ଭୁବନେଶ୍ୱର: ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ ଓଡ଼ିଶାରେ ୨୦୨୭ ମସିହା ପାଇଁ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ (ଏସଏସଆର) କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିପାଇଁ ୨୦୨୭ ଜାନୁଆରୀ ୦୧ ତାରିଖକୁ ଯୋଗ୍ୟତା ତାରିଖ ଭାବେ ଧାର୍ଯ୍ୟ କରାଯାଇଛି।

ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷଠାରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଆୟୋଜିତ ହୋଇଥିଲା। ବୈଠକରେ ୨୦୨୭ ମସିହା ପାଇଁ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମର ବିଭିନ୍ନ ଦିଗ, ଏହାର କାର୍ଯ୍ୟପନ୍ଥା, ନିର୍ଦ୍ଧାରିତ ସମୟସୀମା ଏବଂ ସଂଶୋଧନ ପ୍ରକ୍ରିୟାକୁ ସୁଚାରୁ, ନିରପେକ୍ଷ ଓ ସ୍ୱଚ୍ଛ ଭାବେ ସମ୍ପନ୍ନ କରିବା ସମ୍ପର୍କରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଆଲୋଚନା କରାଯାଇଥିଲା।

୨୦୨୬ ନଭେମ୍ବର ୦୮ ସୁଦ୍ଧା ଓଡ଼ିଶାରେ ମୋଟ ଭୋଟରଙ୍କ ସଂଖ୍ୟା ୩,୧୯,୧୨,୬୨୩ ରହିଛି। ସେଥିମଧ୍ୟରୁ ପୁରୁଷ ଭୋଟର ୧,୬୨,୫୧,୪୪୩ ଏବଂ ମହିଳା ଭୋଟର ୧,୫୬,୫୮,୪୦୫ ଅଛନ୍ତି। ତୃତୀୟ ଲିଙ୍ଗର ଭୋଟରଙ୍କ ସଂଖ୍ୟା ୨,୭୭୫ ରହିଛି। ରାଜ୍ୟରେ ଯୁବ ଭୋଟରଙ୍କ ସଂଖ୍ୟା ୩,୮୬,୧୮୫ ଏବଂ ଦିବ୍ୟାଙ୍ଗ ଭୋଟରଙ୍କ ସଂଖ୍ୟା ୪,୫୨,୦୭୩ ରହିଛି।

ତେବେ ଏହି ସଂଶୋଧନ କାର୍ଯ୍ୟକ୍ରମରେ ମତଦାନ କେନ୍ଦ୍ରଗୁଡ଼ିକର ଯୁକ୍ତିସଂଗତ ପୁନର୍ଗଠନ ଓ ପୁନର୍ବିନ୍ୟାସ କାର୍ଯ୍ୟ ୨୦୨୬ ନଭେମ୍ବର ୨୦ ସୁଦ୍ଧା ଶେଷ ହେବ। ୨୦୨୬ ନଭେମ୍ବର ୩୦ରେ ସମନ୍ୱିତ ଚିଠା ଭୋଟର ତାଲିକା ପ୍ରକାଶ ପାଇବ। ଏହାପରେ ୨୦୨୬ ନଭେମ୍ବର ୩୦ରୁ ଡିସେମ୍ବର ୩୦ ପର୍ଯ୍ୟନ୍ତ ଭୋଟରମାନେ ନାମ ଯୋଡ଼ିବା, ବାଦ୍ ଦେବା ଓ ସଂଶୋଧନ ସମ୍ପର୍କିତ ଦାବି ଏବଂ ଆପତ୍ତି ଦାଖଲ କରିପାରିବେ। ଦାଖଲ ହୋଇଥିବା ଦାବି ଓ ଆପତ୍ତିଗୁଡ଼ିକର ଫଇସଲା ୨୦୨୭ ଜାନୁଆରୀ ୧୬ ସୁଦ୍ଧା କରାଯିବ। ଶେଷରେ ୨୦୨୭ ଜାନୁଆରୀ ୨୧ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ।

ଭୋଟର ତାଲିକାରେ ନାମ ଅନ୍ତର୍ଭୁକ୍ତ କରିବା ଏବଂ ଅନ୍ୟାନ୍ୟ ସଂଶୋଧନ ପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବିଭିନ୍ନ ଫର୍ମର ବ୍ୟବସ୍ଥା କରାଯାଇଛି। ଫର୍ମ-୬ ମାଧ୍ୟମରେ ଆବେଦନ କରି ଯୋଗ୍ୟ ଭୋଟର ମାନେ ନିଜର ନାମ ଭୋଟର ତାଲିକାରେ ସାମିଲ କରିପାରିବେ। ଫର୍ମ-୬ଏ ରେ ବିଦେଶରେ ରହୁଥିବା ଭାରତୀୟ ଭୋଟରଙ୍କ ନାମ ପଞ୍ଜୀକରଣ କରାଯାଇପାରିବ।

ସେହିପରି ଫର୍ମ-୭ ମାଧ୍ୟମରେ ଭୋଟର ତାଲିକାରେ ପ୍ରସ୍ତାବିତ ନାମ ଅନ୍ତର୍ଭୁକ୍ତି କିମ୍ବା ନାମ ବାଦ୍ ଦେବା ବିରୋଧରେ ଆପତ୍ତି ଦାଖଲ କରାଯାଇପାରିବ ଏବଂ ଫର୍ମ-୮ ମାଧ୍ୟମରେ ବାସସ୍ଥାନ ପରିବର୍ତ୍ତନ, ଭୋଟର ତାଲିକାରେ ଥିବା ତଥ୍ୟର ସଂଶୋଧନ, ନୂତନ ଭୋଟର ପରିଚୟପତ୍ର (EPIC) ପାଇବା ଏବଂ ଦିବ୍ୟାଙ୍ଗ ଭୋଟର ଭାବେ ଚିହ୍ନିତ କରିପାରିବେ।

ଆବେଦନକାରୀମାନେ ଅନଲାଇନ୍‌ରେ ଭୋଟର ସର୍ଭିସ ପୋର୍ଟାଲ (https://voters.eci.gov.in) ମାଧ୍ୟମରେ ଆବେଦନ କରିପାରିବେ। ଏହା ବ୍ୟତୀତ ସମ୍ପୃକ୍ତ ମତଦାନ କେନ୍ଦ୍ରର ବୁଥ୍ ସ୍ତରୀୟ ଅଧିକାରୀଙ୍କ ନିକଟରେ ମଧ୍ୟ ନିର୍ଦ୍ଧାରିତ ଫର୍ମରେ ଆବେଦନ ଦାଖଲ କରିପାରିବେ।

ଏଥିସହିତ ୦୧.୦୪.୨୦୨୭, ୦୧.୦୭.୨୦୨୭ ଏବଂ ୦୧.୧୦.୨୦୨୭ ତାରିଖକୁ ପରବର୍ତ୍ତୀ ଯୋଗ୍ୟତା ତାରିଖ ପାଇଁ ମଧ୍ୟ ଆଗୁଆ ଆବେଦନ ଗ୍ରହଣ କରାଯିବ। ଏହି ଆବେଦନଗୁଡ଼ିକ ସମ୍ପୃକ୍ତ ତ୍ରୈମାସିକରେ ପ୍ରକ୍ରିୟାକରଣ କରାଯିବ।

ସଂଶୋଧନ ପ୍ରକ୍ରିୟାକୁ ସୁଚାରୁ ଓ ସ୍ୱଚ୍ଛ ଭାବେ ସମ୍ପନ୍ନ କରିବା ପାଇଁ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ ସେମାନଙ୍କ ପକ୍ଷରୁ ପ୍ରତ୍ୟେକ ମତଦାନ କେନ୍ଦ୍ର ପାଇଁ ଜଣେ ଲେଖାଏଁ ବୁଥ୍ ସ୍ତରୀୟ ଏଜେଣ୍ଟ ନିଯୁକ୍ତ କରିବାକୁ ସିଇଓଙ୍କ କାର୍ଯ୍ୟାଳୟ ତରଫରୁ ଅନୁରୋଧ କରାଯାଇଛି। ବୁଥ ସ୍ତରୀୟ ଏଜେଣ୍ଟ ମାନେ ସଂଶୋଧନ ପ୍ରକ୍ରିୟା ସମୟରେ ବୁଥ୍ ସ୍ତରୀୟ ଅଧିକାରୀ ଙ୍କ ସହ ସମନ୍ୱୟ ରକ୍ଷା କରିବେ।

ବୁଥ ସ୍ତରୀୟ ଏଜେଣ୍ଟମାନେ ଦୈନିକ ସର୍ବାଧିକ ୧୦ଟି ଏବଂ ଦାବି ଓ ଆପତ୍ତି ଅବଧିରେ ସମୁଦାୟ ୩୦ଟି ଫର୍ମ-୬, ୭ ଓ ୮ ସଂଗ୍ରହ କରି ଦାଖଲ କରିପାରିବେ। ଯଦି କୌଣସି ବିଏଲଏ ସମୁଦାୟ ୩୦ରୁ ଅଧିକ ଆବେଦନ ଦାଖଲ କରନ୍ତି, ତେବେ ନିର୍ବାଚକ ପଞ୍ଜୀକରଣ ଅଧିକାରୀ /ସହକାରୀ ନିର୍ବାଚକ ପଞ୍ଜୀକରଣ ଅଧିକାରୀ ଙ୍କ ପକ୍ଷରୁ ସେଗୁଡ଼ିକର ପୁନଃଯାଞ୍ଚ କରାଯିବ। ଆବେଦନରେ ଦିଆଯାଇଥିବା ତଥ୍ୟଗୁଡ଼ିକୁ ନିଜେ ଯାଞ୍ଚ କରିଥିବା ନେଇ ବିଏଲଏ ମାନେ ଘୋଷଣାନାମା ଦାଖଲ କରିବେ।

ଏଥିସହିତ ମତଦାନ କେନ୍ଦ୍ରଗୁଡ଼ିକର ପୁନର୍ଗଠନ ସମ୍ପର୍କରେ ପ୍ରସ୍ତାବ ଚୂଡ଼ାନ୍ତ ହେବା ପୂର୍ବରୁ ରାଜନୈତିକ ଦଳମାନେ ସେମାନଙ୍କର ପରାମର୍ଶ ଓ ପ୍ରସ୍ତାବ ଦାଖଲ କରିବାକୁ ଅନୁରୋଧ କରାଯାଇଛି।

ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ନିରପେକ୍ଷତା ବଜାୟ ରଖିବା ପାଇଁ ଦାବି ଓ ଆପତ୍ତିର ତାଲିକା ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ୱେବସାଇଟ୍‌ରେ ପ୍ରକାଶ କରାଯିବ। ଏହି ତାଲିକା ପ୍ରକାଶ ଏବଂ ରାଜନୈତିକ ଦଳମାନଙ୍କୁ ଯୋଗାଇ ଦିଆଯିବା ପରେ ଦାବି ଓ ଆପତ୍ତିର ଫଇସଲା ପୂର୍ବରୁ ଅନ୍ୟାନ୍ୟ ଆଇନଗତ ବ୍ୟବସ୍ଥା ଅନୁପାଳନ ସହ ଅତି କମ୍‌ରେ ୭ ଦିନର ସ୍ପଷ୍ଟ ସମୟ ଦିଆଯିବ।

ମୃତ, ସ୍ଥାୟୀ ଭାବେ ସ୍ଥାନାନ୍ତରିତ ଏବଂ ଦ୍ୱିତୀୟ ଥର ପଞ୍ଜୀକୃତ ହୋଇଥିବା ଭୋଟରଙ୍କ ନାମ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ ଉପଯୁକ୍ତ ଯାଞ୍ଚ ପରେ ହିଁ ବାଦ୍ ଦିଆଯିବ।

ଭୋଟର ତାଲିକାରେ ନାମ ସାମିଲ କିମ୍ବା ବଜାୟ ରଖିବା ପାଇଁ ଆଧାର ନମ୍ବର ପ୍ରଦାନ ସ୍ୱେଚ୍ଛାକୃତ। କେବଳ ଆଧାର ନମ୍ବର ଦାଖଲ ନ କରିବା କାରଣରୁ କୌଣସି ଆବେଦନକୁ ଖାରଜ କରାଯିବ ନାହିଁ କିମ୍ବା ଭୋଟର ତାଲିକାରୁ କୌଣସି ନାମ ବାଦ୍ ଦିଆଯିବ ନାହିଁ।

ନିର୍ବାଚକ ପଞ୍ଜୀକରଣ ଅଧିକାରୀଙ୍କ ନିଷ୍ପତ୍ତି ବିରୋଧରେ ଲୋକ ପ୍ରତିନିଧିତ୍ୱ ଆଇନ, ୧୯୫୦ର ଧାରା ୨୪(କ) ଅନୁଯାୟୀ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ପ୍ରଥମ ଅପିଲ୍ ଏବଂ ଧାରା ୨୪(ଖ) ଅନୁଯାୟୀ ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କ ନିକଟରେ ଦ୍ୱିତୀୟ ଅପିଲ୍ କରିବାର ବ୍ୟବସ୍ଥା ରହିଛି।

ଭୋଟର ତାଲିକାରେ ଏପର୍ଯ୍ୟନ୍ତ ନାମ ସାମିଲ ହୋଇନଥିବା ଯୋଗ୍ୟ ନାଗରିକ, ଯୁବ ଓ ପ୍ରଥମ ଥର ଭୋଟଦାତା, ମହିଳା, ତୃତୀୟ ଲିଙ୍ଗ ବ୍ୟକ୍ତି, ଅନୁସୂଚିତ ଜନଜାତି ଓ ବିଶେଷ ଭାବେ ଅନୁନ୍ନତ ଜନଜାତି ସମୁଦାୟ (PVTG), ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ, ପ୍ରବାସୀ ଏବଂ ଅନ୍ୟାନ୍ୟ ଅସୁରକ୍ଷିତ ବର୍ଗର ନାଗରିକମାନଙ୍କୁ ଭୋଟର ତାଲିକାରେ ସାମିଲ କରିବା ପାଇଁ ସ୍ୱତନ୍ତ୍ର ପଞ୍ଜୀକରଣ ଅଭିଯାନ ଓ ଶିବିର ଆୟୋଜନ କରାଯିବ।

ଏଥିସହିତ ଜିଲ୍ଲା ଓ ବିଧାନସଭା ନିର୍ବାଚନମଣ୍ଡଳୀ ସ୍ତରରେ ସହାୟତା କେନ୍ଦ୍ର ସ୍ଥାପନ କରାଯିବ। ପ୍ରତ୍ୟେକ ମତଦାନ କେନ୍ଦ୍ର ପାଇଁ ପ୍ରସ୍ତୁତ ଚିଠା ଓ ଚୂଡ଼ାନ୍ତ ଭୋଟର ତାଲିକାର ଗୋଟିଏ ମୁଦ୍ରିତ ନକଲ ଏବଂ ଗୋଟିଏ ସଫ୍ଟ କପି ପ୍ରତ୍ୟେକ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳକୁ ମାଗଣାରେ ଯୋଗାଇ ଦିଆଯିବ।

ସମସ୍ତ ଯୋଗ୍ୟ ନାଗରିକଙ୍କ ନାମ ଭୋଟର ତାଲିକାରେ ସାମିଲ କରିବା ଏବଂ ଏକ ସଠିକ୍, ସମାବେଶୀ ଓ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତ କରିବା ପାଇଁ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଙ୍କ ସକ୍ରିୟ ସହଯୋଗ ଓ ଅଂଶଗ୍ରହଣ ଅତ୍ୟନ୍ତ ଜରୁରୀ। ଏହି ପ୍ରକ୍ରିୟାରେ ରାଜନୈତିକ ଦଳଗୁଡ଼ିକ ସଚେତନତା ସୃଷ୍ଟି ଓ ଯୋଗ୍ୟ ଭୋଟରଙ୍କ ପଞ୍ଜୀକରଣ ଦିଗରେ ସହଯୋଗ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ କାର୍ଯ୍ୟାଳୟ ପକ୍ଷରୁ ଅନୁରୋଧ କରାଯାଇଛି।