ପୁରୀ ୧୪।୦୭ : ଆଜି ପବିତ୍ର ନବଯୌବନ ଦର୍ଶନ। ୧୫ ଦିନ ଧରି ଅଣସରରେ ଥିବା ମହାପ୍ରଭୁ ଆଜି ନବଯୌବନ ପ୍ରାପ୍ତି ହୋଇ ଦର୍ଶନ ଦେବାର ପରମ୍ପରା ରହିଛି। ତେବେ ଏହା ପୂର୍ବରୁ ଆଜି ଖଡ଼ି ପ୍ରସାଦ ବିଜେ ସହ ବନକଲାଗି ନୀତି ଅନୁଷ୍ଠିତ ହେବା ପରେ ମହାପ୍ରଭୁ ନବଯୌବନ ରୂପରେ ଦର୍ଶନ ଦେବେ। ଘଣ୍ଟ, ଛତା, କାହାଳୀ ସହିତ ପଟୁଆର ରେ ଗଜପତିଙ୍କ ଶ୍ରୀନଅରକୁ ଖଡ଼ି ପ୍ରସାଦ ବିଜେ ହେବ। ମହାପ୍ରଭୁଙ୍କୁ ଲାଗି ହୋଇଥିବା ଖଡ଼ି ପ୍ରସାଦ ଦଇତାପତି ଙ୍କ ସହ ଦତ୍ତମହାପାତ୍ର ସେବକମାନେ ରୂପା ଥାଳିରେ ଆଣି ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତିଙ୍କ ଶ୍ରୀନଅର କୁ ଆସି ପ୍ରସାଦ ଅର୍ପଣ କରିବାର ପରମ୍ପରା ରହିଛି।

ତେବେ ସୁସ୍ଥ ହୋଇଥିବା ଶ୍ରୀବିଗ୍ରହମାନଙ୍କୁ ଆଜି ଦତ୍ତମହାପାତ୍ର ସେବକ ମାନେ ବନକ ଲାଗି ନୀତି ସମ୍ପାଦନ କରିବା ପରେ ନବଯୌବନ ରୂପରେ ଦର୍ଶନ ଦେବେ ମହାପ୍ରଭୁ। ପାରମ୍ପରିକ ରଙ୍ଗ, ହିଙ୍ଗୁଳ, ହରିତାଳ, କସ୍ତୁରୀ, କର୍ପୁର ଇତ୍ୟାଦି ବ୍ୟବହାର କରାଯାଇ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ନୀତି କରାଯାଇଥାଏ। ନୂତନ ରୂପ ପାଇଥିବା ମହାପ୍ରଭୁ ଆଜି ୧୫ ଦିନର ବିରତି ପରେ ଦର୍ଶନ ଦେବେ। ମଙ୍ଗଳା ଆଳତି ଓ ଅବକାଶ ନୀତି ପରେ ପରମାଣିକ ବା ଟିକେଟ ଦର୍ଶନ ହେବା ପରେ ସର୍ବସାଧାରଣ ଦର୍ଶନ ଅନୁଷ୍ଠିତ ହେବ।

Also Read:-ବଙ୍ଗୋପସାଗରରେ ଲଘୁଚାପ : ୧୭ ପର୍ଯ୍ୟନ୍ତ ସମୁଦ୍ରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ନିର୍ଦ୍ଦେଶ

ସେହିପରି ଶ୍ରୀମନ୍ଦିର ପ୍ରଶାସନର ସୂଚନା ଅନୁଯାୟୀ ଦିନ ୨ଟା ୩୦ରୁ ୩ଟା ୩୦ ଯାଏଁ ପରମାଣିକ ଟିକେଟ ଏବଂ ୩ଟା ୩୦ ରୁ ୪ ଟା ୩୦ ଯାଏଁ ସର୍ବସାଧାରଣ ଦର୍ଶନ ଅନୁଷ୍ଠିତ ହେବ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ ସହ ଅଭିଜ୍ଞ ପୋଲିସ ଅଧିକାରୀ ଦାୟିତ୍ଵରେ ରହିଛନ୍ତି।