ରାଇରଙ୍ଗପୁର ୦୭।୦୬ : ଖଣି ମାଲିକଙ୍କ ଘରେ ବଡ଼ ଧରଣର ଚଢ଼ାଉ । ୭୦କୋଟି ଟଙ୍କାର ବକେୟା ଆଦାୟ ପାଇଁ ସମ୍ପତ୍ତି ଦଖଲ ପ୍ରକ୍ରିୟା ଜାରି। ମୟୂରଭଂଜ ଜିଲ୍ଲାରେ ବେଆଇନ ଖଣି କାରବାର ଓ ରାଜସ୍ଵ ଆଦାୟ କ୍ଷେତ୍ରରେ ଜିଲ୍ଲା ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଦୀର୍ଘଵର୍ଷ ହେଲା ଖଣି ମାଲିକ ବକେୟା ଟଙ୍କା ଡିପୋଜିଟ୍ କରୁନଥିବାରୁ ବାଧ୍ୟ ହୋଇ ଜିଲ୍ଲା ପ୍ରଶାସନ ଆକ୍ସନକୁ ଆସିଛି। ରାଇରଙ୍ଗପୁରର ଖଣି ମାଲିକ ଜୟ କିଶୋର ଚୌବେଙ୍କ ଘରେ ଚଢ଼ାଉ କରାଯାଇଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତହସିଲଦାର, ସଵ ରେଜିଷ୍ଟ୍ରାର, ମାଇନିଂ ଅଫିସର, ପୂର୍ତ୍ତବିଭାଗ ଯନ୍ତ୍ରୀ ଏବଂ ରାଇରଙ୍ଗପୁର ପୋଲିସର ମିଳିତ ଚଢ଼ାଉ କରିଛନ୍ତି। ଖଣି ମାଲିକଙ୍କ ଅଁଳାଡୁବାସ୍ଥ ବାସ ଭବନରେ ଚଢ଼ାଉ ହୋଇଛି ।

Also Read:-ସୌମ୍ୟ ହତ୍ୟାକାଣ୍ଡରେ ଛନ୍ଦି ହୋଇଯିବେ କି ବରିଷ୍ଠ ଆଇପିଏସ୍‌ ? ଅଭିଯୋଗର ସତ୍ୟତା ଯାଞ୍ଚ ପାଇଁ ଚିଠି ଲେଖିଲା କ୍ରାଇମ୍‌ବ୍ରାଞ୍ଚ

୨୦୧୮ ମସିହାରେ ତାଙ୍କ ନାମରେ ରୁଜୁ ହୋଇଥିବା ୩୬ କୋଟି ୯୬ ଲକ୍ଷ ୨ ହଜାର ୬ ଶହ ୭୮ ଟଙ୍କା ଓ ସୁଦ୍ଧ ମିଶି ୩୦ କୋଟି ସମୁଦାୟ ୭୦ କୋଟି ୫୯ ଲକ୍ଷ ୧୫ ହଜାର ୭ ଶହ ୧୦ ଟଙ୍କାରୁ ଉର୍ଦ୍ଧ୍ବ ବାକି ପଡ଼ିଛି । ପ୍ରଶାସନ ତାଙ୍କ ଘରେ ପହଞ୍ଚି ଥିବାବେଳେ ସେ ଉପସ୍ଥିତ ନଥିଲେ। ଘର ନିଲାମ ସଂପର୍କରେ ଡ଼ାକବାଜି ଯନ୍ତ୍ର ଦ୍ବାରା ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସୂଚନା ଦିଆଯାଇଛି । ଶୁକ୍ରବାର ବାରିପଦାର ଖଣି ମାଲିକ ବସନ୍ତ ଦାସଙ୍କ ଘରେ ପ୍ରଶାସନ ଚଢ଼ାଉ କରିଥିବାବେଳେ ଶନିବାର ରାଇରଙ୍ଗପୁରର ଜୟକିଶୋର ଚୌବେଙ୍କ ଘରେ ପ୍ରଶାସନ ଚଢ଼ାଉ କରିଛି।