ପୁରୀ: ଗତକାଲି ନିଳାଦ୍ରୀ ବିଜେ ସହ ଶେଷ ହୋଇଛି ଘୋଷଯାତ୍ରାର ସମସ୍ତ ପର୍ଯ୍ୟାୟ। ମହାପ୍ରଭୁ ଏବେ ରତ୍ନବେଦୀରେ ଆସିନ ହୋଇଥିବା ବେଳେ ପୁଣିଥରେ ଦୈନନ୍ଦୀନ ନୀତି କାନ୍ତି ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି। ତେବେ ଆଜି ଶ୍ରୀମନ୍ଦିରରୁ ବାହାରିଛି ନୀଳାଚଳ ଅବଢା। ଭକ୍ତମାନେ ନୀଳାଚଳ ଅବଢ଼ା ପାଇ କୃତାର୍ଥ ଅର୍ଜନ କରିଛନ୍ତି। ଏପଟେ ଘୋଷଯାତ୍ରା ସରିଥିବାରୁ ଆଜି ତିନି ରଥ ଫିଟାଇବା କାର୍ଯ୍ୟ ଭୋଇ ସେବାୟତ ମାନେ ଆରମ୍ଭ କରିଛନ୍ତି।

ନିଳାଦ୍ରୀ ବିଜେରେ ଶ୍ରୀମନ୍ଦିର ଫେରିଥିବା ମହାପ୍ରଭୁଙ୍କର ଆରମ୍ଭ ହୋଇଯାଇଛି ପୁଣି ଲୀଳାଖେଳା। ଗତକାଲି ମହାପ୍ରଭୁଙ୍କ ପହଣ୍ଡି ଶେଷ ହେବା ପରେ ବିଳମ୍ବିତ ରାତିରେ ରୁନ୍ଧା କାର୍ଯ୍ୟ ଶେଷ କରାଯାଇଥିଲା। ସକାଳ ୧୦ ଟା ୫୦ ରେ କୋଠସୁଆଁସିଆ ମାନେ ଚାରମାଳ ଖୋଲିବା କାର୍ଯ୍ୟ ସାରିବା ପରେ ମହାପ୍ରଭୁଙ୍କର ମଙ୍ଗଳ ଆଳତୀ, ଅବକାଶ, ଗୋପାଳ ବଲ୍ଲଭ ଭୋଗ ପରେ ସକାଳ ଧୂପରେ ବାହାରିଥିଲା ନୀଳାଚଳ ଅବଢା। ଦୀର୍ଘଦିନ ପରେ ଶ୍ରୀମନ୍ଦିରରୁ ମହାପ୍ରସାଦ ବାହାରି ଥିବାରୁ ଭକ୍ତ ଓ ସେବାୟତଙ୍କ ମଧ୍ୟରେ ବେଶ୍ ଉତ୍ସାହ ପ୍ରକ୍ରାଶ ପାଇଛି।

Also Read: ରାଜ୍ୟରେ ବର୍ଷାର ଲହର ; ସତର୍କ ରହିବାକୁ ନିର୍ଦ୍ଦେଶ, ୫ ଜିଲ୍ଲାରେ ସ୍କୁଲ୍ ଛୁଟି

ଦୀର୍ଘ ଏକମାସ ପରେ ଆଜି ଚଳଚଞ୍ଚଳ ହୋଇଛି ଶ୍ରୀମନ୍ଦିର। ହଜାର ହଜାର ଭକ୍ତ ଶ୍ରୀମନ୍ଦିର ଯାଇ ରତ୍ନ ସିଂହାସନରେ ମହାପ୍ରଭୁଙ୍କ ଦର୍ଶନ ସହ ପ୍ରଥମ ନୀଳାଚଳ ଅବଢା ପାଇଛନ୍ତି। ସେପଟେ ଘୋଷଯାତ୍ରା ଶେଷ ପରେ ଆଜି ଠାରୁ ରଥ ଫିଟାଇବା କାର୍ଯ୍ୟ ଆରମ୍ଭ ହୋଇଛି। ଭୋଇ ସେବକ ମାନେ ତିନି ରଥରେ ଥିବା ପାର୍ଶ୍ବ ଦେବାଦେବୀ, ଘୋଡା, ସାରଥି ଗୁଡିକୁ ଖୋଲିଥିଲେ। ରଥର ଏହି ଅଂଶ ଗୁଡିକ ପ୍ରତ୍ୟେକ ବର୍ଷ ନିର୍ମାଣ ହେଉନଥିବାରୁ ଏଗୁଡିକୁ ସୁରକ୍ଷିତ ଭାବେ ଗୁଣ୍ଡିଚା ଘର ଓ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରଖାଯାଏ। ରଥର ଅନ୍ୟ ମୁଖ୍ୟ ଅଂଶ ଗୁଡିକ ପ୍ରଶାସନର ନିର୍ଦ୍ଦେଶ ଆସିବା ପରେ ଖୋଲାଯିବ।

ଆଜି ନୀତି କାନ୍ତି ରେ ଅହେତୁକ ବିଳମ୍ବ ହୋଇଥିଲେ ମଧ୍ୟ ଶ୍ରୀମନ୍ଦିରରେ ଭକ୍ତ ମାନେ ନିଜ ପରିବାର ଓ ବନ୍ଧୁ ମାନଙ୍କ ସହ ରତ୍ନ ସିଂହାସନରେ ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ କରିବା ସହ ଆନନ୍ଦ ବଜାରରେ ମହାପ୍ରସାଦ ସେବନ କରି ବେଶ୍ ଆନନ୍ଦିତ ହୋଇଛନ୍ତି।