ କରି କରି ତାଙ୍କୁ ଅଫିସରୁ ବାହାର କରି ଦେବା ସହ ଉତ୍ତ୍ୟକ୍ତ ଇସଲାମ ମୌଳବାଦୀଙ୍କ ଭିଡ଼କୁ ଠେଲି ଦେଇଥିଲେ।

ମୁସ୍ଲିମ ମୌଳବାଦୀ ଭିଡ଼ ତାଙ୍କୁ ପିଟିପିଟି ହତ୍ୟା କରିବା ସହିତ ତାଙ୍କୁ ଗଛରେ ଟାଙ୍ଗି ନିଆଁ ଲଗାଇ ଦେଇଥିଲା। ସବୁଠାରୁ ଦୁଃଖର କଥା ହେଲା ତାଙ୍କ ସହକର୍ମୀମାନେ ହିଁ ତାଙ୍କୁ ହତ୍ୟା କରିବାରେ ଭିଡ଼ରେ ମିଶିଥିଲେ ବୋଲି ପୁଲିସ କହିଛି। ତେବେ ଭିଡ଼ ଦୀପିକୁ ହତ୍ୟା କରିବା ପରେ ମୁଖ୍ୟ ଅଭିଯୁକ୍ତ ଆରାଫାତ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା। ଏବଂ ଆତ୍ମଗୋପନ କରିଥିଲା।

ଅଧିକାରୀଙ୍କ କହିବା ଅନୁସାରେ, ଆରାଫାତ ଏହି ଆକ୍ରମଣର ଷଡ଼ଯନ୍ତ୍ର କରିଥିଲେ, ଅନ୍ୟମାନଙ୍କୁ ଏକାଠି ହୋଇ ଦାସଙ୍କୁ ଟାର୍ଗେଟ କରିବାକୁ ପ୍ରୋତ୍ସାହିତ କରିଥିଲେ। ସ୍ଥାନୀୟ ସମ୍ପ୍ରଦାୟ ମଧ୍ୟରେ ସେ ଜଣେ ପରିଚିତ ବ୍ୟକ୍ତି ହୋଇଥିବାରୁ ତାଙ୍କ ନେତୃତ୍ୱରେ ଏକ ବଡ଼ ଭିଡ଼ ଏକାଠି ହୋଇଯାଇଥିଲା। ପୋଲିସ ଆହୁରି କହିଛି ଯେ ଆରାଫାତ କେବଳ ଭିଡ଼କୁ ଉସ୍କାଇ ନଥିଲେ ବରଂ ଦୀପୁଙ୍କୁ ବ୍ୟକ୍ତିଗତ ଭାବରେ ଏକ ଛକକୁ ଟାଣି ନେଇଥିଲେ, ଯେଉଁଠାରେ ତାଙ୍କୁ ଗଛରେ ଝୁଲାଇ ନିଆଁ ଲଗାଇ ଦିଆଯାଇଥିଲା।

ଢାକା ପୁଲିସର ସୂଚନା ଅନୁସାରେ, ଆରାଫାତ ଜଣେ ସ୍ଥାନୀୟ ବାସିନ୍ଦା ବୋଲି ଜଣାପଡ଼ିଛି। ସେ ପୂର୍ବରୁ ଏକ ମସଜିଦରେ ପାଠ ପଢ଼ାଉଥିଲା। ଜଣେ ଶିକ୍ଷକ ଭାବରେ ତାଙ୍କର ପଦବୀ ଏବେ ଯାଞ୍ଚ କରାଯାଉଛି। ଆରାଫାତଙ୍କ ସମେତ ଏହି ମାମଲାରେ ମୋଟ ଗିରଫ ସଂଖ୍ୟା ୨୧ରେ ପହଞ୍ଚିଛି। ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ସନ୍ଦିଗ୍ଧମାନଙ୍କୁ ଚିହ୍ନଟ କରିବା ପାଇଁ ତଦନ୍ତ ଜାରି ରହିଛି।

ଶେଖ ହାସିନାଙ୍କ ସରକାରର ପତ୍ତନ ପରେ ବାଂଲାଦେଶରେ ହିନ୍ଦୁ ବିରୋଧୀ ହିଂସା ଜାରି ରହିଛି। ଦୀପୁ ଦାସଙ୍କ ହତ୍ୟା ପରେ କିଛି ଦିନ ମଧ୍ୟରେ ବାଂଲାଦେଶରେ ଆଉ ପାଞ୍ଚ ଜଣ ହିନ୍ଦୁ ପୁରୁଷଙ୍କ ହତ୍ୟା କରାଯାଇଛି। ରାଜବାରୀ ଜିଲ୍ଲାରେ ଅମୃତ ମଣ୍ଡଳଙ୍କୁ ଗ୍ରାମବାସୀମାନେ ପିଟି ପିଟି ହତ୍ୟା କରିଥିବା ବେଳେ, ବଜେନ୍ଦ୍ର ବିଶ୍ୱାସଙ୍କୁ ମାଇମନସିଂରେ ଗୁଳି କରି ହତ୍ୟା କରାଯାଇଥିଲା।

ସେହିପରି ଶରିୟତପୁରରେ ନୂଆ ବର୍ଷ ପୂର୍ବ ସନ୍ଧ୍ୟାରେ ଜଣେ ହିନ୍ଦୁ ବ୍ୟବସାୟୀ ଖୋକନ ଚନ୍ଦ୍ର ଦାସଙ୍କୁ ଏକ ଭିଡ଼ ଦ୍ୱାରା ଛୁରା ମାଡ଼ କରିବା ସହିତ ପେଟ୍ରୋଲ ଢାଳି ପୋଡ଼ି ଦିଆଯାଇଥିଲା। ଢାକାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ପୁଣି ସୋମବାର ଜେସୋର ଜିଲ୍ଲାରେ ଜଣେ ଖବରକାଗଜ ସମ୍ପାଦକ ଏବଂ ବ୍ୟବସାୟୀ ରାଣା ପ୍ରତାପଙ୍କୁ ଅଜ୍ଞାତ ଆକ୍ରମଣକାରୀମାନେ ଗୁଳି କରି ହତ୍ୟା କରିଛନ୍ତି।

ନାଓଗାଓଁ ଜିଲ୍ଲାରେ, ଜଣେ ୨୫ ବର୍ଷୀୟ ହିନ୍ଦୁ ଯୁବକ ଭିଡ଼ ଭୟରେ ପୋଖରୀକୁ ଡେଇଁ ଆତ୍ମହତ୍ୟା କରିଥିଲେ। ଚୋରି ସନ୍ଦେହରେ ତାଙ୍କୁ ପିଟିବା ପାଇଁ ଏକ ଭିଡ଼ ଗୋଡାଇଥିଲା। ସେ ଭୟରେ ପୋଖରୀରେ ଡେଇଁ ପଡ଼ିବାରୁ ବୁଡ଼ି ଯାଇ ତାଙ୍କର ମୃତ୍ୟୁ ଘଟିଥିଲା।