ସୋର ୧୨।୦୬ : ବାଲେଶ୍ଵର ଜିଲ୍ଲା ସୋର ଥାନା ଅଞ୍ଚଳରେ ଡକାୟତଙ୍କ ଆତଙ୍କରାଜ୍। ପୋଲିସକୁ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ୍। ୨୦ ଦିନ ତଳେ ସୋର ଦୟାନିଧି ପୁର ଗାଁରେ ଲୁଟେରାମାନେ ଗୋଟିଏ ପରିବାରର ୫ ଜଣଙ୍କୁ ହାଣି ୨ ଗ୍ରାମବାସୀଙ୍କୁ ଗୁଳି କରିଥିଲେ। ବୁଧବାର ବିଳମ୍ଵିତ ରାତିରେ ପୁଣି ଏକ ଡକାୟତି ଘଟଣା ସୋରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ସୋର ଥାନା ଅନ୍ନପୂର୍ଣ୍ଣା ରାଇସ୍ ମିଲର ଆୟୁର୍ବେଦିକ ଡାକ୍ତର ତପନ ଦାସଙ୍କ ଘରେ ଡକାୟତି ହୋଇଛି। ଲୁଟେରାଙ୍କ ଆକ୍ରମଣରେ ଡାକ୍ତର ଓ ତାଙ୍କ ପୁତୁରା ଗୁରୁତର ହୋଇଛନ୍ତି। ଡକାୟତକୁ କାବୁ କରି ଘର ମାଲିକ ପୋଲିସ ଜିମା ଦେଇଛନ୍ତି।
ଖବର ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ବାଲେଶ୍ଵର ଜିଲ୍ଲା ସୋର ଥାନା ଅନ୍ନପୂର୍ଣ୍ଣା ରାଇସ୍ ମିଲର ଆୟୁର୍ବେଦିକ ଡାକ୍ତର ତପନ ଦାସ ପରିବାର ସହ ଭଦ୍ରକ ଯାଇଥିଲେ। ରାତି ସାଢେ ୧୨ଟାରେ ଘରକୁ ଫେରି ତାଲା ଖୋଲା ଥିବା ଦେଖିଥିଲେ। ଘରକୁ ପଶି ଦେଖିବା ବେଳକୁ କିଛି ଦୁର୍ବୃତ୍ତ ଲୁଟ୍ ଉଦ୍ୟମ କରୁଥିଲେ। ଡାକ୍ତର ଦାସ ଓ ତାଙ୍କ ପୁତୁରା ଚୋରକୁ ଧରିବାକୁ ଉଦ୍ୟମ କରିବାରୁ ଲୁଟେରାମାନେ ସେମାନଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଭୁଜାଲିରେ ଡାକ୍ତର ଦାସଙ୍କ ମୁଣ୍ଡକୁ ହାଣି ଦେଇଥିଲେ। ଡାକ୍ତର ଦାସ ଓ ତାଙ୍କ ପୁତୁରା ଗୁରୁତର ଅବସ୍ଥାରେ ଚୋରକୁ କାବୁ କରି ପଡୋଶୀଙ୍କୁ ଡାକ ପକାଇଥିଲେ। ପଡୋଶୀମାନେ ଆସି ଚୋରକୁ ଧରି ପୋଲିସ ଜିମା ଦେଇଥିଲେ। ପରେ ସ୍ଥାନୀୟ ଲୋକେ ଓଭରବ୍ରିଜ୍ ଉପରୁ ଜଣେ ସନ୍ଦିଗ୍ଧ ଯୁବକଙ୍କୁ ଧରି ପୁଲିସ ଜିମା ଦେଇଥିଲେ। ଅନ୍ଧାରର ସୁଯୋଗ ନେଇ ଜଣେ ଡକାୟତ ଖସିଯାଇଥିବା ଜଣାପଡ଼ିଛି। ଏହି ଘଟଣାରେ ପୋଲିସ ରାତିସାରା ତନାଘନା କରୁଛି। ଡ଼ ଦାସଙ୍କୁ ଏବେ ସୋର ଡାକ୍ତରଖାନରୁ ବାଲେଶ୍ୱରକୁ ସ୍ଥାନାନ୍ତର କରାଯାଇଛି।