ବ୍ରହ୍ମପୁର ୨୯।୫: ପ୍ଲଟ୍ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲାରେ ୨ ଅଭିଯୁକ୍ତକୁ ରିମାଣ୍ଡରେ ନେଇ ପୋଲିସ କ୍ରାଇମ ସିନ୍ ରିକ୍ରିଏସନ କରିଛି । ଭାବିନାରାୟଣପୁର ବଣଗାଁ-ମାଣ୍ଡିଆପଲ୍ଲୀ ରାସ୍ତାରୁ ଅପହରଣ ହୋଇଥିବା ସ୍ଥଳରୁ ହିଁ କ୍ରାଇମ ସିନ ରିକ୍ରିଏସନ କରିଥିଲା । ସୁଧୀର ପାତ୍ରଙ୍କୁ କେମିତି ଅପହରଣ କରିଥିଲା ସେ ନେଇ ଡେମୋ ଦେଖାଇଥିଲା ସୁମିତ ସିଂ ସୁନୀଲ ରାଜପୁତ । ଅନ୍ୟ ଜଣେ ଅଭିଯୁକ୍ତ ମୁକେଶ ସାହୁ ପୋଲିସ ଗାଡ଼ିରେ ବସିଥିଲା । ଅପହରଣ ଓ ହତ୍ୟାକାଣ୍ଡର ଟିକିନିଖି ତଥ୍ୟ ସଂଗ୍ରହ କରିଛି ପୋଲିସ । ସଦର ଏସଡ଼ିପି ଓ ସୁଧାଂଶୁ ଶେଖର ପରିଡା ଗୋପାଳପୁର ଥାନା ଅଧିକାରୀ ସତ୍ୟ ରଂଜନ ଲେଙ୍କାଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ । ଅଧିକ ତଦନ୍ତ କରି ପ୍ରକୃତ ସତ୍ୟ ଓଗାଳିବାକୁ ପୋଲିସ ପ୍ରୟାସ କରୁଥିବା ଆଶା ରଖିଥିବା କହିଛନ୍ତି ଆଇନଜୀବୀ ।

ସୁଧୀର ପାତ୍ର ହତ୍ୟାକାଣ୍ଡ ଘଟଣାରେ ପୋଲିସ ପୂର୍ବରୁ ୯ ଜଣଙ୍କୁ ଗିରଫ କରିଥିବା ବେଳେ ଏବେ ୪ ଜଣଙ୍କୁ ଗିରଫ କରି ଅଧିକ ତଦନ୍ତ କରୁଛି । ଏଯାବତ ଏହି ହତ୍ୟାକାଣ୍ଡ ଘଟଣାରେ ପୋଲିସ ୧୩ ଜଣଙ୍କୁ ଗିରଫ କରିଛି । ଏହି ମାମଲାରେ ଆଉ ଦୁଇ ଅଭିଯୁକ୍ତ ରଞ୍ଜନ ମଲ୍ଲିକ ଓ ସରୋଜ ପଣ୍ଡାକୁ ପୋଲିସ ଏନକାଉଣ୍ଟର କରିଥିବାରୁ ବର୍ତ୍ତମାନ ସେମାନେ ବ୍ରହ୍ମପୁର ମେଡିକାଲରେ ଚିକିତ୍ସାଧିନ ଅଛନ୍ତି । ପୂର୍ବରୁ ଏହି ମାମଲାରେ ପୋଲିସ ମାଷ୍ଟରମାଇଣ୍ଡ ମୃତ ସୁଧିରଙ୍କ ଝିଆରୀ ନିବେଦିତା ପାତ୍ର ଓ ତାଙ୍କ ପୁତୁରା ତୁଷାର କୁମାର ପାତ୍ର, ନିବେଦିତାଙ୍କ ପୁରୁଷ ବନ୍ଧୁ ଗାଙ୍ଗପୁର ଥାନା କାଳିଆଗୁଡ଼ ଅଞ୍ଚଳର କାଳିଆ ଓରଫ କାଳୁ ଚରଣ ପ୍ରଧାନ, ବୁଗୁଡା ଥାନା ଅନ୍ତର୍ଗତ ବି.ବ୍ରହ୍ମପୁର ଟିଲୁ ଓରଫ ଆଶିଷ ମହାପାତ୍ର, ବୁଗୁଡାର ନାରାୟଣ ପ୍ରଧାନ, ହିଞ୍ଜିଳି ଥାନା ଅନ୍ତର୍ଗତ ସାମଳାଇ ନଗରର ଶୁଭମ ନାୟକ, ଶୁଭମ ଗୌଡ଼, ଉତ୍ତରପ୍ରଦେଶ ବାରଣାସୀର ସୂର୍ଯ୍ୟ ପ୍ରତାପ ସିଂ ଓ ହିଂଜିଳିକାଟୁ ଥାନା ଅନ୍ତର୍ଗତ ଆଲିପୁର ଜିତୁନ୍ ପଳେଇକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

Also Read:- ଖାଡ଼ା ଉପାସରେ କୁଷ୍ଠାଶ୍ରମ ଅନ୍ତେବାସୀ, ଅଧିକ୍ଷକଙ୍କ ଅଫିସ୍ ଆଗରେ ଧାରଣା ; ଖାଦ୍ୟ ଯୋଗାଣକାରୀ SHGର କୋଟିଏ ବାକି

ପର୍ଯ୍ୟାୟ କ୍ରମେ ୯ ଅଭିଯୁକ୍ତଙ୍କୁ ପୂର୍ବରୁ ୩ ଥର ରିମାଣ୍ଡରେ ଆଣି ପୋଲିସ ଅଧିକ ତଦନ୍ତ କରିଥିଲା । ଏବେ ମୁକେଶ ସାହୁ ଏବଂ ଗୁଜରାଟ ସୁରତ ଅଞ୍ଚଳର ସୁମିତ ସିଂ ସୁନୀଲ ରାଜପୁତ ଦୁଇ ଜଣଙ୍କୁ ରିମାଣ୍ଡରେ ନେଇ ପୋଲିସ କ୍ରାଇମ ସିନ ରିକ୍ରିଏସନ କରି ଅଧିକ ତଥ୍ୟ ହାସଲ କରିଛି । ଏହି ଘଟଣାରେ ଆଉ କାହାର ସମ୍ପୃକ୍ତି ରହିଥିବା, ଘଟଣା ପଛରେ ଆଉ କଣ ସତ ଲୁଚି ରହିଥିବା ଆଶଙ୍କା କରି ପୋଲିସ ତଥ୍ୟ ଓଗାଳି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିପାରେ ବୋଲି କହିଛନ୍ତି ବରିଷ୍ଠ ଆଇନଜୀବୀ ।