ସାଲେପୁର: ରାସ୍ତା କଡ଼ରେ କାର୍ ପାର୍କିଂ କରି ଡୋର୍ ଖୋଲିବା ହେଲା କାଳ। କାର୍ ଡୋର୍‌ରେ ପିଟି ହୋଇ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ, ସେହି କାର୍‌ରେ ପିଟି ହୋଇ ଏକ ବାଇକ୍‌ରେ ଯାଉଥିବା ଭାଇଭଉଣୀ ଗୁରୁତର ହୋଇଛନ୍ତି। ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି କଟକ-ଚାନ୍ଦବାଲି ରାସ୍ତାର ସାଲେପୁର ଥାନା ଅନ୍ତର୍ଗତ କଳାଗ୍ନୀ ଛକ ନିକଟରେ।

ମୃତ ସ୍କୁଟି ଚାଳକ ହେଉଛନ୍ତି ନିଶ୍ଚିନ୍ତକୋଇଲି ଥାନା ସରପଡ଼ା ଗ୍ରାମର ଗୋଲଖ ମଲ୍ଲିକଙ୍କ ପୁଅ ଗଗନ ବିହାରୀ ମଲ୍ଲିକ। ଅନ୍ୟପଟେ ଗୁରୁତର ଭାଇଭଉଣୀଙ୍କ ଘର କେନ୍ଦୁପାଟଣା ଅଞ୍ଚଳର ବୋଲି ପ୍ରାଥମିକ ସୂଚନା ମିଳିଛି। ଦୁର୍ଘଟଣା ପରେ କାର୍ ଚାଳକ ସ୍କୁଟି ଚାଳକଙ୍କୁ ଉଦ୍ଧାର କରି ସାଲେପୁର ମେଡିକାଲରେ ଛାଡ଼ି ଦେଇଥିବା ବେଳେ ତାଙ୍କ ମୋବାଇଲ୍ ଫୋନ୍ ନେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି।

Also Read: ୨୦୨୩ ଗଣଦୁଷ୍କର୍ମ ମାମଲାର ରାୟ, ଅର୍ଜୁନଙ୍କୁ ୨୫ ବର୍ଷ ଜେଲ୍ ଦଣ୍ଡ

ସେପଟେ ଗୁରୁତର ଭାଇଭଉଣୀଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ସାଲେପୁର ମେଡିକାଲକୁ ପଠାଇଛନ୍ତି। ଖବର ପାଇ ସାଲେପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଫେରାର କାର୍‌ର ସନ୍ଧାନ ଜାରି ରଖିବା ସହ ମେଡିକାଲରୁ ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛି।