ଭୁବନେଶ୍ୱର : ରାଜ୍ୟରେ ବର୍ଷାର ଲହର ଜାରି ରହିଛି। ତୁହାକୁ ତୁହା ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। କିଛି ଦିନ ହେବ ଜାରି ରହିଥିବା ଅବିଶ୍ରାନ୍ତ ବର୍ଷା ଯୋଗୁଁ ସାଧାରଣ ଜନଜୀବନ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି। ଗଭୀର ଅବପାତଜନିତ ପ୍ରବଳ ବର୍ଷା ଆଶଙ୍କା ନେଇ ସ୍ଥିତି ମୁକାବିଲା ପାଇଁ ସରକାରୀ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ବୈଠକରେ ଜିଲ୍ଲା ଭିଭିକ ପ୍ରସ୍ତୁତିର ଆକଳନ ହୋଇଛି। ସବୁ ଜିଲ୍ଲା ପ୍ରଶାସନ ୨୪ ଘଣ୍ଟା ଆଲର୍ଟରେ ରହିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ଯୋଗୁ ବାଲେଶ୍ବର, ଭଦ୍ରକ , ମୟୂରଭଞ୍ଜ , କେନ୍ଦୁଝର, ସମ୍ବଲପୁର ଏବଂ ବୌଦ୍ଧରେ ସମସ୍ତ ସ୍କୁଲ ଏବଂ ଅଙ୍ଗନୱାଡ଼ି ଛୁଟି ଘୋଷଣା କରାଯାଇଛି।

 Also Read- ଛାଡି଼ବନି ବର୍ଷା, ଫୁଲୁଛି ସବୁ ନଦୀ ! ୨୪ ଘଣ୍ଟା ସତର୍କ ରହିବାକୁ ଏହି ଜିଲ୍ଲାକୁ ଆଲର୍ଟ

ରାଜ୍ୟରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଆଗାମୀ ଦୁଇଦିନ ଧରି ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପାଣିପାଗ ପୂର୍ବାନୁମାନ କରାଯାଇଛି। ଆସନ୍ତା ୨୪ ଘଣ୍ଟା ପାଇଁ ବରଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା ୪ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂଜାରି କରାଯାଇଥିବା ବେଳେ ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ପ୍ରକୃତିର କୋପ ସାମ୍ନାରେ ଆଗାମୀ ୪୮ ଘଣ୍ଟା ଓଡ଼ିଶା ପାଇଁ କ୍ରୁସିଆଲ୍ ସମୟ। ତେଣୁ ସତର୍କତା ହିଁ ଏକମାତ୍ର ସୁରକ୍ଷା। ନଦୀ କୂଳିଆ ଅଞ୍ଚଳ ଓ ତଳିଆ ଅଞ୍ଚଳରେ ରହୁଥିବା ଲୋକେ ପ୍ରଶାସନର ପରାମର୍ଶ ମାନନ୍ତୁ, ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ ହେବାକୁ ନିବେଦନ କରାଯାଇଛି।

ସେପଟେ ଗଭୀର ଅବପାତ ପ୍ରଭାବରେ ବାଲେଶ୍ୱରରେ ପ୍ରବଳ ବର୍ଷା ଜାରି ରହିଛି। ସକାଳ ସାଢ଼େ ୮ଟା ସୁଦ୍ଧା ୨୪୬.୬ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଲଗାଣ ବର୍ଷାରେ ସହରର ମୁଖ୍ୟ ରାସ୍ତା ବୁଡ଼ି ଯାଇଛି।