Increase Lok Sabha Seats: ମହିଳା ସଂରକ୍ଷଣ ବିଲକୁ ଲାଗୁ କରିବା ଦିଗରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଏଥିପାଇଁ ଲୋକସଭା ଆସନ ସଂଖ୍ୟା ୫୪୩ରୁ ୮୫୦କୁ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାର ମଙ୍ଗଲବାର ପ୍ରସ୍ତାବ ଦେଇଛନ୍ତି। ଏଥିରେ ରାଜ୍ୟ ପାଇଁ ୮୧୫ ଆସନ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୩୫ ଟି ଆସନ ସଂରକ୍ଷଣ ରହିବ। ଏହି ବିଲକୁ ସାଂସଦମାନଙ୍କୁ ଦିଆଯାଇ ସାରିଛି। ଏପ୍ରିଲ ୧୬ ରୁ ୧୮ ପର୍ଯ୍ୟନ୍ତ ହେଉଥିବା ସଂସଦର ଆଗାମୀ ସ୍ୱତନ୍ତ୍ର ଅଧିବେଶନରେ ଏହାକୁ ଆଗତ କରାଯିବ। ଏହା ଉପରେ ଚର୍ଚ୍ଚା କରାଯିବ।

ସେହିପରି ଲୋକସଭା ଓ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ରଖିବା ପାଇଁ କେନ୍ଦ୍ର ସରକାର ନୂଆ ସଂଶୋଧନ କରିପାରନ୍ତି। ରିପୋର୍ଟ ଅନୁସାରେ ମହିଳାମାନଙ୍କ ପାଇଁ ଆବଣ୍ଟିତ ଆସନ ନିଷ୍ପତ୍ତି ନେବା ପାଇଁ ଏକ ସୀମା ନିର୍ଦ୍ଧାରଣ କମିଶନ ଗଠନ କରାଯିବ। ଏହା ୨୦୨୯ ସାଧାରଣ ନିର୍ବାଚନରେ ଲାଗୁ ହୋଇପାରେ।

ଏହା ପୂର୍ବରୁ ୨୦୨୭ ଜନଗଣନା ଓ ଏହାପରେ ହେବାକୁ ଥିବା ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ପରେ ଏହି ସଂରକ୍ଷଣ ଲାଗୁ କରାଯିବ ବୋଲି କୁହାଯାଉଥିଲା। ଏହି ବିଲ୍ ପାରିତ ହେବା ସହିତ, ଲୋକସଭାର ପ୍ରାୟ ଏକ ତୃତୀୟାଂଶ ଆସନ, ଅର୍ଥାତ୍ ୨୭୩ ଆସନ, ମହିଳା ସାଂସଦଙ୍କ ପାଇଁ ସଂରକ୍ଷିତ ରହିବ। ​​​​​​​

​​​​​​​ବିରୋଧ କରିବ ବିରୋଧୀ

ଅନେକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବିରୋଧୀ ଦଳ ଏହି ପ୍ରସ୍ତାବକୁ ବିରୋଧ କରିବାର ସମ୍ଭାବନା ଅଛି। ବିରୋଧୀଙ୍କ ଅଭିଯୋଗ ସରକାର ଲୋକସଭା ଏବଂ ରାଜ୍ୟ ବିଧାନସଭା ଆସନରେ ପ୍ରାୟ ୫୦% ବୃଦ୍ଧି କରିବାକୁ ଚାହୁଁଛନ୍ତି। ଏଥିରେ ମହିଳା ସଂରକ୍ଷଣକୁ ଯୋଡ଼ିବାର ଆଳ ଦେଖାଉଛନ୍ତି। ମହିଳା ବିଲ୍ ଆଳରେ ସରକାର ସୀମା ନିର୍ଦ୍ଧାରଣ କରିବାକୁ ପ୍ରୟାସ କରୁଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି।

ବିରୋଧୀଙ୍କ କହିବା କଥା ହେଲା ୨୦୨୪ ଲୋକସଭା ନିର୍ବାଚନରେ ​​ମହିଳା ସଂରକ୍ଷଣ ଲାଗୁ କରିବା ପାଇଁ ବିରୋଧୀମାନେ ଦାବି କରିଥିଲେ ବି ସରକାର ଏହାକୁ ଖାରଜ କରିଦେଇଥିଲେ। ଏବେ ହଠାତ୍ ଏତେ "ଶୀଘ୍ର" କାହିଁକି ଲାଗୁ କରିବାକୁ ଚିନ୍ତା କରାଯାଉଛି?

ଏହି ସାମ୍ବିଧାନିକ ସଂଶୋଧନ ବିଲ୍ ପାସ୍ ହେବା ପାଇଁ ଦୁଇ-ତୃତୀୟାଂଶ ବହୁମତ ଆବଶ୍ୟକ। ସରକାରଙ୍କ ପାଖରେ ଏତେ ଭୋଟ ନାହିଁ, ତେଣୁ ବିରୋଧୀଙ୍କ ସମର୍ଥନ ଆବଶ୍ୟକ ହେବ। ତେବେ ଏହି ସଂରକ୍ଷଣ ଭିତରେ ଓବିସି ମହିଳାଙ୍କ ପାଇଁ ସ୍ୱତନ୍ତ୍ର ସଂରକ୍ଷଣର ବ୍ୟବସ୍ଥା ନାହିଁ। ଯାହାକୁ ନେଇ ବିବାଦ ହୋଇପାରେ।