ଥିରୁଅନନ୍ତପୁରମ୍: ସରକାରୀ ନିଯୁକ୍ତି ବ୍ୟବସ୍ଥାର ବିଚିତ୍ର ଚିତ୍ର କେରଳମରେ ଦେଖିବାକୁ ମିଳିଛି । ଚୟନ ହୋଇ ମଧ୍ୟ ଚାକିରି ପାଇବାରୁ ବଞ୍ଚିତ ରହିଲେ । କେରଳମର ଜଣେ ବ୍ୟକ୍ତି ଆବେଦନ କରିବାର ୨୦ ବର୍ଷରୁ ଅଧିକ ସମୟ ପରେ ଏବଂ ରାଙ୍କ ଲିଷ୍ଟର ଅବଧି ଶେଷ ହେବାର ୧୮ ବର୍ଷ ପରେ ରାଜ୍ୟ ପ୍ରଶାସନିକ ସେବାର ନିଯୁକ୍ତି ପତ୍ର ପାଇଛନ୍ତି । ବର୍ତ୍ତମାନ ଚାକିରି ପାଇଁ ନିର୍ଦ୍ଧାରିତ ବୟସ ସୀମା ପାର୍ ହୋଇଯାଇଥିବାରୁ ସେ ଏହି ଚାକିରି କରିପାରିବେ ନାହିଁ । ସୋସିଆଲ ମିଡିଆରେ ଲୋକମାନେ ଏହାକୁ ବ୍ୟବସ୍ଥାର ଚରମ ଅବହେଳା ବୋଲି କହିଛନ୍ତି ।

କେରଳମର ମାଲାପୁରମ୍ ଜିଲ୍ଲାର କାଲିକାଭୁରର ୬୧ ବର୍ଷୀୟ ଅବଦୁଲ ମଜିଦ୍ । ଅବଦୁଲଙ୍କୁ ସେତେବେଳେ ବଡ଼ ଝଟ୍କା ଲାଗିଥିଲା, ଯେତେବେଳେ ସେ ପିଏସସି ପରୀକ୍ଷାର ନିଯୁକ୍ତି ପତ୍ର ପାଇଥିଲେ । କାରଣ ସେ ଚୟନ ହୋଇଥିବା ରାଙ୍କ ଲିଷ୍ଟର ଅବଧି ୧୮ ବର୍ଷ ପୂର୍ବରୁ ହିଁ ଶେଷ ହୋଇଯାଇଥିଲା । ଆବେଦନ କରିବାର କୋଡ଼ିଏ ବର୍ଷରୁ ଅଧିକ ସମୟ ପରେ ତାଙ୍କୁ କେରଳ ପବ୍ଲିକ ସର୍ଭିସ କମିଶନ ପକ୍ଷରୁ ପାର୍ଟ-ଟାଇମ ଜୁନିୟର ଆରବିକ ଶିକ୍ଷକ ପଦବୀ ପାଇଁ ଏକ ଆଡଭାଇସ୍ ମେମୋ ମିଳିଛି ।

ରିପୋର୍ଟ ଅନୁଯାୟୀ, ମଜିଦ୍ ୨୦୦୫ ମସିହାରେ ପିଏସସି ପରୀକ୍ଷା ଦେଇଥିଲେ । ତାଙ୍କ ନାମ ଥିବା ସରକାରୀ ରାଙ୍କ ଲିଷ୍ଟର ଅବଧି ୨୦୦୮ ମସିହାରେ ଶେଷ ହୋଇଯାଇଥିଲା । ଏହି ଚିଠିକୁ ନେଇ ମଜିଦ୍ କହିଛନ୍ତି, ଦିନେ ସରକାରୀ ଚାକିରି ପାଇବା ତାଙ୍କ ଜୀବନର ଏକ ବଡ଼ ଲକ୍ଷ୍ୟ ଥିଲା । ଲିଷ୍ଟରେ ସ୍ଥାନ ପାଇବା ଏବଂ ସରକାରୀ ନିଯୁକ୍ତି ପାଇଁ ବହୁ ବର୍ଷ ଧରି ଅପେକ୍ଷା କରିଥିଲେ ।

ତେବେ, ଦଶନ୍ଧି ଦଶନ୍ଧି ବିତିଗଲା ପରେ ମଧ୍ୟ ବିଭାଗ ପକ୍ଷରୁ କୌଣସି ଅପଡେଟ୍ କିମ୍ବା ଚିଠି ନମିଳିବାରୁ ସେ ସମ୍ପୂର୍ଣ୍ଣ ଆଶା ଛାଡ଼ିଦେଇଥିଲେ । ୬୦ ବର୍ଷ ବୟସ ହେବା ବେଳକୁ ସେ ଏହି ଚାକିରି ପାଇବା କଥା ଭୁଲି ମଧ୍ୟ ଯାଇଥିଲେ । ମାତୃଭୂମି ରିପୋର୍ଟ ଅନୁସାରେ, ମଜିଦ୍ କହିଛନ୍ତି, "ଏହି ପଦବୀଟି ୧୮ ବର୍ଷ ଧରି ଖାଲି ପଡ଼ିଥିଲା । ଏହି ବିଳମ୍ବ ଯୋଗୁଁ ମୁଁ ମୋର ଚାକିରି କରିବାର ସୁଯୋଗ ହରାଇଲି । ବର୍ତ୍ତମାନ ମୋର ବୟସ ସୀମା ଅତିକ୍ରମ ହୋଇଯାଇଥିବାରୁ ଚାକିରି ପାଇବାର କୌଣସି ସମ୍ଭାବନା ନାହିଁ ।"

ଏହି ଖବର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସେୟାର ହେବା ପରେ ୟୁଜର୍ସମାନେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି । ଜଣେ ୟୁଜର ଲେଖିଛନ୍ତି, "ଭାଇ ବୋଧହୁଏ ଭୁଲିଯାଇଥିବେ ଯେ ସେ ଆବେଦନ ବି କରିଥିଲେ... ତା'ପରେ ୨୦ ବର୍ଷ ପରେ: 'ଅଭିନନ୍ଦନ, ଆପଣ ମନୋନୀତ ହୋଇଛନ୍ତି'।"

ଅନ୍ୟ ଜଣେ ୟୁଜର କହିଛନ୍ତି, "କେବେ ବି ଆଶା ହରାନ୍ତୁ ନାହିଁ। ଯେତେବେଳକୁ ଆପଣଙ୍କର ନିଯୁକ୍ତି ପତ୍ର ଆସିବ, ସେତେବେଳକୁ ଆପଣଙ୍କ ପିଲାମାନେ ହୁଏତ ସେହି ପଦବୀ ପାଇଁ ଆବେଦନ କରିବାକୁ ଯୋଗ୍ୟ ହୋଇସାରିଥିବେ ।" ଆଉ ଜଣେ ଲେଖିଛନ୍ତି, "ଭାରତୀୟ ସରକାରୀ ବ୍ୟବସ୍ଥାର ଗତି ଅତୁଳନୀୟ। ଭାଇ ନିଜ ଯୌବନ ଅବସ୍ଥାରେ ଆବେଦନ କରିଥିଲେ ଏବଂ ଠିକ୍ ରିଟାୟରମେଣ୍ଟ ପ୍ଲାନ ସମୟରେ ଚାକିରି ପାଇଗଲେ ।