ଭୁବନେଶ୍ୱର: ଦାବି ପୂରଣ ନହେବାରୁ ବିଦ୍ୟୁତ ଠିକା କର୍ମଚାରୀଙ୍କ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ଦିନତମାମ ଟାୱାର ଉପରେ ଚଢ଼ି ପ୍ରତିବାଦ କରିବା ପରେ ସନ୍ଧ୍ୟାରେ ଅଭିନବ ଢଙ୍ଗରେ ଆନ୍ଦୋଳନ କରିଛନ୍ତି କର୍ମଚାରୀ। ଲୋୟର ପିଏମ୍ଜିରେ କ୍ୟାଣ୍ଡେଲ ଜାଳିବା ସହ ଶହ ଶହ ମୋବାଇଲ ଫୋନର ଟର୍ଚ୍ଚ ଲାଇଟ୍ ଜଳାଇ ନିଜର ଦାବି ଜଣାଇଛନ୍ତି।

ଆନ୍ଦୋଳନକାରୀମାନେ ଟାଟା ପାୱାର ଏବଂ ଏହାର ବିଭିନ୍ନ ଏଜେନ୍ସି ବିରୋଧରେ ନାରାବାଜି କରିବା ସହ 'ଟାଟା ହଟାଅ' ଦାବି ଉଠାଇଛନ୍ତି। ଅନ୍ୟପଟେ ଟାୱାର ଉପରେ ଚଢ଼ି ପ୍ରତିବାଦ କରୁଥିବା କର୍ମଚାରୀଙ୍କ ସହ ଆନ୍ଦୋଳନକାରୀ ସଂଗଠନ ପକ୍ଷରୁ ଯୋଗାଯୋଗ କରାଯାଇଛି। ସେମାନଙ୍କୁ ମୋବାଇଲ ଫୋନ୍ ଯୋଗେ ବୁଝାଇବା ସହ ସୁରକ୍ଷିତ ଭାବେ ତଳକୁ ଓହ୍ଲାଇ ଆସିବାକୁ ଅନୁରୋଧ କରାଯାଇଛି।

Also Read: ଛାଡ଼ଖାଇରେ ବୋହିନେଲେ ଟନ ଟନ ମଟନ , ଚିକେନ, ମାଛ , କଙ୍କଡା ଓ ଚିଙ୍ଗୁଡି; ୧୦କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଆମିଷ ବିକ୍ରି

ଅନେକ ଦିନ ଧରି ଖରା ଏବଂ ବର୍ଷା ପ୍ରତିକୂଳ ପାଗକୁ ଖାତିର ନ କରି ଲୋୟର ପିଏମଜିରେ ଆନ୍ଦୋଳନ ଚଳାଇଛନ୍ତି ବିଦ୍ୟୁତ ଠିକା କର୍ମଚାରୀ। ସେମାନେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ପ୍ରତି ସରକାରଙ୍କ ପକ୍ଷରୁ ଅଣଦେଖା କରାଯାଉଛି। ଲୋୟର ପିଏମଜିରେ ଚାଲିଥିବା ଏହି ଆନ୍ଦୋଳନ ଏତିକିରେ ଥମିବ ନାହିଁ ବୋଲି କର୍ମଚାରୀମାନେ ସ୍ପଷ୍ଟ କରିଛନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆଗକୁ ମଧ୍ୟ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ କହିଛନ୍ତି।