ଭୁବନେଶ୍ବର ୨୭।୩: ନୂଆ ଅବକାରୀ ନୀତି ଏପ୍ରିଲ୍‌ ୧ରୁ ଲାଗୁ ହେବାକୁ ଥିବାବେଳେ ମଦ ଦୋକାନ ପାଇଁ ଏପ୍ରିଲରେ ଲଟେରୀ ହେବ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ଜିଲ୍ଲାପାଳଙ୍କ ଉପସ୍ଥିତିରେ ଏହା ହେବାକୁ ଯାଉଛି । ଆବଶ୍ୟକ ପଡିଲେ ଇଲେକ୍ଟ୍ରୋନିକ୍ସ ଲଟେରୀ କରାଯିବ । ସ୍ୱଚ୍ଛ ପ୍ରକ୍ରିୟା ହେବ । ଯେଉଁ ଦୋକାନ ଗତଥର ଲଟେରୀ ପାଇଥିଲେ, ମାର୍ଚ୍ଚ ୩୧ରେ ସେ ଗୁଡିକର ସମୟସୀମା ସରୁଛି । ତେବେ ସେମାନଙ୍କୁ ଅଧିକ ଦୁଇ ମାସ ସମୟ ମିଳିବ । ୩ ଷ୍ଟାରରୁ ଅଧିକ ହୋଟେଲରେ ବାର୍‌ର ପ୍ରାବଧାନ ଥିବାରୁ, ଅନ୍‌ସପ୍‌ ଅନୁମତି ମିଳିବ । ହେଲେ ନୂଆ ମଦ ଦୋକାନ ଖୋଲିବ ନାହିଁ । ଯେତିକି ଅଫ୍ ସପ୍ ଥିଲା, ସେ ସବୁର MGER ସ୍ଥିର ହେବ ବୋଲି ଅବକାରୀ ମନ୍ତ୍ରୀ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଏପ୍ରିଲ୍‌ ୧ରୁ ତିନି ବର୍ଷିଆ ନୂଆ ଅବକାରୀ ନୀତି । ରାଜ୍ୟରେ ଆଉ ଖୋଲିବନି ନୂଆ ମଦ ଦୋକାନ । ନିଶାମୁକ୍ତି ପାଇଁ ଲାଗୁ ହେବ ସ୍ବତନ୍ତ୍ର ସେସ୍‌ । ଫଳରେ ମଦ ଦର ବଢ଼ିବ । ନୂଆ ଅବକାରୀ ପଲିସିରେ ମଦ ହୋମ୍‌ ଡେଲିଭରି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ପୁରୀ ବଡ଼ଦାଣ୍ଡରେ ମଦ ଦୋକାନ ମନା । ଏପ୍ରିଲ ୧, ୨୦୨୬ରୁ ମାର୍ଚ୍ଚ ୩୧, ୨୦୨୯ ପର୍ଯ୍ୟନ୍ତ ତିନିବର୍ଷିଆ ନୂଆ ଅବକାରୀ ନୀତି ଆଣିଲେ ରାଜ୍ୟ ସରକାର । ନୂଆ ଅବକାରୀ ନୀତି ଅନୁସାରେ ରାଜ୍ୟରେ ଆଉ ନୂଆ ଅଫ୍‌ ସପ୍‌, ଦେଶୀ ମଦ କିମ୍ବା ଆଉଟ୍‌-ଷ୍ଟିଲ୍‌ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ ନାହିଁ । ଗ୍ରାମାଞ୍ଚଳରେ ମଧ୍ୟ ନୂଆ ‘ଅନ୍ ସପ୍ ' ଦୋକାନ ଖୋଲିବ ନାହିଁ।

ପ୍ରଥମଥର ପାଇଁ ଅବକାରୀ ଶୁଳ୍କ ଉପରେ ୦.୫% ‘ଡି ଆଡିକ୍ସନ ସେସ୍ ’ ଲାଗୁ କରାଯିବ।। ଏହା ମାଧ୍ୟମରେ ମଦକୁ ଏକ କ୍ଷତିକାରକ ପଦାର୍ଥ ଭାବେ ସ୍ଵୀକାର କରାଯାଇଛି ।ଏହି ସେସ୍‌ରୁ ଆସୁଥ‌ିବା ଆୟ ମଡେଲ ଡି-ଆଡିକ୍ସନ କେନ୍ଦ୍ର ସ୍ଥାପନ ଓ ସୁଦୃଢ଼ କରିବାରେ ବ୍ୟୟ କରାଯିବ। ବିଭିନ୍ନ ଅବକାରୀ ଲାଇସେନ୍ସ ପାଇଁ ଆବେଦନ ଶୁଳ୍କ ୧୦% ବଢ଼ାଯିବ ଏବଂ ଲାଇସେନ୍ସ ଶୁଳ୍କ ପ୍ରତି ବର୍ଷ ୧୦ ରୁ ୨୦% ପର୍ଯ୍ୟନ୍ତ ବୃଦ୍ଧିପାଇବ । IMFL ଓ ଦେଶୀ ମଦ (CL) ଉପରେ ଅବକାରୀ ଶୁଳ୍କ ମଧ୍ୟ ବଢ଼ାଯାଇଛି। ମ୍ୟାକ୍ସିମମ୍‌ ଗ୍ୟାରେଣ୍ଟେଡ୍‌ କ୍ବାଲିଟି MGQ ପ୍ରଣାଳୀକୁ ହଟାଇ ଏଥର ଉତ୍ତର ପ୍ରଦେଶ ଷ୍ଟାଇଲରେ MGER ବା ମନିମମ୍‌ ଗ୍ୟାରେଣ୍ଟେଡ୍‌ ଏକ୍ସାଇଜ୍‌ ରେଭନ୍ୟୁ ପ୍ରଣାଳିକୁ ଆପଣାଇଛି ଓଡ଼ିଶା । ଏହା ଦ୍ବାରା ସରକାରୀ ରାଜସ୍ଵ ସୁରକ୍ଷିତ ହେବା ସହିତ ବ୍ୟବସାୟୀ ମାନଙ୍କୁ କେବଳ ପରିମାଣ ଲକ୍ଷ୍ୟ ପୂରଣ ପାଇଁ ବିକ୍ରି ବଢ଼ାଇବାର ଚାପ ହ୍ରାସ ପାଇବ । ଏହା "କୁଚିଆ" ବିକ୍ରୟ ପ୍ରଥାକୁ ରୋକିବାରେ ସହାୟକ ହେବ।

​​​​​​​Also Read:- ଶ୍ରୀରାମ ନବମୀରେ ଅଘଟଣ : ଚନ୍ଦ୍ରଭାଗା ସମୁଦ୍ରରେ ବୁଡି ଶ୍ରମିକଙ୍କ ମୃତ୍ୟୁ, ପୁରୀରେ ସ୍ନାନ ବେଳେ ଯୁବକ ନିଖୋଜ

ପୁରୀରେ ଶ୍ରୀଜଗନ୍ନାଥ ମନ୍ଦିର ଓ ବଡ଼ଦାଣ୍ଡ ପାଖରେ କୌଣସି ମଦ ଦୋକାନ ରହିବ ନାହିଁ । ସମଗ୍ର ରାଜ୍ୟରେ ମଦର ହୋମ୍ ଡେଲିଭରି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରାଯାଇଛି ।ଆଉଟ୍‌ ଷ୍ଟିଲ୍‌ ଉତ୍ପାଦନ ୟୁନିଟ୍ ଗୁଡ଼ିକୁ ଆଧୁନିକୀକରଣ, ଉନ୍ନତ ପ୍ୟାକେଜିଂ ଏବଂ ଗୁଣବତ୍ତା ନିୟନ୍ତ୍ରଣ ଯନ୍ତ୍ରପାତି ସ୍ଥାପନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । FSSAI ସାର୍ଟିଫିକେସନ୍ ଓ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ପାଳନ ଅନିବାର୍ଯ୍ୟ କରାଯିବ ।ନିର୍ଦ୍ଧାରିତ ସମୟ ସୀମାରେ ଆଧୁନିକୀକରଣ ସମ୍ପୂର୍ଣ୍ଣ କରୁଥିବା ୟୁନିଟ୍ ମାନଙ୍କୁ ପ୍ରୋତ୍ସାହନ ମଧ୍ୟ ଦିଆଯିବ। ସରକାର ENA ଗତିବିଧି ନିରୀକ୍ଷଣ ଓ ଉତ୍ପାଦନରୁ ବିକ୍ରୟ ପର୍ଯ୍ୟନ୍ତ ପ୍ରତ୍ୟେକ ବୋତଲକୁ ଟ୍ରାକ୍ କରିବା ପାଇଁ ଟ୍ରକ୍‌ ଆଣ୍ଟ ଟ୍ରେସ୍‌ ପ୍ରଣାଳୀ ପ୍ରବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ସମସ୍ତ ଉତ୍ପାଦନ ୟୁନିଟ୍ ଓ ଖୁଚୁରା ଦୋକାନ ଗୁଡ଼ିକୁ CCTV ନିରୀକ୍ଷଣ ଅଧୀନରେ ଆଣାଯିବ ।ଏସବୁକୁ ଅବକାରୀ କମିଶନରଙ୍କ କାର୍ଯ୍ୟାଳୟ ଓ ସମ୍ପର୍କିତ ଜିଲ୍ଲା କାର୍ଯ୍ୟାଳୟ ସହ ସଂଯୋଗ କରାଯିବ। ଏହା ସହିତ ରାଜ୍ୟର ଅବକାରୀ ରାସାୟନିକ ପରୀକ୍ଷାଗାର ଗୁଡ଼ିକୁ ଆଧୁନିକ ପ୍ରଯୁକ୍ତି ଓ ପ୍ରଶିକ୍ଷିତ ମାନବ ସମ୍ବଳ ମାଧ୍ୟମରେ ସୁଦୃଢ଼ ଓ ଉନ୍ନତ କରାଯିବ।