ଭୁବନେଶ୍ୱର: ଜେଲ ମୁକୁଳିବା ପରେ ସିଧା ତାରକା ହୋଟେଲକୁ ଯାଉଥିଲା। ଜାଲ ପରିଚୟପତ୍ର ଦେଖାଇ ଭିଆଇପିଙ୍କ ଭଳି ମାସ ମାସ ଧରି ରହୁଥିଲା। ମାଗଣା ଖାଇବା ସହ ଚାକଚକ୍ୟ ଭରା ରହଣି ପରେ ଉଭାନ ହୋଇଯାଉଥିଲା। ବିଭିନ୍ନ ରାଜ୍ୟରେ ୩୦୦ ତାରକା ହୋଟେଲକୁ ଏଭଳି ଚୂନ ଲଗାଇଥିବା ଜଣେ ବୃଦ୍ଧ ଠକ ଭୁବନେଶ୍ୱରରୁ ଧରାପଡ଼ିଛି।

ଠକ ଜଣକ ହେଲେ ୬୯ ବର୍ଷୀୟ ବିଙ୍ଗସନ୍ ଜନ୍ । ଘର ତାମିଲନାଡୁରେ। କିଛି ଦିନ ତଳେ ସେ ଭୁବନେଶ୍ଵର ମୈତ୍ରୀବିହାର ଥାନା ଅଞ୍ଚଳର ଏକ ତାରକା ହୋଟେଲରେ ରହିବାକୁ ଯୋଜନା କରିଥିଲା । ରାୟପୁର ପୁଲିସ ତାକୁ ଭୁବନେଶ୍ଵର ବିମାନବନ୍ଦରରୁ ଉଠାଇ ନେଇଛି। ଗତ ମାସରେ ଜନ୍ ଛତିଶଗଡ଼ ରାୟପୁରର ନାମୀ ତାରକା ହୋଟେଲ ‘ହାୟତ’ରେ ରହିଥିଲା। କିଛି ଦିନ ରହଣି ପରେ ୬୩,୭୫୫ ଟଙ୍କାର ବକେୟା ବିଲ୍ ଭରିନଥିଲା। ହୋଟେଲରୁ ଦେଢ଼ ଲକ୍ଷ ଟଙ୍କାର ଏକ ଦାମୀ ଲାପଟପ୍ ନେଇ ଓଡ଼ିଶା ଚାଲି ଆସିଥିଲା।

ବିଂଶ ଶତାବ୍ଦୀର ଚର୍ଚ୍ଚିତ ସିରିଆଲ୍ କିଲର ଚାର୍ଲସ୍ ଶୋଭରାଜକୁ ଆଦର୍ଶ ମାନିଥିଲା ଜନ୍। ଚାଲିଚଳଣ ସାଙ୍ଗକୁ ଠାଣି ପୂରା ସମ୍ଭ୍ରାନ୍ତ ଶ୍ରେଣୀ ଲୋକଙ୍କ ଭଳି । ଇଂରାଜୀ ଭାଷାରେ ମାର୍ଜିତ କଥାବାର୍ତ୍ତା ସହ ହାବଭାବକୁ ଦେଖିଲେ, ଯେ କେହି ବି ଧୋକ୍କା ଖାଇଯିବ। ତାରକା ହୋଟେଲ କର୍ମଚାରୀ ଜନ୍ଙ୍କ ଜାଲରେ ଫସିଯାଉଥିଲେ ।

ଜନ୍ ଅବିବାହିତ। ସେ ଇଂରାଜୀ ମାଧ୍ୟମିକ ସ୍କୁଲରେ ପାଠ ପଢ଼ିଛି। ୧୯୮୦ ମସିହାରେ ଦିଲ୍ଲୀରେ ବେଶ୍ କିଛି ଦିନ ଟୁରିଷ୍ଟ ଗାଇଡ୍ ଥିଲା । ସେତେବେଳେ ଅତିଥିମାନଙ୍କୁ ଯେଉଁ ହୋଟେଲରେ ରଖୁଥିଲା, ସେଠାରେ ମଧ୍ୟ ମାଗଣାରେ ରହୁଥିଲା। ୧୯୯୦ ମସିହାରୁ ତାରକା ହୋଟେଲକୁ ଚୂନ ଲଗାଇବା ଆରମ୍ଭ କଲା। ପରେ ହୋଟେଲରେ ମାଗଣା ରହଣି ଅଭ୍ୟାସରେ ପରିଣତ ହେଲା ।

ଅଧିକାଂଶ ସମୟରେ ଜନ୍ ନିଜକୁ ଟୁରିଷ୍ଟ ଗାଇଡ୍ ବୋଲି ଦର୍ଶାଉଥିଲା। ନଚେତ୍ ଇଂରାଜୀ ଶିକ୍ଷକ କିମ୍ବା ଯୋଗ ଗୁରୁ ବୋଲି ପରିଚୟ ଦେଉଥିଲା। କଥାବାର୍ତ୍ତା ଛଳରେ ହୋଟେଲ କର୍ତ୍ତୃପକ୍ଷଙ୍କ ସହ ସହଜରେ ମିଶି ଯାଉଥିଲା । ପରେ ହୋଟେଲରେ ରହଣି ବାବଦକୁ ଅଗ୍ରୀମ ଦେୟକୁ ଏଡ଼ାଇ ଯାଉଥିଲା। କେରଳ, ତାମିଲନାଡୁ, ଗୋଆ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ଓ କର୍ଣାଟକ ଭଳି ୧୦ଟି ରାଜ୍ୟରେ ନାମୀ ଦାମୀ ହୋଟେଲ କର୍ତ୍ତୃପକ୍ଷଙ୍କୁ ଲକ୍ଷ ଲକ୍ଷ ଟଙ୍କାର ଚୂନ ଲଗାଇଛି ସେ।

ରାୟପୁର ପୁଲିସ ଦ୍ୱାରା ଗିରଫ ପୂର୍ବରୁ ଅନେକ ରାଜ୍ୟର ପୁଲିସ ତାକୁ ଜେଲ ପଠାଇ ସାରିଛି। ୧୯୯୬ ମସିହାରେ ଜନ୍ ପ୍ରଥମ ଥର ପାଇଁ କୌଣସି ମାମଲାରେ ତିହାର ଜେଲ୍ରେ ରହିଥିଲା। ଜନ୍ ପ୍ରାୟ ୧୫ ବର୍ଷ ଧରି ଦେଶର ବିଭିନ୍ନ ଜେଲରେ ରହିଛି। ଜେଲ୍ ଚାରି କାନ୍ଥରୁ ମୁକୁଳିବା ପରେ ସିଧା ପାଞ୍ଚ ତାରକା ହୋଟେଲରେ ଭିଆଇପିଙ୍କ ଭଳି ରହୁଥିଲା । ୨୦୨୨ ମସିହାରେ କେରଳର ଥିରୁଅନନ୍ତପୁରମ୍ର ଏକ ତାରକା ହୋଟେଲକୁ ଚୂନ ଲଗାଇବାରୁ କୋଲାମ୍ ରେଳବାଇ ଥାନା ପୁଲିସ ତାକୁ ବାନ୍ଧିଥିଲା। ଗତମାସରେ ରାୟପୁରର ତାରକା ହୋଟେଲ କର୍ତ୍ତୃପକ୍ଷଙ୍କ ଅଭିଯୋଗକ୍ରମେ ପୁଲିସ ତା’ ମୋବାଇଲ୍ ନମ୍ବରକୁ ଟ୍ରାକ୍ କରି ଭୁବନେଶ୍ୱରରୁ ବାନ୍ଧିଛି।