ଆଖି ବନ୍ଦ କଲେ ମନ ଶାନ୍ତ ହେଉନି। ଚୁପଚାପ ବସିଲେ ଚିନ୍ତା ଆହୁରି ବଢ଼ିଯାଉଛି। ମେଡିଟେସନ୍ କରିବାକୁ ଚେଷ୍ଟା କରି ମଧ୍ୟ ଯଦି ଆପଣ ବିଫଳ ହେଉଛନ୍ତି, ତେବେ ନିଜକୁ ଦୋଷ ଦିଅନ୍ତୁ ନାହିଁ। କାରଣ ଆଧ୍ୟାତ୍ମିକ ଶାନ୍ତିର ରାସ୍ତା କେବଳ ଧ୍ୟାନ ମଧ୍ୟରେ ସୀମିତ ନୁହେଁ।

ଆଜିର ଦ୍ରୁତ ଜୀବନରେ ମଣିଷର ମନ ପ୍ରାୟ ସବୁବେଳେ କିଛି ନା କିଛି ଭାବୁଛି। ଅଫିସ୍ର କାମ, ପରିବାରର ଚିନ୍ତା, ଭବିଷ୍ୟତକୁ ନେଇ ଅନିଶ୍ଚିତତା ଏବଂ ତା’ ସହିତ ମୋବାଇଲ୍ର ଅବିରତ ନୋଟିଫିକେସନ୍ ଏସବୁ ମିଶି ମନକୁ ଗୋଟିଏ ମୁହୂର୍ତ୍ତ ପାଇଁ ମଧ୍ୟ ଥମିବାକୁ ଦେଉନାହିଁ। ଏଭଳି ସମୟରେ କିଛି ଛୋଟ ଅଭ୍ୟାସ ଆପଣଙ୍କୁ ନିଜ ସହିତ ପୁଣିଥରେ ଯୋଡ଼ିବାର ସାହାଯ୍ୟ କରିପାରିବ । ଗୋଟେ ଜାଗାରେ ବସି ଧ୍ୟାନ କରିବା ପ୍ରତିବଦଳରେ କିଛି ବିକଳ୍ପ ରାସ୍ତା ମଧ୍ୟ ରହିଛି l

୧. ଫୋନ୍କୁ ପାଖରେ ରଖି ଏକୁଟିଆ ଚାଲନ୍ତୁ

ଶାନ୍ତି ପାଇବା ପାଇଁ ସବୁବେଳେ ଗୋଟିଏ ଜାଗାରେ ବସିବା ଜରୁରୀ ନୁହେଁ। କିଛି ସମୟ ବିନା ଫୋନରେ ଚାଲିବା ମଧ୍ୟ ଏକ ସୁନ୍ଦର ଅଭ୍ୟାସ ହୋଇପାରେ। କୌଣସି ମ୍ୟୁଜିକ୍ ନୁହେଁ, କଲ୍ ନୁହେଁ, ସୋସିଆଲ୍ ମିଡିଆ ନୁହେଁ। କେବଳ ନିଜ ସହିତ କିଛି ସମୟ। ଚାଲିବା ସମୟରେ ଆକାଶକୁ ଦେଖନ୍ତୁ, ଗଛ ପତ୍ରର ଶବ୍ଦ ଶୁଣନ୍ତୁ, ରାସ୍ତାର ଚାରିପାଖକୁ ଲକ୍ଷ୍ୟ କରନ୍ତୁ କିମ୍ବା ନିଜ ପାଦର ଶବ୍ଦକୁ ଅନୁଭବ କରନ୍ତୁ। ମନରେ ଆସୁଥିବା ପ୍ରତ୍ୟେକ ଚିନ୍ତାକୁ ଅଟକାଇବା ଦରକାର ନାହିଁ। ଚିନ୍ତା ଆସିବ ଆଉ ଯିବା । କିନ୍ତୁ ଆପଣ କେବଳ ତାହାକୁ ଲକ୍ଷ୍ୟ କରନ୍ତୁ।

 

ପୁରୁଣା କପଡ଼ାରେ ପୋଛା ଲଗାଉଛନ୍ତି କି ? ତେବେ ବାସ୍ତୁର ଏହି ନିୟମ ନିହାତି ଜାଣିବା ଆବଶ୍ୟକ...

୨. ଭଗବାନଙ୍କ ସହିତ ନିଜ ଭାଷାରେ କଥା ହୁଅନ୍ତୁ

ଯଦି ଆପଣ ରୀତି ମତ ପ୍ରାଥନା କରୁଛନ୍ତି ତେବେ ପ୍ରାଥନା କରିବାର ତରିକା ବଦଳାନ୍ତୁ l ପ୍ରାର୍ଥନା ମାନେ ସବୁବେଳେ ଲମ୍ବା ମନ୍ତ୍ର କିମ୍ବା ନିର୍ଦ୍ଦିଷ୍ଟ ନିୟମ ନୁହେଁ। କେବେ କେବେ ମନର କଥାକୁ ସରଳ ଭାବରେ କହିଦେବା ମଧ୍ୟ ଏକ ପ୍ରକାର ଆଧ୍ୟାତ୍ମିକ ଅଭ୍ୟାସ ହୋଇପାରେ।ଯେମିତିକି ଆପଣ ଭଗବାନଙ୍କୁ କହିପାରନ୍ତି “ମୋତେ ଏହି ପରିସ୍ଥିତିକୁ ସାମ୍ନା କରିବାର ଶକ୍ତି ଦିଅ।” କିମ୍ବା ନିଜ ମନରେ ଥିବା ଚିନ୍ତା, ଦୁଃଖ, ଆଶା ଓ କୃତଜ୍ଞତାକୁ ଶବ୍ଦରେ ପ୍ରକାଶ କରନ୍ତୁ। ନିଜ ସାଙ୍ଗ କିମ୍ବା ଅତି ପ୍ରିୟର ମଣିଷ ସହିତ ଯେପରି ମନର କଥାକୁ ଖୋଲିକି କହୁଛନ୍ତି ଠିକ ସେହିପରି ଭଗବାନଙ୍କ ସହିତ କଥା ହୁଅନ୍ତୁ l ଏହା ଦ୍ୱାରା ମନ ଭିତରେ ସକରାତ୍ମକ ଉର୍ଜା ସୃଷ୍ଟି ହେବ l ସେଥିପାଇଁ ପ୍ରାର୍ଥନାର ମୂଳ ଅର୍ଥ ହେଉଛି ନିଜ ମନର କଥାକୁ ଦୃଢତାର ସହ ପ୍ରକାଶ କରିବା।

୩. ଗୋଟିଏ ସାଧାରଣ କାମକୁ ପୂରା ମନ ଦେଇ କରନ୍ତୁ

ଆମେ ଦିନକୁ ଅନେକ କାମ କରୁଛୁ, କିନ୍ତୁ ପ୍ରାୟ ସବୁବେଳେ ମନ ଥାଏ ଅନ୍ୟ କୌଣସି ସ୍ଥାନରେ। ଚା’ ପିଉଥିବା ବେଳେ ଫୋନ୍ ଦେଖୁଛୁ। ଖାଇବା ସମୟରେ ମେସେଜ୍ ଚେକ୍ କରୁଛୁ। ଗୋଟିଏ କାମ କରୁଥିବା ବେଳେ ପରବର୍ତ୍ତୀ କାମ ବିଷୟରେ ଭାବୁଛୁ। ତେଣୁ ଦିନକୁ ଅତି କମ୍ରେ ଗୋଟିଏ କାମ ଏଭଳି କରନ୍ତୁ, ଯେଉଁଠି ଆପଣଙ୍କ ପୂରା ଧ୍ୟାନ କେବଳ ସେହି କାମ ଉପରେ ରହିବ। ସକାଳର ଚା’ ହେଉ, ଗଛରେ ପାଣି ଦେବା ହେଉ କିମ୍ବା ରାନ୍ଧିବା ସେହି ମୁହୂର୍ତ୍ତକୁ ଅନୁଭବ କରନ୍ତୁ। କେବେ କେବେ ସାଧାରଣ ମୁହୂର୍ତ୍ତକୁ ପୂରା ମନ ଦେବା ମଧ୍ୟ ମନକୁ ବିରତି ଦେଇଥାଏ।

୪. ପ୍ରତିଦିନ ଗୋଟିଏ କଥା ପାଇଁ କୃତଜ୍ଞ ରୁହନ୍ତୁଦିନର ଶେଷରେ ଅର୍ଥାତ ଶୋଇବା ପୂର୍ବରୁ କୃତଜ୍ଞତା ଦେବାର କଳା ଶିଖନ୍ତୁ l ଅନେକ ସମୟରେ ଆମର ପୁରା ଦିନ ଅବସାଦ ଓ ନିରାଶା ଭିତରେ କଟିଥାଏ l କିନ୍ତୁ ଆମେ ଭୁଲିଯାଇଥାଉ ଦିନକ ଭିତରେ କେହି ନା କେହି ଛୋଟ ବଡ ସାହାଯ୍ୟ କରିଥାଏ l ତେଣୁ କୃତଜ୍ଞତା ପାଇଁ ଆମକୁ ବଡ଼ କୌଣସି କାରଣ ଖୋଜିବା ଆବଶ୍ୟକ ନାହିଁ। ହୁଏତ ଜଣେ ବନ୍ଧୁଙ୍କ ଛୋଟ ମେସେଜ୍ ଆପଣଙ୍କୁ ଭଲ ଲାଗିଥିଲା। ହୁଏତ ଆଜିର ଖାଦ୍ୟ ଭଲ ଲାଗିଥିଲା। ହୁଏତ ଦିନର ବ୍ୟସ୍ତତା ମଧ୍ୟରେ ଆପଣଙ୍କୁ କିଛି ମିନିଟ୍ ଶାନ୍ତି ମିଳିଥିଲା। ରାତିରେ ଶୋଇବା ପୂର୍ବରୁ ସେହି ଗୋଟିଏ ଭଲ କଥା ମନେ ପକାନ୍ତୁ। ଆଉ ଭଗବାନଙ୍କୁ ସେଥିପାଇଁ କୃତଜ୍ଞତା ଜ୍ଞାପନ କରନ୍ତୁ l ଏହାର ଅର୍ଥ ଜୀବନର ସମସ୍ତ ସମସ୍ୟାକୁ ଭୁଲିଯିବା ନୁହେଁ। ବରଂ ସମସ୍ୟା ମଧ୍ୟରେ ଥିବା ଛୋଟ ଛୋଟ ଭଲ ମୁହୂର୍ତ୍ତକୁ ଚିହ୍ନିବା ବା ମନେପକାଇବା ।

୫. ନିଜ ପାଇଁ କିଛି ‘ନିରବ ସମୟ’ ରଖନ୍ତୁ

ଦିନ ତମାମ ଆମେ ଅନ୍ୟମାନଙ୍କ ପାଇଁ ସମୟ ଦେଉଛେ କିନ୍ତୁ ନିଜ ପାଇଁ ସମୟ ଟିକେ ବାହାର କରିବା ଆମ ପାଇଁ ଭାରି କଷ୍ଟକର ଯାହା ଆମ ମାନସିକ ସନ୍ତୁଳନ ଖରାପ କରିଥାଏ l ତେଣୁ ଦିନର କିଛି ସମୟ କେବଳ ନିଜ ପାଇଁ ରଖନ୍ତୁ। ଫୋନ୍କୁ ସାଇଲେଣ୍ଟ କରନ୍ତୁ। ସୋସିଆଲ୍ ମିଡିଆଠାରୁ ଦୂରେ ରୁହନ୍ତୁ। ନିଜ ମନରେ କ’ଣ ଚାଲିଛି, ତାହାକୁ ଅନୁଭବ କରନ୍ତୁ ବା ଆତ୍ମ ବିସ୍ଲେସଣ କରନ୍ତୁ l ଏହି ସମୟରେ କିଛି ଲେଖିପାରନ୍ତି, ପ୍ରାର୍ଥନା କରିପାରନ୍ତି, ଶାନ୍ତ ଭାବେ ବସିପାରନ୍ତି କିମ୍ବା କେବଳ ଚୁପ୍ ରହିପାରନ୍ତି।

ଆଧ୍ୟାତ୍ମିକତା ପାଇଁ ସମସ୍ତଙ୍କ ଅନୁଭବ ଏକାଭଳି ହେବା ଆବଶ୍ୟକ ନୁହେଁ। କାହା ପାଇଁ ଧ୍ୟାନ ଶାନ୍ତିର ରାସ୍ତା ହୋଇପାରେ, ତ କାହା ପାଇଁ ପ୍ରାର୍ଥନା, ଏକୁଟିଆ ଚାଲିବା, ଲେଖିବା କିମ୍ବା ନିଜ ପସନ୍ଦର କାମରେ ପୂରା ମନ ଦେବା ଅଧିକ ସ୍ୱାଭାବିକ ହୋଇପାରେ। ତେଣୁ କେବଳ ଗୋଟିଏ ଜାଗାରେ ଆଖିବନ୍ଦ କରି ଧ୍ୟାନ ମୁଦ୍ରାରେ ବସି ମାନସିକ ସନ୍ତୁଳନ ରକ୍ଷା କରିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ l ମନକୁ ଶାନ୍ତ କରିବା ନିମନ୍ତେ ସହଜ ଓ ସରଳ ମାଧ୍ୟମକୁ ଆପଣେଇବା ନିହାତି ଜରୁରୀ l