ଫଗୱାଡ଼ା: ମିଛ ଖବର ଭାଇରାଲ ହେବା ପରେ ୟୁନିଭର୍ସିଟିକୁ ଭାଙ୍ଗିରୁଜି ଚୁରମାର କରିଦେଲେ ଛାତ୍ରଛାତ୍ରୀ। ପଞ୍ଜାବର ଲଭ୍‌ଲି ପ୍ରଫେଶନାଲ ୟୁନିଭର୍ସିଟି(ଏଲ୍‌ପିୟୁ)ରେ ଶନିବାର ଛାତ୍ରଛାତ୍ରୀମାନେ ଭଙ୍ଗାରୁଜା କରିବା ସହିତ କଲେଜ୍‌ର ସମ୍ପତ୍ତିରେ ନିଆଁ ଲଗାଇ ଦେଇଛନ୍ତି। କଲେଜରେ ଜଣେ ଚାତ୍ରୀ ଗଣଦୁଷ୍କର୍ମର ଶିକାର ହୋଇ ଆତ୍ମହତ୍ୟା କରିଥିବା ଗୁଜବ ପ୍ରଚାର ହେବା ପରେ ଛାତ୍ରଛାତ୍ରୀମାନେ ଏଭଳି ତୁମୁଳକାଣ୍ଡ ଘଟାଇଛନ୍ତି। ତେବେ ଭୁଲ୍ ବୁଝାମଣାରୁ ଏଭଳି ପରିସ୍ଥିତି ଉପୁଜିଥିବା ବୋଲି କହିଛି। ଅନ୍ୟପକ୍ଷରେ ବିଶ୍ୱବିଦ୍ୟାଳୟ ଏହି ଅଭିଯୋଗଗୁଡ଼ିକୁ "ମିଥ୍ୟା, ଭିତ୍ତିହୀନ ଏବଂ କପୋଳକଳ୍ପିତ କହି ଖଣ୍ଡନ କରିଛି।

ସୋସିଆଲ୍ ମିଡିଆରେ ଛାତ୍ରୀଙ୍କ ଆତ୍ମହତ୍ୟା ଖବର ପ୍ରଚାର ହେବା ପରେ ଛାତ୍ରଛାତ୍ରୀମାନେ ବହୁ ସଂଖ୍ୟାରେ ରାସ୍ତା ଜାମ କରିଥିଲେ। ଏହାପରେ କଲେଜ୍‌ର ଗର୍ଲ୍ସ ହଷ୍ଟେଲ୍‌ ନିକଟରେ ପାଖାପାଖି ୨୦୦୦ ଛାତ୍ରଛାତ୍ରୀ ଏକାଠି ହୋଇ ଭଙ୍ଗାରୁଜା କରିଥିଲେ। ପରେ ପରିସ୍ଥିତି ଉତ୍ତେଜିତ ହୋଇ କ୍ୟାମ୍ପସରେ ଭଙ୍ଗାରୁଜା ଓ ଅଗ୍ନିକାଣ୍ଡ ଘଟିଥିବା ପୁଲିସ କହିଛି।

ଛାତ୍ରମାନେ ହାଇୱେ ଅବରୋଧ କରିବା ସହ ୟୁନିଭର୍ସିଟିର ବିଭିନ୍ନ ସ୍ଥାନରେ ଝରକା କାଚ ଭାଙ୍ଗିଥିଲେ, ଇଟା ଓ ଫୁଲକୁଣ୍ଡ ଫିଙ୍ଗିଥିଲେ। କେତେକ କୋଠାରେ ନିଆଁ ଲଗାଇଦେଇଥିବା ମଧ୍ୟ ଜଣାପଡ଼ିଛି।

ଗଣବଳାତ୍କାର ନେଇ କୌଣସି ଅଭିଯୋଗ ମିଳିନାହିଁ: ପୁଲିସ

କପୁରଥଲା ଏସ୍‌ଏସ୍‌ପି ଗୌରବ ତୁରାଙ୍କ କହିବା ଅନୁସାରେ, କ୍ୟାମ୍ପସର କୃଷି ବିଭାଗ ନିକଟରେ ପ୍ରାୟ ୪ରୁ ୫ ଦିନ ପୂର୍ବରୁ ଜଣେ ମହିଳା ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଥିଲା। କିନ୍ତୁ ଏହି ମୃତ୍ୟୁକୁ ଗଣବଳାତ୍କାର ସହ ଯୋଡ଼ି କୌଣସି ଅଭିଯୋଗ ପୁଲିସ ନିକଟରେ ଦାଖଲ ହୋଇନାହିଁ।

ପୁଲିସ କହିଛି, କିଛି ଛାତ୍ରୀ ଜଣେ ଝିଅଙ୍କ ଆତ୍ମହତ୍ୟା ବିଷୟରେ କହୁଥିବାବେଳେ ଅନ୍ୟ କିଛି ଛାତ୍ର ତାଙ୍କୁ ବଳାତ୍କାର କରାଯାଇଥିବା ଦାବି କରିଥିଲେ। ଏହା ପରେ କ୍ୟାମ୍ପସରେ ଅସନ୍ତୋଷ ବଢ଼ିଥିଲା। ଘଟଣା ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ପ୍ରମାଣ ମିଳିନଥିବା ଏବଂ ପୁଲିସ ନିକଟରେ କୌଣସି ଅଭିଯୋଗ ଆସିନଥିବା ଏସ୍‌ଏସ୍‌ପି କହିଛନ୍ତି।

ସୋସିଆଲ ମିଡିଆରେ ଏହି ଘଟଣାରେ ଜଣେ କର୍ମଚାରୀଙ୍କ ସମ୍ପୃକ୍ତି ନେଇ ମଧ୍ୟ ଦାବି ହୋଇଥିଲା। ତେବେ ପୁଲିସ ଏହି ଅଭିଯୋଗକୁ ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହିଁ।

ଅଭିଯୋଗକୁ ଖଣ୍ଡନ କଲା LPU

ସେପଟେ ୟୁନିଭର୍ସିଟି ମଧ୍ୟ ପ୍ରଚାର ହୋଇଥିବା ସମସ୍ତ ଗୁଜବକୁ ଖଣ୍ଡନ କରିଛି। ଏଲ୍‌ପିୟୁ ରେଜିଷ୍ଟ୍ରାର ଡ. ମୋନିକା ଗୁଲାଟି କହିଛନ୍ତି ଯେ ସୋସିଆଲ ମିଡିଆ ଓ ଅନ୍ୟ ମାଧ୍ୟମରେ ଭୁଲ ତଥ୍ୟ ପ୍ରଚାର କରାଯାଇ କ୍ୟାମ୍ପସରେ ବିଭ୍ରାନ୍ତି ସୃଷ୍ଟି କରାଯାଉଛି। ଏହି ଗୁଜବରେ କୌଣସି ସତ୍ୟତା ନାହିଁ ବୋଲି ୟୁନିଭର୍ସିଟି ଦାବି କରିଛି। ଛାତ୍ରଛାତ୍ରୀ, ଅଭିଭାବକ ଓ ସାଧାରଣ ଲୋକଙ୍କୁ ଗୁଜବରେ ବିଶ୍ୱାସ ନକରିବା କିମ୍ବା ଏହାକୁ ପ୍ରଚାର ନକରିବାକୁ ୟୁନିଭର୍ସିଟି ଅନୁରୋଧ କରିଛି।

ଏପଟେ ପୁଲିସ ହାଇୱେ ଖାଲି କରାଇବା ପରେ ଯାତାୟାତ ସ୍ୱାଭାବିକ ହୋଇଛି। ଛାତ୍ରଛାତ୍ରୀ ଓ ୟୁନିଭର୍ସିଟି ପ୍ରଶାସନ ମଧ୍ୟରେ ଆଲୋଚନା ଜାରି ରହିଥିବା ବେଳେ ପରିସ୍ଥିତିକୁ ଶାନ୍ତ କରିବା ପାଇଁ ପୁଲିସ ଓ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି।