କୋରାପୁଟ: ବୃଦ୍ଧବୃଦ୍ଧାଙ୍କ ସରକାରୀ ଭତ୍ତା ଟଙ୍କା ହଡ଼ପ ଅଭିଯୋଗ । ଭିଜିଲାନ୍ସ ଜାଲରେ ପଡ଼ିଲେ ପୂର୍ବତନ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ)। କୋରାପୁଟ ଜିଲ୍ଲାରେ ପ୍ରାୟ ୯ ଲକ୍ଷ ଟଙ୍କାର ବୃଦ୍ଧାବସ୍ଥା ଭତ୍ତା ଅର୍ଥ ହଡ଼ପ ଅଭିଯୋଗରେ ଆଦିତ୍ୟ ଚୋପାଡିଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ। ସେ ନନ୍ଦପୁର ବ୍ଲକ ଅନ୍ତର୍ଗତ ଖୁର୍ଜି ଗ୍ରାମ ପଞ୍ଚାୟତର ପୂର୍ବତନ ପିଇଓ ଥିଲେ।

ଭିଜିଲାନ୍ସ ସୂଚନା ଅନୁଯାୟୀ, ୨୦୨୩-୨୪ ଏବଂ ୨୦୨୪-୨୫ ଆର୍ଥିକ ବର୍ଷରେ ଖୁର୍ଜି ଗ୍ରାମ ପଞ୍ଚାୟତର ଯୋଗ୍ୟ ବୃଦ୍ଧ ହିତାଧିକାରୀଙ୍କ ପାଇଁ ଉଦ୍ଦିଷ୍ଟ ବାର୍ଦ୍ଧକ୍ୟ ଭତ୍ତା (OAP) ଯୋଜନାର ୮ ଲକ୍ଷ ୯୭ ହଜାର ୫୮୦ ଟଙ୍କା ଅଭିଯୁକ୍ତ ଆଦିତ୍ୟ ଚୋପାଡି ହଡ଼ପ କରିଥିବା ଅଭିଯୋଗ ହୋଇଛି।

ସରକାରଙ୍କ ପକ୍ଷରୁ ବୟସ୍କ ଓ ଅସହାୟ ଲୋକଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ଆସୁଥିବା ଏହି ଅର୍ଥରେ ଅନିୟମିତତା ଅଭିଯୋଗକୁ ନେଇ ଭିଜିଲାନ୍ସ ତଦନ୍ତ କରିଥିଲା। ତଦନ୍ତ ପରେ ଅଭିଯୁକ୍ତଙ୍କ ବିରୋଧରେ କୋରାପୁଟ ଭିଜିଲାନ୍ସ ଥାନାରେ ମାମଲା ରୁଜୁ ହୋଇଛି।

ଏନେଇ କୋରାପୁଟ ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୨୭/୨୦୨୬ ରୁଜୁ କରାଯାଇଛି। ଦୁର୍ନୀତି ନିବାରଣ ଆଇନ ଏବଂ ଭାରତୀୟ ଦଣ୍ଡବିଧି ଆଇନର ପ୍ରାସଙ୍ଗିକ ଧାରା ଅନୁସାରେ ଆଦିତ୍ୟ ଚୋପାଡିଙ୍କ ବିରୋଧରେ ମାମଲା ହୋଇଛି। ଗିରଫ ପରେ ଅଭିଯୁକ୍ତ ଆଦିତ୍ୟ ଚୋପାଡିଙ୍କୁ ଆଜି କୋର୍ଟରେ ହାଜର କରାଯାଇଛି।

Also Read: ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ନାଁରେ ୭.୨୪ ଲକ୍ଷ ଟଙ୍କା ହଡ଼ପ, ଭିଜିଲାନ୍ସ ଜାଲରେ ପୂର୍ବତନ ପିଇଓ, ଜେଇ ଓ ଠିକାଦାର