ଚେନ୍ନାଇ: ମାଡ୍ରାସ ହାଇକୋର୍ଟ ହିନ୍ଦୁ ମନ୍ଦିରମାନଙ୍କରେ ହେଉଥିବା ‘ଭିଆଇପି ଦର୍ଶନ’କୁ ସମ୍ପୂର୍ଣ୍ଣ ଭୁଲ ଓ ଭେଦଭାବପୂର୍ଣ୍ଣ ବୋଲି କହିଛନ୍ତି। କୋର୍ଟ ତର୍କ ଦେଇଛନ୍ତି ଯେ ଚର୍ଚ୍ଚ ଓ ମସଜିଦମାନଙ୍କରେ ଏପରି କୌଣସି ପ୍ରଥା ନାହିଁ, ତେବେ ମନ୍ଦିରରେ ଏହା କାହିଁକି ପ୍ରଚଳିତ ବୋଲି ପ୍ରଶ୍ନ କରିଛନ୍ତି। ମାଡ୍ରାସ ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ଜି.ଆର.ସ୍ୱାମୀନାଥନ ଓ ଜଷ୍ଟିସ୍ ଭି.ଲକ୍ଷ୍ମୀନାରାୟଣଙ୍କ ଅବକାଶ କାଳୀନ ପୀଠ କହିଛନ୍ତି ଯେ ମନ୍ତ୍ରୀ ଓ ବିଧାୟକ ଯେ କୌଣସି ସମୟରେ ମନ୍ଦିରକୁ ଯାଇ ପାରିବେ ସେପରି ଭାବିବା ଉଚିତ ନୁହେଁ। ଭଗବାନଙ୍କ ଦୃଷ୍ଟିରେ ସମସ୍ତେ ସମାନ ହୋଇଥିବା ବେଳେ ଭିଆଇପି ଦର୍ଶନର ଆବଶ୍ୟକତା କ’ଣ ବୋଲି ପୀଠ ପ୍ରଶ୍ନ କରିଛନ୍ତି।

କୋର୍ଟ ମାମଲାରେ ସରକାରଙ୍କ ତର୍କକୁ ବି ଖାରଜ କରିଦେଇଛନ୍ତି ଯେଉଁଥିରେ ଭିଆଇପି ଦର୍ଶନ ବନ୍ଦ କଲେ ମନ୍ଦିରଙ୍କ ରାଜସ୍ୱ ଆୟ ହ୍ରାସ ହେବ ବୋଲି କୁହାଯାଇଥିଲା। କୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ ସାମ୍ବିଧାନିକ ପଦପଦବୀରେ ଥିବା ଲୋକେ, ବୟଷ୍କ ଓ ଦିବ୍ୟାଙ୍ଗଙ୍କୁ ବାଦ ଦେଲେ ସାଧାରଣ ଭକ୍ତଙ୍କ ମଧ୍ୟରେ ଏପରି ଭେଦଭାବ ତୁରନ୍ତ ବନ୍ଦ ହେବା ଦରକାର। ପୀଠ ଏକ ଜନସ୍ୱାର୍ଥ ମାମଲା ଯେଉଁଥିରେ ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଓ ସାମ୍ବିଧାନିକ ପଦପଦବୀରେ ଥିବା ଲୋକଙ୍କୁ ବାଦ ଦେଇ ‘ଭିଆଇପି ଦର୍ଶନ’ ଓ ‘ବିଶେଷ ଦର୍ଶନ’ପ୍ରଥାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଲାଗି ଦାବି ଦାବି କରାଯାଇଥିଲା ତା ଉପରେ ଶୁଣାଣି କରିଛନ୍ତି।

ବିଶ୍ୱ ହିନ୍ଦୁ ପରିଷଦ ଅଧିକାରୀ ପି.ଚୋକଲିଙ୍ଗମଙ୍କ ଦ୍ୱାରା ରୁଜୁ ଜନସ୍ୱାର୍ଥ ମାମଲାରେ ମାନବ ସଂସାଧନ ଓ ପରିବେଶ ସଂରକ୍ଷଣ ବିଭାଗ ଅନ୍ତର୍ଗତ ମନ୍ଦିରମାନଙ୍କରେ ପ୍ରଚଳିତ ଭିଆଇପି ଦର୍ଶନ ପ୍ରଥାକୁ ବନ୍ଦ କରିବାକୁ ଦାବି କରାଯାଇଛି। ତାଙ୍କ ଓକିଲ ବି.ଜଗନ୍ନାଥ କହିଛନ୍ତି ଯେ ବାଙ୍କେ ବିହାରୀ ମନ୍ଦିର ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ ଯେ ବିଶେଷ ଦର୍ଶନ ଓ ଭିଆଇପି ଧାଡ଼ି ବ୍ୟବସ୍ଥାକୁ ସମାପ୍ତ କରିବା ପାଇଁ ଏକ କମିଟି ଗଠନ କରାଯିବା ଦରକାର। ଏ ସମ୍ପର୍କରେ ସମିତି ଗତ ସପ୍ତାହରେ ସୁପ୍ରିମକୋର୍ଟରେ ଏକ ରିପୋର୍ଟ ପ୍ରସ୍ତୁତ କରିଥିଲା।

ଗତ ଶୁଣାଣିରେ ଅବକାଶ କାଳୀନ ପୀଠ ଏହା ଜାଣିବାକୁ ଉଦ୍ୟମ କରିଥିଲେ ଯେ ତିରୁପାରନକୁଣ୍ଡ୍ରମ ମନ୍ଦିରର ଅଧିକାରୀମାନେ ନୂଆ ମନ୍ତ୍ରୀ ଆର.ନିର୍ମଳ କୁମାର ଓ ତାଙ୍କ ସହଯୋଗୀଙ୍କ ଦର୍ଶନ ସୁନିଶ୍ଚିତ କରିବା ପାଇଁ ମନ୍ଦିରକୁ ନିର୍ଦ୍ଧାରିତ ସମୟରୁ ଅଧିକ ସମୟ ଖୋଲା ରଖି ନିୟମର କୌଣସି ଉଲ୍ଲଂଘନ କରିଥିଲେ କି ନା? ତେବେ ସରକାର କହିଛନ୍ତି ଯେ ମନ୍ତ୍ରୀଙ୍କ ଗସ୍ତ କାଳରେ କୌଣସି ଆଗମନ ନିୟମର ଉଲ୍ଲଂଘନ ହୋଇ ନାହିଁ। ଏହି ତର୍କକୁ ରେକର୍ଡ କରି ପୀଠ ଟିପ୍ପଣୀ କରିଛନ୍ତି ଯେ ମନ୍ତ୍ରୀ ଏହା ଭାବନ୍ତୁନି ସେମାନେ ଆଇନର ଊର୍ଦ୍ଧ୍ୱରେ ଓ ଦେବତା ସେମାନଙ୍କ ଅପେକ୍ଷା କରିବେ।