ମୁମ୍ବାଇ: ଠିକାଦାରିର ବକେୟା ପଇସା ଦେଲେ ନାହିଁ ମହାରାଷ୍ଟ୍ର ସରକାର। ଶେଷରେ ଅନ୍ୟ ଉପାୟ ନ ପାଇ ରାହୁଲ ଗାନ୍ଧୀଙ୍କ ପାଖରେ ଅଭିଯୋଗ ଜଣାଇଲେ କଣ୍ଟ୍ରାକ୍ଟର। ମାମଲାକୁ ସଂସଦରେ ଉଠାଇବାକୁ ମହାରାଷ୍ଟ୍ରର କିଛି ଛୋଟ ଠିକାଦାର ରାହୁଲ ଗାନ୍ଧୀଙ୍କୁ ଭେଟି ଅନୁରୋଧ କରିଛନ୍ତି।

ଇକୋନୋମିକ୍ସ ଟାଇମ୍ସର ରିପୋର୍ଟ ଅନୁସାରେ, ମହାରାଷ୍ଟ୍ର ସରକାରଙ୍କ ଉପରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ବକେୟା ଥିବା ରାଜ୍ୟର ଠିକାଦାରମାନେ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁସାରେ, ୨୦୨୪ ନିର୍ବାଚନ ପୂର୍ବରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସମୟରେ ବଜେଟ୍ ବ୍ୟବସ୍ଥାଠାରୁ ବହୁଗୁଣ ଅଧିକ ମୂଲ୍ୟର ଠିକା ଓ ଟେଣ୍ଡର ଦିଆଯାଇଥିଲା। ଏବେ ସେହି କାମର ବିଲ୍ ପରିଶୋଧ କରିବା ପାଇଁ ସରକାରଙ୍କ ପାଖରେ ଟଙ୍କା ନଥିବାରୁ ଠିକାଦାରମାନେ ଆର୍ଥିକ ସଙ୍କଟରେ ପଡ଼ିଥିବା ସେମାନେ କହିଛନ୍ତି।

ରିପୋର୍ଟ ଅନୁସାରେ ଛୋଟ ଠିକାଦାରମାନଙ୍କ ପ୍ରାୟ ୪୦ ହଜାର କୋଟି ଟଙ୍କାର ପେମେଣ୍ଟ ବକେୟା ରହିଥିବା ଦାବି କରାଯାଇଛି। ଠିକାଦାରମାନେ କହିଛନ୍ତି, ଅନେକ ବଡ଼ ଠିକା ଗୁଜରାଟ ଭିତ୍ତିକ କମ୍ପାନୀଙ୍କୁ ଦିଆଯାଇଥିଲା। ପରେ ଏହି କମ୍ପାନୀଗୁଡ଼ିକ ଛୋଟ ଠିକାଦାରଙ୍କ ମାଧ୍ୟମରେ କାମ କରାଇଥିଲେ, କିନ୍ତୁ ତାଙ୍କ ପ୍ରାପ୍ୟ ଟଙ୍କା ଏପର୍ଯ୍ୟନ୍ତ ମିଳିଲା ନାହିଁ ବୋଲି ଅଭିଯୋଗ ହୋଇଛି।

ଠିକାଦାରମାନେ ରାହୁଲ ଗାନ୍ଧିଙ୍କୁ ଏହି ପ୍ରସଙ୍ଗ ସଂସଦରେ ଉଠାଇବାକୁ ଅନୁରୋଧ କରିଥିଲେ। ରାହୁଲ ଗାନ୍ଧି ସମସ୍ୟା ଉପରେ ସଂସଦରେ ସ୍ୱର ଉଠାଇବା ସହ ମହାରାଷ୍ଟ୍ର ସରକାରଙ୍କୁ ଚିଠି ଲେଖିବେ ବୋଲି ଆଶ୍ୱାସନ ଦେଇଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି।

Also Read- 'ସାରା ଦୁନିଆ ପ୍ରଶଂସା କରୁଛି, ରାହୁଲ ଗାନ୍ଧୀ ନୀରବ'; ସ୍ମିତ୍ ମଚ୍ଛାରଙ୍କ ମାମଲାରେ କଂଗ୍ରେସକୁ ଘେରିଲା ବିଜେପି

କଂଗ୍ରେସର ଦାବି ଅନୁସାରେ, ଛୋଟ ଠିକାଦାରମାନେ ଭିତ୍ତିଭୂମି ନିର୍ମାଣ ସହ ବିଭିନ୍ନ ସରକାରୀ କାମ ସମ୍ପୂର୍ଣ୍ଣ କରିଥିଲେ। କିନ୍ତୁ ସମୟରେ ପେମେଣ୍ଟ ନମିଳିବାରୁ ସେମାନେ ଆର୍ଥିକ ସଙ୍କଟରେ ପଡ଼ିଛନ୍ତି। ନିୟମରେ ଅନିୟମିତତା କରି ବଡ଼ ଠିକାଦାରଙ୍କୁ ସୁବିଧା ଦିଆଯାଉଥିବା ବେଳେ ଛୋଟ ଠିକାଦାର ଓ ସେମାନଙ୍କ ଉପରେ ନିର୍ଭରଶୀଳ ହଜାର ହଜାର ପରିବାର ପ୍ରଭାବିତ ହେଉଥିବା ଅଭିଯୋଗ କରାଯାଇଛି।

ଗତ ଦୁଇ ବର୍ଷ ଧରି ବକେୟା ପେମେଣ୍ଟକୁ ନେଇ ମହାରାଷ୍ଟ୍ରର ବିଭିନ୍ନ ଠିକାଦାର ସଂଘ ଆନ୍ଦୋଳନ ଓ ଧର୍ମଘଟ କରିଆସୁଛନ୍ତି। ଗତ ଅଗଷ୍ଟରେ ନଭି ମୁମ୍ବାଇର ୩୭ ବର୍ଷୀୟ ପିଡବ୍ଲୁ ଡି ଠିକାଦାର ଗଜାନନ ଭୁଜଙ୍ଗ ଦେବକାତେ ଆତ୍ମହତ୍ୟା କରିଥିଲେ। ପରିବାର ଓ ସମ୍ପର୍କିତ ରିପୋର୍ଟ ଅନୁସାରେ, ପ୍ରାୟ ୨ କୋଟି ଟଙ୍କାର କାମ ସମ୍ପୂର୍ଣ୍ଣ କରିଥିଲେ ମଧ୍ୟ ତାଙ୍କ ବିଲ୍ ପରିଶୋଧ ହୋଇନଥିଲା। ଏହା ଯୋଗୁ ବ୍ୟାଙ୍କ ଋଣ, ଶ୍ରମିକଙ୍କ ପାଉଣା ଓ ନିର୍ମାଣ ଯନ୍ତ୍ରପାତି ଭଡ଼ା ଦେବାର ଚାପ ବଢ଼ିଥିବା ଅଭିଯୋଗ ରହିଛି।

ମହାରାଷ୍ଟ୍ର ଷ୍ଟେଟ୍ କଣ୍ଟ୍ରାକ୍ଟର୍ସ ଫେଡେରେସନ୍ ଓ ଷ୍ଟେଟ୍ ଇଞ୍ଜିନିୟର୍ସ ଆସୋସିଏସନ୍ର ମିଲିନ୍ଦ ଭୋସଲେଙ୍କ ଅନୁସାରେ, ରାଜ୍ୟରେ ମୋଟ ପ୍ରାୟ ୮୬ ହଜାର କୋଟି ଟଙ୍କାର ବିଲ୍ ଏବେ ବି ପେମେଣ୍ଟ ହୋଇନାହିଁ। ଏଥିରୁ କେବଳ ପଡବ୍ଲୁଡିର ପ୍ରାୟ ୨୮ ହଜାର କୋଟି ଟଙ୍କା ବକେୟା ଥିବା ସେ କହିଛନ୍ତି। ତେବେ ଠିକାଦାରଙ୍କ ଏହି ଅଭିଯୋଗ ଓ ବକେୟା ରାଶି ସମ୍ପର୍କରେ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଏହି ରିପୋର୍ଟରେ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ।