ବୌଦ୍ଧ: ମହାନଦୀରେ ମଣିଷ-କୁମ୍ଭୀର ଯୁଦ୍ଧ। ଦେଢ଼ ଘଣ୍ଟାର ଭୟଙ୍କର ଲଢ଼େଇ । ପ୍ରତି ମୁହୂର୍ତ୍ତରେ ମୃତ୍ୟୁର ଭୟ, ଆଉ ପ୍ରତି ସେକେଣ୍ଡରେ ଜୀବନ ବଞ୍ଚାଇବାର ସଂଘର୍ଷ । କୁମ୍ଭୀର ଜାବୁଡ଼ି ଧରିଥିଲା ଗୋଡ଼, ପାଣି ଭିତରକୁ ଘୋଷାଡ଼ି ନେଉଥିଲା । ହେଲେ ହାର ମାନିନଥିଲେ ଯୁବକ । ଗଛ ଡାଳକୁ ଜାବୁଡ଼ି ଧରି ଚିତ୍କାର କରୁଥିଲେ ଜୀବନ ବଞ୍ଚାଇବା ପାଇଁ । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମାରଡ଼ା ଘାଟରେ ଘଟିଛି ଏଭଳି ଛାତିଥରା ଘଟଣା।

ମହାନଦୀରେ ଗାଧୋଉଥିବା ବେଳେ ଯୁବକଙ୍କ ବାମ ଗୋଡ଼କୁ ଜାବୁଡ଼ି ଧରିଥିଲା ଏକ ଗୋମୁହାଁ କୁମ୍ଭୀର । କିଛି ବୁଝିବା ଆଗରୁ ଯୁବକଙ୍କୁ ପାଣି ଭିତରକୁ ଘୋଷାଡ଼ି ନେଇଥିଲା କୁମ୍ଭୀର । ମୃତ୍ୟୁ ସହ ଲଢ଼ୁଥିବା ବେଳେ ଯୁବକଙ୍କ ହାତରେ ପଡ଼ିଥିଲା ନଦୀ ଭିତରେ ଥିବା ଏକ ଗଛର ଡାଳ। ଜୀବନ ବଞ୍ଚାଇବାକୁ ସେ ଡାଳକୁ ଜାବୁଡ଼ି ଧରି ଜୋରରେ ଚିତ୍କାର କରିଥିଲେ । ଆଉ ପ୍ରାଣ ବଞ୍ଚାଇବା ପାଇଁ ଆରମ୍ଭ ହୋଇଥିଲା ଦେଢ଼ ଘଣ୍ଟାର ଭୟଙ୍କର ସଂଘର୍ଷ ।

ସୁଧୀର ବେହେରାଙ୍କ ଚିତ୍କାର ଶୁଣି ଘଟଣାସ୍ଥଳରେ ପହଞ୍ଚିଥିଲେ ତାଙ୍କ ସମ୍ପର୍କୀୟ ଭାଇ ତଥା ଲଞ୍ଚ ଡ୍ରାଇଭର ଛବିନ୍ଦ୍ର ବେହେରା । ପାଣି ଭିତରେ ଭାଇଙ୍କୁ କୁମ୍ଭୀର କବଳରେ ଛଟପଟ ହେଉଥିବା ଦେଖି ସେ ଭୟଭୀତ ହୋଇନଥିଲେ। ସ୍ଥାନୀୟ ପ୍ରମୋଦ ପ୍ରଧାନଙ୍କୁ ଖବର ଦେବା ପରେ ଉଭୟେ ପାଣି ଭିତରକୁ ପଶିଥିଲେ ।

ଜୀବନକୁ ବିପଦରେ ପକାଇ ଦୁଇ ଜଣ ମିଶି କୁମ୍ଭୀର କବଳରୁ ସୁଧୀରଙ୍କୁ ଉଦ୍ଧାର କରିଥିଲେ। ଦୀର୍ଘ ସମୟର ଲଢ଼େଇ ପରେ ଶେଷରେ କୁମ୍ଭୀର ମୁହଁରୁ ମୁକୁଳିଥିଲେ ସୁଧୀର। ଉଦ୍ଧାର ପରେ ସୁଧୀରଙ୍କୁ ମହାନଦୀ ବନ୍ୟପ୍ରାଣୀ ବନାଞ୍ଚଳର ଗାଡ଼ିରେ ପୁରୁଣାକଟକ ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ତାଙ୍କ ଅବସ୍ଥା ଗୁରୁତର ହେବାରୁ ପରେ ତାଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

also read- କାହାକୁ ଜିତାଇବେ ଗାଁ ଭୋଟର୍ ? ପଞ୍ଚାୟତ ନିର୍ବାଚନ ପାଇଁ ସଜବାଜ, ବଳ କଷାକଷି ହେଲେଣି ତିନି ଦଳ

ମହାନଦୀରେ ଗୋଟିଏ ପଟେ ମୃତ୍ୟୁ ସହ ଦେଢ଼ ଘଣ୍ଟାର ଲଢ଼େଇ, ଅନ୍ୟପଟେ ଭାଇକୁ ବଞ୍ଚାଇବା ପାଇଁ ସମ୍ପର୍କୀୟ ଭାଇଙ୍କ ସାହସ । ମହାନଦୀର ଉଗ୍ର ସ୍ରୋତ ଓ କୁମ୍ଭୀରର ଆକ୍ରମଣ ଭିତରେ ଦୁଇ ଭାଇଙ୍କ ସାହସ ଶେଷରେ ଜିତିଲା । ମାରଡ଼ା ଘାଟର ଏହି ଘଟଣା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ମହାନଦୀରେ ଏଭଳି କୁମ୍ଭୀର ଆତଙ୍କ ଆଗକୁ ଯେପରି ଆଉ କୌଣସି ଜୀବନ ନନେଉ, ସେଥିପାଇଁ ସତର୍କତା ଓ ପଦକ୍ଷେପ ଏବେ ଜରୁରୀ।