ଲକ୍ଷ୍ନୌ: ଆଇପିଏଲ୍ ୨୦୨୬ (IPL 2026) ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ (LSG) ଚେନ୍ନାଇ ସୁପର କିଙ୍ଗସ୍ (CSK)କୁ ୭ ୱିକେଟରେ ପରାସ୍ତ କରିଛି । ଏହି ପରାଜୟ ଚେନ୍ନାଇ ପାଇଁ ବଡ଼ ଝଟକା ସାବ୍ୟସ୍ତ ହୋଇପାରେ । ପ୍ରଥମେ ବ୍ୟାଟିଂ କରି CSK ୧୮୮ ରନ ଟାର୍ଗେଟ ଦେଇଥିଲା, ଯାହାକୁ LSG ୧୬.୪ ଓଭରରେ ହାସଲ କରି ନେଇଛି । ନିକୋଲାସ ପୂରନ ୪ ବଲରେ ଚାରୋଟି ଛକା ମାରି ମ୍ୟାଚ୍ ଶେଷ କରିଥିଲେ ।

ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯାଇଥିବା ଆଜିର ମ୍ୟାଚ୍‌ରେ ଲକ୍ଷ୍ନୌର ଅଧିନାୟକ ରିଷଭ ପନ୍ତ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରି ସିଏସ୍‌କେ କାର୍ତିକ ଶର୍ମାଙ୍କ ୭୧ ରନ୍‌ ଏବଂ ଶିବମ୍ ଦୁବେଙ୍କ ଚମତ୍କାର ଫିନିସିଂ ଟଚ୍‌ ଯୋଗୁଁ ୨୦ ଓଭରରେ ୧୮୭ ରନ୍‌ କରିଥିଲା ​​ଏବଂ ଏଲଏସଜିକୁ ୧୮୮ ରନ୍‌ର ଲକ୍ଷ୍ୟ ଦେଇଥିଲା ।

ଜବାବରେ ଲକ୍ଷ୍ନୌର ଓପନର ବ୍ୟାଟର ଆକ୍ରମଣାତ୍ମକ ବ୍ୟାଟିଂ କରି ଏକ ଶତକୀୟ ଭାଗୀଦାରି ସ୍ଥାପନ କରିଥିଲେ। ମିଚେଲ ମାର୍ଶ ୩୮ ବଲରେ ୯୦ ରନ୍ କରିବା ପରେ ରନ ଆଉଟ୍ ହୋଇଥିଲେ। ଶେଷରେ ପୂରନ ଏକ ଦୃଢ଼ ଇନିଂସ ଖେଳିଥିଲେ, ଅଂଶୁଲ କାମ୍ବୋଞ୍ଜଙ୍କ ବଲରୁ ଚାରି ବଲରେ ଲଗାତାର ୪ ଛକା ମାରି ମାତ୍ର ୧୬.୪ ଓଭରରେ ମ୍ୟାଚ୍ ଶେଷ କରିଥିଲେ। ଲକ୍ଷ୍ନୌ ସହଜରେ ୭  ୱିକେଟରେ ମ୍ୟାଚ୍ ଜିତି ନେଇଥିଲା।

ଲକ୍ଷ୍ନୌ ପାଇଁ ଏହି ବିଜୟ କେବଳ ସମ୍ମାନର ବିଷୟ ଥିଲା, କିନ୍ତୁ ଚେନ୍ନାଇ ପାଇଁ ଏହା ଅତ୍ୟନ୍ତ ମହଙ୍ଗା ପଡ଼ିଛି। ପଏଣ୍ଟ ଟେବୁଲରେ ନିଜ ସ୍ଥାନ ସୁରକ୍ଷିତ ରଖିବା ପାଇଁ CSK କୁ ଏହି ମ୍ୟାଚ୍ ଜିତିବା ଜରୁରୀ ଥିଲା। ଏହି ପରାଜୟ ପରେ ଚେନ୍ନାଇକୁ ଏବେ ଅନ୍ୟ ଦଳର ଫଳାଫଳ ଉପରେ ନିର୍ଭର କରିବାକୁ ପଡ଼ିପାରେ।