ରାୟଗଡ଼ା ୨୨।୮: ଚୋରି ସୁନାକୁ ଠିକଣାରେ ଲଗାଇବାକୁ ନୂଆ ତରିକା । ସୁନା ଚୋରି କରି କ୍ୟାସ୍‌ରେ କନଭର୍ଟ କରିବାକୁ ନୂଆ ଫଣ୍ଡା ଆପଣାଇଛନ୍ତି ଲୁଟେରା । ସୁନାକୁ ତରଳାଇବା ପରେ ବିଭିନ୍ନ ଗୋଲ୍ଡ ଲୋନ୍ ବ୍ୟାଙ୍କରେ ବନ୍ଧକ ରଖି ଲୋନ୍ ନେଉଛନ୍ତି ଲୁଟେରା । ଏମିତି ଏକ ସିଣ୍ଡିକେଟ୍ ଧରାପଡିବା ପରେ ପୂରା କାରନାମାର ପର୍ଦ୍ଦାଫାସ କରିଛି ରାୟଗଡା ପୋଲିସ ।

ଗତ କିଛି ଦିନ ତଳେ ବିଭିନ୍ନ ଥାନା ଅଞ୍ଚଳରୁ ୧୨ ଜଣ ଲୁଟେରାଙ୍କୁ ଗିରଫ କରିଥିଲା । ଏହା ପରେ ସେମାନଙ୍କୁ ପଚରାଉଚରା ପରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଥିଲା । ଲୁଟେରା ମାନେ ଏକ ଘରୋଇ ଗୋଲ୍ଡ ଲୋନ୍ ବ୍ୟାଙ୍କରେ ଚୋରି ସୁନାକୁ ବନ୍ଧକ ରଖି ଋଣ ଉଠାଇ ନେଇଛନ୍ତି । ଏହା ପରେ ବ୍ୟାଙ୍କରୁ ପ୍ରାୟ ୧୨୫ ଗ୍ରାମ ସୁନା ଉଦ୍ଧାର କରିଛି ପୋଲିସ ।

 

ତେବେ ଆରବିଆଇର ସ୍ବତନ୍ତ୍ର ଗାଇଡଲାଇନ୍ ଥିବା ବେଳେ କେବଳ ଆଧାର କାର୍ଡ ଓ ସ୍ଥାନୀୟ ପରିଚୟ ପତ୍ରକୁ ନେଇ ସୁନା ବନ୍ଧକ ରଖାଯାଉଛି । ଯାହା ଫଳରେ ସୁନା ଚୋରି ସାମଗ୍ରୀ ନା ନିଜସ୍ବ ତାହା ଜାଣିପାରୁନାହାନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ । ଯାହାର ଫାଇଦା ଉଠାଉଛନ୍ତି ଲୁଟେରା ଗ୍ୟାଙ୍ଗ୍ । ସୁନା ବନ୍ଧକ ରଖି ବ୍ୟାଙ୍କରୁ ଋଣ ଉଠାଇ ନେଉଛନ୍ତି ।

​​​​​​​

ଏଠି ପ୍ରଶ୍ନ ଉଠିଛି ଚୋରା ସୁନା ନେଇ ଲୁଟେରା ମାନେ ବ୍ୟାଙ୍କରେ ବନ୍ଧା ପକାଉଛନ୍ତି । ଗୋଲ୍ଡ ଲୋନ୍ ବ୍ୟାଙ୍କ କର୍ତ୍ତୃପକ୍ଷ ଜାଣିନାହାନ୍ତି ନା ଲୁଟେରାଙ୍କ ସହ ଏମାନଙ୍କର ଭିତିରି ସମ୍ପର୍କ ରହିଛି ।