ନୂଆଦିଲ୍ଲୀ ୨୩।୨: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରରେ ପ୍ରଥମ ଭାରତୀୟ ଗଭର୍ଣ୍ଣର ଜେନେରାଲ ଚକ୍ରବର୍ତ୍ତି ରାଜଗୋପାଲଚାରୀଙ୍କ ପ୍ରତିମା ଅନାବରଣ କରିଛନ୍ତି। ଏନେଇ ରାଷ୍ଟ୍ରପତିଙ୍କ ଅଧିକାରୀକ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ଏକ ପୋଷ୍ଟ କରାଯାଇଛି। ଏଥିରେ ଅଶୋକ ମଣ୍ଡପ ନିକଟସ୍ଥ ଗ୍ରାଣ୍ଡ ଓପନ ସିଡ଼ିରେ ରାଜଗୋପାଲଚାରୀ ଙ୍କ ମୂର୍ତ୍ତି ଓଡୱିନ ଲୁଟିୟନସଙ୍କ ମୂର୍ତ୍ତିର ସ୍ଥାନ ନେଇଥିବା ଉଲ୍ଲେଖ କରିଛନ୍ତି।

ରାଷ୍ଟ୍ରପତି କହିଛନ୍ତି ଯେ ଏହି ପଦକ୍ଷେପ ଔପନିବେଶିକ କାଳର ଐତିହ୍ୟରୁ ଆଗକୁ ବଢିବାକୁ ଓ ଦେଶର ଇତିହାସକୁ ଆକାର ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ମହାନ ଭାରତୀୟ ନେତାମାନଙ୍କୁ ମାନ୍ୟତା ଦେବାର ବ୍ୟାପକ ରାଷ୍ଟ୍ରୀୟ ପ୍ରୟାସର ପ୍ରତୀକ। ରାଷ୍ଟ୍ରପତି କହିଛନ୍ତି ଯେ ରାଜଗୋପାଲଚାରୀ ଜଣେ ପ୍ରମୁଖ ସ୍ୱାଧୀନତା ସଂଗ୍ରାମୀ, ରାଜନେତା ଓ ବିଦ୍ୱାନ ଥିଲେ। ସେ ୧୯୪୮ରୁ ୧୯୫୦ ମସିହା ପର୍ଯ୍ୟନ୍ତ ଭାରତର ଶେଷ ଗଭର୍ଣ୍ଣର ଜେନେରାଲ ରୂପେ କାର୍ଯ୍ୟ କରିଥିଲେ।

ଏହି କାର୍ଯ୍ୟକ୍ରମ ଅବସରରେ ଉପରାଷ୍ଟ୍ରପତି ସି.ପି.ରାଧାକୃଷ୍ଣନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ରସାୟନ ଓ ସାର ମନ୍ତ୍ରୀ ଜେ.ପି.ନଡ୍ଡା, ବୈଦେଶିକ ମନ୍ତ୍ରୀ ଡ.ସୁବ୍ରହମଣିୟମ ଜୟଶଙ୍କର, ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ, ସୂଚନା ଓ ପ୍ରସାରଣ ରାଜ୍ୟମନ୍ତ୍ରୀ ଡ.ଏଲ.ମୁରୁଗାନ ଓ ରାଜାଜୀଙ୍କ ପରିବାର ସଦସ୍ୟ ଉପସ୍ଥିତ ଥିଲେ। ଏହି ପଦକ୍ଷେପ ଔପନିବେଶିକ ମାନସିକତାର ଅବଶେଷକୁ ସମାପ୍ତ କରିବା ଓ ଭାରତର ସମୃଦ୍ଧ ସଂସ୍କୃତି, ଐତିହ୍ୟ, ଶାଶ୍ୱତ ପରମ୍ପରାକୁ ଗର୍ବର ସହ ଆପଣେଇବା ତଥା ଭାରତ ମାତାଙ୍କ ସେବାରେ ଅସାଧାରଣ ଯୋଗଦାନ କରିଥିବା ବ୍ୟକ୍ତିତ୍ୱଙ୍କୁ ସମ୍ମାନୀତ କରିବା ଦିଗରେ ପ୍ରୟାସର ଅଂଶବିଶେଷ।

ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ଉଲ୍ଲେଖ କରିଛନ୍ତି ଯେ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ରାଜାଜୀ ଉତ୍ସବରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏଡୱିନ ଲୁଟିୟନସଙ୍କ ସ୍ଥାନରେ ସି.ରାଜଗୋପାଲଚାରୀଙ୍କ ପ୍ରତିମାର ଲୋକାର୍ପଣ କରିଛନ୍ତି। ଯାହା ଔପନିବେଶିକ ଐତିହ୍ୟରୁ ମୁକ୍ତିଲାଗି ଆମ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ।

ଏହା ବି ପଢନ୍ତୁ :-Edwin Lutyens କିଏ? ଯାହାଙ୍କ ମୂର୍ତ୍ତି ଏବେ ରାଷ୍ଟ୍ରପତି ଭବନରୁ ହଟିବ