ଭୁବନେଶ୍ଵର: ଓଡ଼ିଶାର ସମ୍ବଲପୁର ସିଟି ରେଳ ଷ୍ଟେସନକୁ ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ନୂତନ ରୂପ ପ୍ରଦାନ କରାଯାଇଛି। ରେଳ ଷ୍ଟେସନଗୁଡ଼ିକୁ ଆଧୁନିକ, ଯାତ୍ରୀ ଅନୁକୂଳ ଏବଂ ଭବିଷ୍ୟତର ଆବଶ୍ୟକତା ଅନୁରୂପ ବିକଶିତ କରିବା ନିମନ୍ତେ  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପରିକଳ୍ପନାକୁ ଏହି ପୁନର୍ବିକାଶ ପ୍ରତିଫଳିତ କରୁଛି।

ପ୍ରାୟ ୨୫.୬୬ କୋଟି ଟଙ୍କା ବ୍ୟୟ ଅଟକଳରେ ପୁନର୍ବିକଶିତ ଏହି ଷ୍ଟେସନରେ ଯାତ୍ରୀମାନଙ୍କ ସୁବିଧା, ଆରାମ ଓ ସହଜ ଯାତାୟାତ ପାଇଁ ବିଭିନ୍ନ ଉନ୍ନତ ଭିତ୍ତିଭୂମି ଓ ଆଧୁନିକ ଯାତ୍ରୀ ସୁବିଧାମାନ ଉପଲବ୍ଧ କରାଯାଇଛି। ଷ୍ଟେସନରେ ୧,୦୧୧ ବର୍ଗ ମିଟର ପରିମିତ ଏକ ନୂତନ ଷ୍ଟେସନ ଭବନ ନିର୍ମାଣ କରାଯାଇଥିବାବେଳେ ୪,୮୭୪ ବର୍ଗ ମିଟର ପରିମିତ ଅଞ୍ଚଳରେ ସର୍କୁଲେଟିଂ ଏରିଆର ଉନ୍ନତିକରଣ କରାଯାଇଛି। ଏଥିସହିତ ଯାତ୍ରୀ ଓ ଯାନବାହନର ସୁବିଧା ପାଇଁ ପ୍ରାୟ ୨,୬୪୦ ବର୍ଗ ମିଟର ପରିମିତ ପାର୍କିଂ ଅଞ୍ଚଳର ବିକାଶ କରାଯାଇଛି।

୧୨ ମିଟର ଚଉଡ଼ା ବିଶିଷ୍ଟ ଫୁଟ୍ ଓଭର ବ୍ରିଜ୍ ନିର୍ମାଣ

ଷ୍ଟେସନର ପ୍ରମୁଖ ଉନ୍ନତିକରଣ କାର୍ଯ୍ୟ ମଧ୍ୟରେ ୧୨ ମିଟର ଚଉଡ଼ା ବିଶିଷ୍ଟ ଫୁଟ୍ ଓଭର ବ୍ରିଜ୍ ନିର୍ମାଣ, ୧,୬୪୦ ବର୍ଗ ମିଟର ପରିମିତ ପ୍ଲାଟଫର୍ମର ଉନ୍ନତ ଫ୍ଲୋରିଂ ଏବଂ ୨୮ଟି ବେ ସମ୍ବଳିତ ପ୍ଲାଟଫର୍ମ ସେଲ୍ଟର ନିର୍ମାଣ ଅନ୍ତର୍ଭୁକ୍ତ। ଏହା ଯାତ୍ରୀମାନଙ୍କୁ ଖରା ଓ ବର୍ଷାରୁ ସୁରକ୍ଷା ସହିତ ଅଧିକ ସୁବିଧା ଓ ଆରାମ ପ୍ରଦାନ କରିବ।

Also Read: SI ପରୀକ୍ଷା ପାଇଁ ତାରିଖ ଘୋଷଣା, ଜାଣନ୍ତୁ ହେବ କେବେ

ଯାତ୍ରୀ ସୁବିଧାକୁ ଆହୁରି ବୃଦ୍ଧି କରିବା ପାଇଁ ପ୍ରାୟ ୧୫୦ ବର୍ଗ ମିଟର ପରିମିତ ସ୍ଥାନରେ ପ୍ରତୀକ୍ଷାଳୟ ଏବଂ ୧୫୧.୫୮ ବର୍ଗ ମିଟର ପରିମିତ ସ୍ଥାନରେ ଉନ୍ନତ ଶୌଚାଳୟ ସୁବିଧା ବିକଶିତ କରାଯାଇଛି। ଏହାଦ୍ୱାରା ଯାତ୍ରୀମାନଙ୍କ ପାଇଁ ଅଧିକ ସୁବିଧାଜନକ ପ୍ରତୀକ୍ଷା ବ୍ୟବସ୍ଥା ସହିତ ଉନ୍ନତ ମୌଳିକ ସୁବିଧା ଉପଲବ୍ଧ ହୋଇପାରିବ।

ଯାତ୍ରୀମାନଙ୍କୁ ଉନ୍ନତ ସୂଚନା ଓ ମାର୍ଗଦର୍ଶନ ପ୍ରଦାନ ପାଇଁ ଷ୍ଟେସନରେ ଉନ୍ନତ ଆଲୋକୀକରଣ, ସାଇନେଜ୍ ଏବଂ କୋଚ୍ ସୂଚନା ବୋର୍ଡ ବ୍ୟବସ୍ଥା କରାଯାଇଛି। ଏଥିସହିତ ମୋବାଇଲ୍ ଚାର୍ଜିଂ ପଏଣ୍ଟ, ପ୍ଲାଟଫର୍ମରେ ପଙ୍ଖା ଏବଂ ପାନୀୟ ଜଳ ସୁବିଧା ମଧ୍ୟ ଉପଲବ୍ଧ କରାଯାଇଛି।

ଦିବ୍ୟାଙ୍ଗଜନ ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ବିଶେଷ ସୁବିଧା

ଦିବ୍ୟାଙ୍ଗଜନ ଏବଂ ବରିଷ୍ଠ ନାଗରିକଙ୍କ ସୁବିଧା ପ୍ରତି ବିଶେଷ ଗୁରୁତ୍ୱ ଦିଆଯାଇଛି। ଷ୍ଟେସନରେ ମାନକ ରାମ୍ପ, ଟାକ୍ଟାଇଲ୍ ପାଥୱେ, ଦିବ୍ୟାଙ୍ଗଜନ ଅନୁକୂଳ ଶୌଚାଳୟ ଓ ଜଳ କେନ୍ଦ୍ର, ନିମ୍ନ ଉଚ୍ଚତା ବିଶିଷ୍ଟ ଟିକେଟ୍ କାଉଣ୍ଟର, ସ୍ୱତନ୍ତ୍ର ପାର୍କିଂ ଏବଂ ସହାୟତା କେନ୍ଦ୍ର ଭଳି ସୁବିଧା ଉପଲବ୍ଧ କରାଯାଇଛି। ଯାତ୍ରୀମାନଙ୍କ ସୁଗମ ଯାତାୟାତ ପାଇଁ ଲିଫ୍ଟ ବ୍ୟବସ୍ଥା ମଧ୍ୟ କରାଯାଉଛି।

Also Read: ୧୩ ମାସର ସର୍ବନିମ୍ନ ସ୍ତରକୁ ଖସିଲା ରୁପା ଦର: ଆଜି ୯ ହଜାର କମିଲା, ସୁନା ମୂଲ୍ୟ ୩ ହଜାରରୁ ଅଧିକ ଶସ୍ତା ହେଲା

ସମ୍ବଲପୁର ସିଟି ରେଳ ଷ୍ଟେସନର ଏହି ପୁନର୍ବିକାଶ ଆଧୁନିକ ଭିତ୍ତିଭୂମି ଓ ଉନ୍ନତ ଯାତ୍ରୀ ସୁବିଧା ଯୋଗାଇବା ସହିତ ଏହି ଅଞ୍ଚଳର ରେଳ ସଂଯୋଗୀକରଣକୁ ଆହୁରି ସୁଦୃଢ଼ କରିବ। ଏହାଦ୍ୱାରା ଯାତ୍ରୀମାନେ ଅଧିକ ସୁବିଧାଜନକ ଓ ଆରାମଦାୟକ ଯାତ୍ରା ଅନୁଭୂତି ପାଇପାରିବେ।

ଅମୃତ ଭାରତ ଷ୍ଟେସନ ଯୋଜନା ମାଧ୍ୟମରେ ଭାରତୀୟ ରେଳବାଇ ବିଭିନ୍ନ ରେଳ ଷ୍ଟେସନକୁ ଆଧୁନିକ ସୁବିଧା ଓ ଉନ୍ନତ ଯାତ୍ରୀ ସେବା ସହିତ ନୂତନ ରୂପ ପ୍ରଦାନ କରୁଛି। ଏହାଦ୍ୱାରା ଯାତ୍ରୀମାନଙ୍କ ପାଇଁ ଉନ୍ନତ ସୁବିଧା ଓ ସୁଗମ ଯାତାୟାତ ବ୍ୟବସ୍ଥା ସୁନିଶ୍ଚିତ ହେବା ସହିତ ସମ୍ପୃକ୍ତ ଅଞ୍ଚଳର ସାମଗ୍ରିକ ବିକାଶକୁ ମଧ୍ୟ ଗତି ମିଳିବ ।