ପୁରୀ ୩୦।୧୨: ସରକାରୀ ଅଧିକାରୀ ନେଇପାରିବେ ନାହିଁ ଛୁଟି । ଆଜିଠାରୁ ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ । ପୁରୀ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ । ମୁଖ୍ୟ କାର୍ଯ୍ୟାଳୟ ନଛାଡିବାକୁ ଜିଲ୍ଲାପାଳଙ୍କ କଡା ନିର୍ଦ୍ଦେଶ । ୨୦୨୬ ନୂଆବର୍ଷ ଭିଡକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଜାରି କରିଛନ୍ତି ନିର୍ଦ୍ଦେଶନାମା । ପୁରୀରେ ପର୍ଯ୍ୟଟକ ଏବଂ ଭକ୍ତଙ୍କ ଆଗମନକୁ  ଦୃଷ୍ଟିରେ ରଖି ନିଆଯାଇଛି ପଦକ୍ଷେପ । ଜିଲ୍ଲାର ବିଭିନ୍ନ ସ୍ଥାନରେ ପର୍ଯ୍ୟଟନସ୍ଥଳୀ, ତୀର୍ଥସ୍ଥାନ ରହିଥିବାରୁ ଭିଡ଼କୁ ଦେଖି ନିଷ୍ପତ୍ତି ନେଇଛନ୍ତି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ।

ଆସନ୍ତା ୨୦୨୬ ନୂଆବର୍ଷ ସୁଖ ସମୃଦ୍ଧି ପୂର୍ଣ୍ଣ ହେଉ । ଏହି ଆଶା ନେଇ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଶ୍ରୀମନ୍ଦିରକୁ ଧାଇଁ ଆସୁଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ । ମହାପ୍ରଭୁଙ୍କ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନେଇ ନୂଆବର୍ଷରେ ଏକ ନୂଆ ଢଙ୍ଗରେ ଜୀବନ ଜୀବିକାକୁ ଆଗେଇ ନେବା ପାଇଁ ଭକ୍ତମାନେ ଶ୍ରୀମନ୍ଦିରକୁ ଛୁଟି ଆସୁଛନ୍ତି । ନବବର୍ଷରେ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଏହାକୁ କିଭଳି ଶୃଙ୍ଖଳିତ କରାଯାଇପାରିବ ସେନେଇ ଶ୍ରୀମନ୍ଦିର, ପୁରୀ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଭକ୍ତମାନେ କିଭଳି ସୁରୁଖୁରୁରେ ମହାପ୍ରଭୁଙ୍କ ଦର୍ଶନ ପାଇପାରିବେ ଓ ସଅଳ ନୀତିକାନ୍ତି ମହାପ୍ରଭୁଙ୍କର ହୋଇପାରିବ ସେନେଇ ସେବାୟତଙ୍କ ସହ ଆଲୋଚନା କରାଯାଇଛି ।

​​​​​​​ସେପଟେ ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ପୁରୀକୁ ପର୍ଯ୍ୟଟକଙ୍କ ଆଗମନ ହୋଇ ସାରିଥିବା ବେଳେ ବିଭିନ୍ନ ହୋଟେଲ ଗୁଡ଼ିକରେ ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି ।‌ ଡିଜେ ନାଇଟ୍ ସହ ବଲିଉଡ, ଓଲିଉଡ ସିଙ୍ଗରଙ୍କୁ ନେଇ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପର୍ଯ୍ୟଟକଙ୍କୁ ଆପ୍ୟାୟିତ କରିବା ପାଇଁ ବିଭିନ୍ନ ହୋଟେଲରେ ଦେଶୀ ବିଦେଶୀ ଖାଦ୍ୟର ବ୍ୟବସ୍ଥା କରାଯାଉଛି ।

ଭୁବନେଶ୍ବରରୁ ଆସୁଥିବା ଚାରିଚକିଆ ଯାନ ଗୁଡିକ ଶ୍ରୀସେତୁ, ଜଗନ୍ନାଥ ବଲ୍ଲଭ ଏବଂ ଜେଲ୍ ରୋଡ ପାର୍କିଂରେ ଗାଡ଼ି ରଖିପାରିବେ । ବ୍ରହ୍ମଗିରି ପଟୁ ଆସୁଥିବା ଚାରିଚକିଆ ଯାନ ଷ୍ଟ୍ରଲିଙ୍ଗ ଛକ ଏବଂ ଯାତ୍ରୀକା ଠାରେ ପାର୍କିଂ କରିପାରିବେ । ସେହିପରି କୋଣାର୍କ ପଟୁ ଆସୁଥିବା ଗାଡିଗୁଡିକ ତାଳବଣିଆ ପଡ଼ିଆରେ ପାର୍କିଂ କରିପାରିବେ । ଆସନ୍ତା ୩୧ ଏବଂ ୧ ତାରିଖ ଦୁଇଦିନ ପାଇଁ ଏହି କଟକଣା ଜାରି କରିଛି ପୁରୀ ପୋଲିସ । ସେହିପରି ବଡ଼ଦାଣ୍ଡ ମାର୍କେଟ ଛକ ଠାରୁ ଶ୍ରୀମନ୍ଦିର ଯାଏଁ ପୋଲିସ ପକ୍ଷରୁ ନୋ ଭେହିକିଲ ଜୋନ୍ କରାଯାଇଛି । ​​​​​​​

​​​​​​​