ନୂଆଦିଲ୍ଲୀ:  ପାକିସ୍ତାନରୁ ପରିଚାଳିତ ଆତଙ୍କବାଦୀ ସଂଗଠନ 'ଲସ୍କର-ଏ-ତୋଇବା' (LeT)ର ଜଣେ ଶୀର୍ଷ ଆତଙ୍କବାଦୀ କ୍ୟାମେରା ଆଗରେ ଏକ ବଡ଼ ଦାବି କରିଛି। ପାକିସ୍ତାନ ମାଟିରେ ଗତ ୩ରୁ ୪ ବର୍ଷ ମଧ୍ୟରେ କୌଣସି ଅଜ୍ଞାତ ଆତତାୟୀଙ୍କ ଗୁଳିରେ ସେମାନଙ୍କ ସଂଗଠନର ୩୦ରୁ ଅଧିକ ସଦସ୍ୟ ପ୍ରାଣ ହରାଇଥିବା ସେ ସ୍ୱୀକାର କରିଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଲସ୍କର-ଏ-ତୋଇବା ସହ ଜଡ଼ିତ ଆତଙ୍କବାଦୀ ରିଜୱାନ ହନିଫକୁ ଏହି ସ୍ୱୀକାରୋକ୍ତି ଦେଉଥିବାର ଦେଖାଯାଇଛି। ସୂଚନାଯୋଗ୍ୟ, ପାକିସ୍ତାନ ସରକାର ଦାବି କରିଆସୁଛନ୍ତି ଯେ, ଏହି ସଂଗଠନକୁ ବହୁ ପୂର୍ବରୁ ବ୍ୟାନ କରାଯାଇଛି ଏବଂ ଏହା ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇଯାଇଛି।

୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପଛରେ ଲସ୍କର-ଏ-ତୋଇବାର ହାତ ଥିଲା। ଭିଡିଓରେ ରିଜୱାନ ଦାବି କରିଛି ଯେ, ପାକିସ୍ତାନର ପେଶାୱାର, କରାଚୀ, ରାୱଲପିଣ୍ଡି ସମେତ ପାକ୍-ଅଧିକୃତ କାଶ୍ମୀର (PoK)ର ରାୱଲାକୋଟ୍ ଏବଂ ମୁଜଫରାବାଦରେ ଏହି ସବୁ ହତ୍ୟାକାଣ୍ଡ ଘଟିଛି। ଗତ କିଛି ବର୍ଷ ହେବ ନିୟମିତ ଭାବରେ ସେମାନଙ୍କ ସଂଗଠନର ଆତଙ୍କବାଦୀମାନଙ୍କୁ ଟାର୍ଗେଟ୍ କରି ହତ୍ୟା କରାଯାଉଛି। ୨୦୦୫ରେ ଜାତିସଂଘ (UN) ଦ୍ୱାରା ଅଲ-କାଏଦା ଏବଂ ତାଲିବାନ୍ ସହ ସମ୍ପୃକ୍ତି ପାଇଁ ବ୍ୟାନ ହୋଇଥିବା ଏହି ସଂଗଠନର କୌଣସି ଆତଙ୍କବାଦୀ ପ୍ରଥମ ଥର ପାଇଁ ସାର୍ବଜନୀନ ଭାବରେ ଏଭଳି ସ୍ୱୀକାର କରିଛି। ଭାରତୀୟ ସୁରକ୍ଷା ଏଜେନ୍ସିଗୁଡ଼ିକ ଏହି ଭିଡିଓର ସତ୍ୟତା ଯାଞ୍ଚ କରିବା ସହ ଭିଡିଓରେ ଥିବା ବ୍ୟକ୍ତି ଭାରତ ଦ୍ୱାରା ଖୋଜାଯାଉଥିବା ଲସ୍କରର ଶୀର୍ଷ ଆତଙ୍କବାଦୀ ରିଜୱାନ ହନିଫ ବୋଲି ସ୍ପଷ୍ଟ କରିଛନ୍ତି।

ଏହି ଟାର୍ଗେଟ୍ କିଲିଂ ପଛରେ ଭାରତୀୟ ସୁରକ୍ଷା ଏଜେନ୍ସିଗୁଡ଼ିକର ହାତ ରହିଛି ବୋଲି ରିଜୱାନ ଭିଡିଓରେ ଅଭିଯୋଗ କରିଛି। ତେବେ ଭାରତ ସରକାର ଏହି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହି ଭିଡିଓରେ ରିଜୱାନ ହନିଫ ହିନ୍ଦୁ ଧର୍ମ ବିରୋଧରେ ଅତ୍ୟନ୍ତ ଆପତ୍ତିଜନକ ଭାଷା ବ୍ୟବହାର କରୁଥିବାର ଦେଖାଯାଇଛି। ତେବେ ଆତଙ୍କବାଦୀଙ୍କ ଭୂସ୍ବର୍ଗରେ ଆତଙ୍କବାଦୀଙ୍କୁ ହତ୍ୟା କରାଯାଉଛି । କିଏ ସେହି ଧୂରନ୍ଧର ? ଯିଏ ଆତଙ୍କବାଦୀଙ୍କୁ ନିପାତ କରିବାକୁ ପଣ କରିଛନ୍ତି । ଲସ୍କର ଶିବିରରେ ଭୟର ବାତାବରଣ ଖେଳିଯାଇଛି, ଏଥିରେ ସନ୍ଦେହ ନାହିଁ । ଲସ୍କର ଆତଙ୍କବାଦୀଙ୍କ ଏଭଳି ସ୍ବୀକାରୋକ୍ତି ଏହାକୁ ଦର୍ଶାଉଛି ।