ଗଞ୍ଜାମ: ସରକାରୀ ଟଙ୍କା ହଡ଼ପ କରିବାକୁ ନେଇ ବଡ଼ ଦୁର୍ନୀତିର ପର୍ଦ୍ଦାଫାସ କରିଛି ଓଡ଼ିଶା ଭିଜିଲାନ୍ସ। ଗ୍ରାମରେ ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ଓ ରକ୍ଷଣାବେକ୍ଷଣ ନାଁରେ ୭ ଲକ୍ଷ ୨୪ ହଜାର ୯୫୮ ଟଙ୍କାର ସରକାରୀ ପାଣ୍ଠି ହଡ଼ପ ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରିଛି ଭିଜିଲାନ୍ସ। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ), ଜୁନିୟର ଇଞ୍ଜିନିୟର (ଜେଇ) ଏବଂ ଜଣେ ଠିକାଦାର।

ଗିରଫ ଅଭିଯୁକ୍ତମାନେ ହେଲେ ବାଲିଆସରା ଗ୍ରାମ ପଞ୍ଚାୟତର ପୂର୍ବତନ ପିଇଓ ତଥା ବର୍ତ୍ତମାନ ରଙ୍ଗେଇଲୁଣ୍ଡା ବ୍ଲକରେ କାର୍ଯ୍ୟରତ ଜେ. ରମା ରାଓ, କବିସୂର୍ଯ୍ୟନଗର ବ୍ଲକର ଜୁନିୟର ଇଞ୍ଜିନିୟର ତଥା ବାଲିଆସରା ପଞ୍ଚାୟତ ଦାୟିତ୍ୱରେ ଥିବା ସବ୍ୟସାଚୀ ଗାନ୍ତାୟତ ଏବଂ ପୁରୁଷୋତ୍ତମପୁରର ଠିକାଦାର ତଥା ମା' ତାରା ତାରିଣୀ କନଷ୍ଟ୍ରକସନର ମାଲିକ କୃଷ୍ଣ ଚନ୍ଦ୍ର ବେହେରା।

ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ବାଲିଆସରା ଗ୍ରାମ ପଞ୍ଚାୟତର ୫ଟି ଗାଁରେ ଷ୍ଟ୍ରିଟ୍ ଲାଇଟ୍ ସ୍ଥାପନ ଓ ରକ୍ଷଣାବେକ୍ଷଣ ପାଇଁ ସରକାରୀ ଅର୍ଥ ଖର୍ଚ୍ଚ ହୋଇଥିଲା। ଏହି କାମରେ ଅନିୟମିତତା ଓ ସରକାରୀ ପାଣ୍ଠି ହଡ଼ପ ଅଭିଯୋଗ ଆସିବା ପରେ ତଦନ୍ତ ଆରମ୍ଭ କରିଥିଲା ଓଡ଼ିଶା ଭିଜିଲାନ୍ସ।

ତଦନ୍ତ ବେଳେ ଏକ ବଡ଼ ଅନିୟମିତତା ସାମ୍ନାକୁ ଆସିଥିଲା। କାଗଜପତ୍ରରେ ବାଲିଆସରା ପଞ୍ଚାୟତରେ ୧୨୨ଟି ଷ୍ଟ୍ରିଟ୍ ଲାଇଟ୍ ଲଗାଯାଇଥିବା ଦର୍ଶାଯାଇଥିଲା। କିନ୍ତୁ ଭିଜିଲାନ୍ସର କ୍ଷେତ୍ର ଯାଞ୍ଚରୁ ଜଣାପଡ଼ିଥିଲା ଯେ, ଠିକାଦାର କୃଷ୍ଣ ଚନ୍ଦ୍ର ବେହେରା ମାତ୍ର ୨୦ଟି ଲାଇଟ୍ ଲଗାଇଥିଲେ। ବାକି ୧୦୨ଟି ଷ୍ଟ୍ରିଟ୍ ଲାଇଟ୍ ଆଦୌ ଲଗାଯାଇନଥିଲା।

ଭିଜିଲାନ୍ସ ତଦନ୍ତ ଅନୁସାରେ, ୨୦୨୧-୨୨ ଆର୍ଥିକ ବର୍ଷରେ ସେତେବେଳର ପିଇଓ ଜେ. ରମା ରାଓ, ଜୁନିୟର ଇଞ୍ଜିନିୟର ସବ୍ୟସାଚୀ ଗାନ୍ତାୟତ ଏବଂ ପଞ୍ଚାୟତର ପୂର୍ବତନ ସରପଞ୍ଚ ଝୁଲି ସେଠୀ ମିଳିତ ଭାବେ ୧୨୨ଟି ଲାଇଟ୍ ଲାଗିଥିବା ନେଇ ମିଥ୍ୟା ତଥ୍ୟ ଦର୍ଶାଇଥିବା ଅଭିଯୋଗ ହୋଇଛି। ଏହା ଆଧାରରେ ଠିକାଦାର କୃଷ୍ଣ ଚନ୍ଦ୍ର ବେହେରାଙ୍କ ନାଁରେ ୭ ଲକ୍ଷ ୭୫ ହଜାର ୯୩୯ ଟଙ୍କାର ବିଲ୍ ପ୍ରସ୍ତୁତ କରାଯାଇ ପୈଠ କରାଯାଇଥିଲା। ହେଲେ ୧୦୨ଟି ଲାଇଟ୍ ଲଗାଯାଇନଥିବାରୁ ଏହା ବାବଦରେ ୬ ଲକ୍ଷ ୮୩ ହଜାର ୪୬୫ ଟଙ୍କା ହଡ଼ପ ହୋଇଥିବା ତଦନ୍ତରୁ ଜଣାପଡ଼ିଛି।

Also Read: ମୁଖ୍ୟମନ୍ତ୍ରୀଙ୍କ ବଡ ପଦକ୍ଷେପ, ୨୫୦ କୋଟି ଟଙ୍କାରେ ଗଠିତ ହେବ ‘ଓଡିଶା ସାଇବର କମାଣ୍ଡ ସେଣ୍ଟର’

ରକ୍ଷଣାବେକ୍ଷଣ ନାଁରେ ମଧ୍ୟ ହଡ଼ପ

କେବଳ ଲାଇଟ୍ ଲଗାଇବାରେ ନୁହେଁ, ଏହାର ରକ୍ଷଣାବେକ୍ଷଣ ବାବଦରେ ମଧ୍ୟ ଅର୍ଥ ହଡ଼ପ ହୋଇଥିବା ଜଣାପଡ଼ିଛି। ଷ୍ଟ୍ରିଟ୍ ଲାଇଟ୍ ରକ୍ଷଣାବେକ୍ଷଣ ପାଇଁ ଜେ. ରମା ରାଓଙ୍କୁ ୯୭ ହଜାର ୫୦୦ ଟଙ୍କା ଦିଆଯାଇଥିଲା। କିନ୍ତୁ ଯାଞ୍ଚରୁ ୪୧ ହଜାର ୪୯୩ ଟଙ୍କାର ରକ୍ଷଣାବେକ୍ଷଣ କାମ ହୋଇନଥିବା ଜଣାପଡ଼ିଥିଲା। ଏହି ଅର୍ଥକୁ ମଧ୍ୟ ଜେ. ରମା ରାଓ ହଡ଼ପ କରିଥିବା ଭିଜିଲାନ୍ସ ଅଭିଯୋଗ କରିଛି। ଏହିପରି ଷ୍ଟ୍ରିଟ୍ ଲାଇଟ୍ ସ୍ଥାପନ ଓ ରକ୍ଷଣାବେକ୍ଷଣ ନାଁରେ ମୋଟ ୭ ଲକ୍ଷ ୨୪ ହଜାର ୯୫୮ ଟଙ୍କାର ସରକାରୀ ପାଣ୍ଠି ହଡ଼ପ ହୋଇଥିବା ତଦନ୍ତରୁ ସାମ୍ନାକୁ ଆସିଛି।

ଏହି ଘଟଣାରେ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୧୪/୨୦୨୬ ରୁଜୁ କରାଯାଇଛି। ଜେ. ରମା ରାଓ, ସବ୍ୟସାଚୀ ଗାନ୍ତାୟତ, କୃଷ୍ଣ ଚନ୍ଦ୍ର ବେହେରା ଏବଂ ପୂର୍ବତନ ସରପଞ୍ଚ ଝୁଲି ସେଠୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଗିରଫ ତିନି ଅଭିଯୁକ୍ତଙ୍କୁ ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍, ବ୍ରହ୍ମପୁରଙ୍କ ଅଦାଲତରେ ହାଜର କରାଯାଉଛି। ଗ୍ରାମାଞ୍ଚଳର ରାସ୍ତା ଆଲୋକିତ କରିବା ପାଇଁ ଆସିଥିବା ସରକାରୀ ଅର୍ଥରେ ଏଭଳି ଅନିୟମିତତା ଅଭିଯୋଗ ସାଧାରଣରେ ଉଦଗ ସୃଷ୍ଟି କରିଛି।