ନୂଆଦିଲ୍ଲୀ: ନିକୋଲାସ୍ ମାଦୁରୋ ଏବଂ ତାଙ୍କ ପତ୍ନୀ ସିଲିଆ ଫ୍ଲୋରେସଙ୍କ ଗିରଫଦାରୀ ପରେ, ବିରୋଧୀ ନେତା ଏବଂ ନୋବେଲ ଶାନ୍ତି ପୁରସ୍କାର ବିଜେତା ମାରିଆ କୋରିନା ମାଚାଡୋଙ୍କ ବୟାନ ସାରା ବିଶ୍ୱରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ବିରୋଧୀ ଦଳ ଭେନେଜୁଏଲାରେ କ୍ଷମତା ଦଖଲ କରିବାକୁ ସକ୍ଷମ ବୋଲି ସେ କହିଛନ୍ତି।

ସୋମବାର (୫ ଜାନୁଆରୀ, ୨୦୨୬) ଭେନେଜୁଏଲାର ଉପରାଷ୍ଟ୍ରପତି ଡେଲସି ରୋଡ୍ରିଗେଜ ଅନ୍ତରୀଣ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ। ଶନିବାର (୩ ଜାନୁଆରୀ, ୨୦୨୬) ଟ୍ରମ୍ପ ମାଚାଡୋଙ୍କ ସହ କାମ କରିବାକୁ ମନା କରି କହିଥିଲେ ଯେ, ତାଙ୍କର ଦେଶ ଭିତରେ ସମର୍ଥନ କିମ୍ବା ସମ୍ମାନ ନାହିଁ। ଆମେରିକା ରାଷ୍ଟ୍ରପତିଙ୍କ ବୟାନ ପରେ, ମାଚାଡୋ ଏବେ ଟ୍ରମ୍ପଙ୍କୁ ମନାଇବାକୁ ଚେଷ୍ଟା କରିଛନ୍ତି।

ଫକ୍ସ ନ୍ୟୁଜ୍ ସହିତ ଏକ ସାକ୍ଷାତକାରରେ ମାଚାଡୋ କହିଛନ୍ତି ଯେ, ସେ ତାଙ୍କର ନୋବେଲ ଶାନ୍ତି ପୁରସ୍କାର ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଉତ୍ସର୍ଗ କରିବାକୁ ଚାହାଁନ୍ତି। ସେ କହିଛନ୍ତି, ମୁଁ ନୋବେଲ ପୁରସ୍କାର ଜିତିଛି ଜାଣିବା ମାତ୍ରେ ମୁଁ ଏହାକୁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଉତ୍ସର୍ଗ କରିବାକୁ ନିଷ୍ପତ୍ତି ନେଇଥିଲି। ଯାହା ଅସମ୍ଭବ ବୋଲି ବିଶ୍ୱ ଭାବିଥିଲା ତାହା ଆମେରିକା ହାସଲ କରିଛି । ସେ ଆହୁରି କହିଛନ୍ତି ଯେ, ଏକ ବର୍ଷରୁ ଅଧିକ ସମୟ ଲୁଚି ରହିବା ପରେ, ଏବେ ତାଙ୍କ ଫେରିବା ପାଇଁ ସଠିକ୍ ସମୟ।

ମାଚାଡୋ ଭେନେଜୁଏଲାର ମଧ୍ୟବର୍ତ୍ତୀକାଳୀନ ରାଷ୍ଟ୍ରପତି ଡେଲସି ରୋଡ୍ରିଗେଜଙ୍କୁ ଟାର୍ଗେଟ କରି କହିଛନ୍ତ ଯେ, ସେ ସରକାରର ନେତୃତ୍ୱ ନେବା ପାଇଁ ଅଯୋଗ୍ୟ। ସେ କହିଛନ୍ତି, ‘ଡେଲସି ଦୁର୍ନୀତି ଏବଂ ନିଶା କାରବାରର ଜଣେ ମାଷ୍ଟରମାଇଣ୍ଡ। ସେ ରୁଷ, ଚୀନ୍ ଏବଂ ଇରାନର ଅତ୍ୟନ୍ତ ନିକଟତର ଏବଂ ଅନ୍ତର୍ଜାତୀୟ ନିବେଶକମାନେ ତାଙ୍କୁ ବିଶ୍ୱାସ କରନ୍ତି ନାହିଁ। ଭେନେଜୁଏଲାର ଲୋକମାନେ ତାଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି।’

ମାଚାଡୋଙ୍କୁ ଭେନେଜୁଏଲାର ବହିଷ୍କୃତ ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କ ସବୁଠାରୁ ବଡ଼ ବିରୋଧୀ ଭାବରେ ବିବେଚନା କରାଯାଏ। ସେ ଗତ ମାସରେ ନୋବେଲ ପୁରସ୍କାର ଗ୍ରହଣ କରିବା ପାଇଁ ନରୱେ ଯାତ୍ରା କରିଥିଲେ ଏବଂ ସେବେଠାରୁ ଫେରି ନାହାନ୍ତି। ସେ କହିଛନ୍ତି ଯେ, ସେ ଶେଷ ଥର ପାଇଁ ୨୦୨୫ ମସିହା ଅକ୍ଟୋବର ୧୦ ତାରିଖରେ ଟ୍ରମ୍ପଙ୍କ ସହ କଥା ହୋଇଥିଲେ । ସେ ଭେନେଜୁଏଲାକୁ ଫେରିବେ କି ବୋଲି ପଚରାଯିବାରୁ, ସେ କହିଥିଲେ, ‘ମୁଁ ଯଥାଶୀଘ୍ର ଘରକୁ ଫେରିବାକୁ ଯୋଜନା କରୁଛି।’