ଭୁବନେଶ୍ୱର, ୦୫/୧୦: ଆଗକୁ ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ଏ ନେଇ ବିଧିବଦ୍ଧ ଭାବେ ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ସବୁ ରାଜ୍ୟ ରାଜନୀତି ବେଶ୍ ସରଗରମ ହୋଇପଡ଼ିଛି। ପଞ୍ଚାୟତ ନିର୍ବାଚନରେ ବାଜିମାତ୍ କରିବାକୁ ଶାସକ ବିଜେପିଠୁ ଆରମ୍ଭ କରି ମୁଖ୍ୟ ବିରୋଧୀ ଦଳ ବିଜେଡି ଓ ଜାତୀୟ ଦଳ କଂଗ୍ରେସ ଜୋରଦାର କସରତ ଆରମ୍ଭ କରିଛନ୍ତି । ଯେମିତି ହେଉ ନିର୍ବାଚନ ଜିତିବାକୁ ଏବେଠୁ ରଣନୀତି ପ୍ରସ୍ତୁତ କରିବାରେ ମାତିଲେଣି। କିଏ ଶୋଭାଯାତ୍ରା କଲାଣି ତ କିଏ ସମାବେଶ। କେଉଁ ଦଳ ଅଧିକ ପଞ୍ଚାୟତ ଦଖଲ କରିବ,ସେ ନେଇ ପ୍ରତିଦିନ ଘନ ଘନ ବୈଠକ କରିବା ସହିତ ତର୍ଜମା ଆରମ୍ଭ କଲେଣି। ଦଳୀୟ କାର୍ଯ୍ୟାଳୟଗୁଡ଼ିକରେ ଏବେଠୁ ଗହଳି ଦେଖିବାକୁ ମିଳିଲାଣି।

Also Read :-ଭାରତ ବଢାଉଛି ପରମାଣୁ ଶକ୍ତି : ରହିଛି ଏତେ ଆଣବିକ ଅସ୍ତ୍ର, ଆଗକୁ ପାକିସ୍ତାନ ସହ ହେବ କି ଯୁଦ୍ଧ ?

ଦ୍ଵିତୀୟ ଥର ବିଜେପି ରାଜ୍ୟ ପ୍ରଭାରୀ ଭାବେ ନିଯୁକ୍ତ ହୋଇଥିବା ଡି.ପୁରନ୍ଦେଶ୍ୱରୀ ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ,ରାଜ୍ୟ ମନ୍ତ୍ରୀମଣ୍ଡଳର ସଦସ୍ୟଗଣ ଓ ଦଳର କର୍ମୀମାନଙ୍କୁ ଭେଟିଛନ୍ତି। ଦଳକୁ ଆଗକୁ କେମିତି ମଜଭୁତ କରାଯିବ ସେ ନେଇ ଆଲୋଚନା ହୋଇଥିବା ସୂଚନା ଦେଇଛନ୍ତି। ତାଙ୍କ ଗସ୍ତ ବେଳେ ରାଜ୍ୟ ବିଜେପି ପଞ୍ଚାୟତ ନିର୍ବାଚନ ଜିତିବାକୁ ଖସଡ଼ା ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ବର୍ତ୍ତମାନ ଦଳର ନେତାଙ୍କ ମନୋଭାବ କିପରି ରହିଛି ତା'ଉପରେ ପ୍ରଭାରୀ ଆଲୋଚନା କରିଥିବା କହିଛନ୍ତି। ଦଳ କେମିତି ଆଗକୁ ଯିବ ତା ଉପରେ ବିଶେଷ ଗୁରୁତ୍ବ ଦିଆଯାଉଥିବା ପୁରନ୍ଦେଶ୍ୱରୀ କହିଛନ୍ତି।

ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ କହିଛନ୍ତି ଯେ ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡି ସବୁବେଳେ ପ୍ରସ୍ତୁତ। କାରଣ ଆମ ଦଳ ସବୁବେଳେ ଗ୍ରାଉଣ୍ଡରେ ରହେ । ଲୋକଙ୍କ ସେବାରେ ଆମେ ଅଛୁ । ପଞ୍ଚାୟତ ନିର୍ବାଚନ ଆସିଲେ ସବୁ ସ୍ପଷ୍ଟ ହେବ। ବିଜେପିର ପ୍ରଭାରୀ ବୈଠକରେ ସହଜ ସ୍ଥିତି ନ ଥିବା କହିଛନ୍ତି ଶ୍ରୀ ଦାସ। ବିଜେପି ନିଜେ ଆତଙ୍କିତ ଅଛି। ଜେନ୍-ଜି କାହା ସପକ୍ଷରେ ଅଛତି ବିଜେପିକୁ ବୁଝେଇବାକୁ ପଡ଼ିବନି। ଜେନ୍-ଜିଙ୍କୁ ମନେଇବା ଚେଷ୍ଟା କାମ ଦେବନି ବୋଲି ସେ କହିଛନ୍ତି।

ଅପରପକ୍ଷେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି,ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସ ସମ୍ପୂର୍ଣ୍ଣ ପ୍ରସ୍ତୁତ। ସବୁ ରାଜନୈତିକ ଦଳ ନିଜ ନିଜ କାମ କରୁଛନ୍ତି। ବିଜେପି ତଳକୁ ଖସୁଛି। ଅଢେଇ ବର୍ଷ ଭିତରେ କିଛି କାମ କରିନାହାନ୍ତି । ତାଙ୍କ ପରିସ୍ଥିତି ଭଲ ନାହିଁ । ବିଜେଡି ଏବେ ନିର୍ବାଚନ ଲଢ଼ିବା ପରିସ୍ଥିତିରେ ନାହିଁ । ଲୋକେ ତାଙ୍କୁ ଚାହୁଁ ନାହାନ୍ତି। ଏପଟେ ରାଜ୍ୟରେ କଂଗ୍ରେସର ଗ୍ରହଣୀୟତା ବଢିଛି। ଦଳର ସବୁ କାର୍ଯ୍ୟକ୍ରମରେ ହଜାର ହଜାର ଲୋକ ଆସୁଛନ୍ତି। ବର୍ତ୍ତମାନ ସବୁ ପ୍ରସଙ୍ଗରେ କଂଗ୍ରେସ ଲୋକଙ୍କ ସ୍ୱର ପାଲଟିଛି। ଆସନ୍ତା ପଞ୍ଚୟତ ନିର୍ବାଚନରେ କଂଗ୍ରେସ ହିଁ ଜିତିବ। ଡବଲ ଇଞ୍ଜିନ ବିରୋଧରେ ଜେନ୍ ଜି ଲଢେଇ କରୁଛନ୍ତି । ରାହୁଲ ଗାନ୍ଧୀଙ୍କ ସହ ଜେନ୍ ଜି ଅଛନ୍ତି। ନିର୍ବାଚନରେ ଏମଏମଡିଆର୍ ଆଇନ ପ୍ରତ୍ୟାହାରକୁ ନେଇ ମୁଖ୍ୟ ପ୍ରସଙ୍ଗ କରାଯିବ ବୋଲି ଜୟଦେବ କହିଛନ୍ତି ।