ମୁମ୍ବାଇ,୨୯ /୦୩: ରିଲିଜ୍ ହେଲା ପରେ ଧୁରନ୍ଧର-୨କୁ ନେଇ ସବୁଠି ଚର୍ଚ୍ଚା । ଖୁବ୍ କମ୍ ଦିନରେ ଏହା ଶହଶହ କୋଟି ଟଙ୍କା ଆୟ କଲାଣି । ସବୁ ଅଭିନେତାଙ୍କ ଅଭିନୟ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଛି । ଦେଶ ତଥା ବିଦେଶରେ ମଧ୍ୟ ଫିଲ୍ମକୁ ନେଇ କ୍ରେଜ୍ ବଢିବାରେ ଲାଗିଛି । ଏବେସୁଦ୍ଧା ଚଳଚ୍ଚିତ୍ର ୧୧୦୦ କୋଟି ଟଙ୍କାର କାରବାର କରିସାରିଛି । ତେବେ ଶତ୍ରୁ ଦେଶ ପାକିସ୍ତାନରେ ମଧ୍ୟ ଏହା ହାଇଲାଇଟରେ ।

ରିପୋର୍ଚ ଅନୁସାରେ, ଧୁରନ୍ଧର ଫିଲ୍ମଟି ପାକିସ୍ତାନରେ ଥିବା ଭାରତୀୟ ସ୍ପାଏଙ୍କ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି । ଫିଲ୍ମରେ ପାକିସ୍ତାନ ବାବଦରେ ଅନେକ କିଛି ରହିଛି । ଯାହାକୁ ନେଇ ସେଠାକାର ଲାଏରୀ ସହର ୫୦୦ କୋଟି ଟଙ୍କା ଦାବି କରିଛି । ଏପରିକି ଫିଲ୍ମର ୭୦ରୁ ୮୦ ପ୍ରତିଶତ ସେୟାର ମାଗିଛି । ଏହାଦ୍ୱାରା ସହରର ବିକାଶ କରାଯିବ ବୋଲି ଲାଏରୀ କହିଛି ।

Also Read :-

କମ୍ପେୟାରିଜନ ଟିଭି ନାମକ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଲାଏରୀରୁ ଏକ ଭିଡିଓ ସେୟାର କରିଛି । ଏଥିରେ ସେଠାକାର ଲୋକେ ଧୁରନ୍ଧର-୨କୁ ନେଇ ପ୍ରତିକ୍ରିୟା ଦେଉଛନ୍ତି । ଜଣେ ସ୍ଥାନୀୟ ବ୍ୟକ୍ତି କହୁଛନ୍ତି ଯେ, ଲାଏରୀକୁ ଭିତ୍ତି କରି ଚଳଚ୍ଚିତ୍ର ନିର୍ମାଣ କରାଯାଇଛି । ଏହା ଭିଆଇପି ଫିଲ୍ମ୍ । ଅନେକ ଆୟ କରିଛି । ଲାଏରୀ ଆଗକୁ ବିକଶିତ ହେଉ । ରାସ୍ତାଘାଟ ସବୁ ଠିକ୍ ହେଇଯାଉ ।

ଅନ୍ୟ ଜଣେ ବ୍ୟକ୍ତି କହିଛନ୍ତି ଯେ, ଯଦି ଧୁରନ୍ଧରକୁ ୧୦୦୦ କୋଟି ମିଳୁଛି ତେବେ ୫୦୦ କୋଟି ଲାଏରୀର ଲୋକଙ୍କୁ ଦେବା ଦରକାର । ଲାଭର ଅଧା ମିଳିଲେ ଏଠାକାର ରାସ୍ତାଘାଟ ଠିକ୍ ହୋଇପାରିବ । ପିଲାମାନେ ରାସ୍ତାରେ ଚାଲିଲେ ଗୋଡରେ ଆଘାତ ଲାଗିଯାଉଛି ।

ଏତତ୍ ବ୍ୟତୀତ ଲାଏରୀର ଅନ୍ୟ ଜଣେ ବାସିନ୍ଦା କହିଛନ୍ତି ଯେ, ସେମାନେ ଦୀର୍ଘଦିନ ହେବ ଅଞ୍ଚଳରେ ଭଲ ରାସ୍ତା ଦାବି କରୁଛନ୍ତି । ବିକାଶ ହେଉ ବୋଲି କହୁଛନ୍ତି । କିନ୍ତୁ କିଛି ସୁବିଧା ସୁଯୋଗ ମିଳୁନି । ଭାରତୀୟମାନେ କିଛି ସାହାଯ୍ୟ କରନ୍ତୁ ।ଏପରିକି ୟୁଟ୍ୟୁବର ଜଣଙ୍କ ଆଉ ଜଣେ ବ୍ୟକ୍ତିଙ୍କୁ ଧୁରନ୍ଧରରୁ କେତେ ଟଙ୍କା ମିଳିବା ଦରକାର ବୋଲି ପଚାରିଥିଲେ । ସେ ଏକାଥରେ ଲାଭର ୭୦ରୁ ୮୦ ପ୍ରତିଶତ ମିଳିବା ଆବଶ୍ୟକ । ସେମାନେ ଲାଏରୀର ନାଁ ବ୍ୟବହାର କରି ଆୟ କରୁଛନ୍ତି । ତେଣୁ ଲାଭରୁ ଭାଗ ଦେବା ଦରକାର ।

ଭାରତୀୟ ଫ୍ୟାନ୍ସମାନେ ମଧ୍ୟ ଏସବୁ ପ୍ରତିକ୍ରିୟାକୁ ନେଇ କମେଣ୍ଟ କରୁଛନ୍ତି । କେହିକେହି ଆଦିତ୍ୟ ଧାରଙ୍କଠୁ ଲାଏରୀର ଲୋକେ ବିକାଶ ଚାହୁଁଥିବା କହିଛନ୍ତି । ଆଉ କେତେଜଣ ଲାଏରୀରେ ଆଦିତ୍ୟଙ୍କ ନାଁରେ ରାସ୍ତା ହେବ ବୋଲି ମତ ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ, ଧୁରନ୍ଧରରେ ରଣବୀର ସିଂ ଭାରତୀୟ ସ୍ପାଏ ହିସାବରେ ଚିତ୍ରଣ ହୋଇଛନ୍ତି । ସେ ପାକିସ୍ତାନରେ ହମଜା ନାଁରେ ରହିଛନ୍ତି । ଲାଏରୀକୁ ସେ ଏକ ମିଶନରେ ଯାଇଥିବା ବେଳେ ବିଭିନ୍ନ ଆତଙ୍କବାଦୀ ନେଟଓ୍ୱର୍କକୁ ଧ୍ୱଂସ କରୁଛନ୍ତି ।