ଥିରୁଅନନ୍ତପୁରମ୍: କେରଳମର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଏବଂ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ମହମ୍ମଦ ରିୟାସଙ୍କ ବାସଭବନ ସମେତ ବିଭିନ୍ନ ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ର ଚଢ଼ାଉକୁ କେନ୍ଦ୍ର କରି ବଡ଼ ଧରଣର ହଙ୍ଗାମା ଦେଖାଦେଇଛି। ଏହି କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ସିପିଆଇ (ଏମ୍) କର୍ମୀମାନେ ଉତ୍ତ୍ୟକ୍ତ ହୋଇ ଇଡି ଅଧିକାରୀଙ୍କ ଗାଡ଼ି ଉପରକୁ ଇଟା ପଥର ମାଡ଼ କରିବା ସହ ବ୍ୟାପକ ଭଙ୍ଗାରୁଜା କରିଛନ୍ତି।କେରଳମର ତିରୁଅନନ୍ତପୁରମ, କନ୍ନୁର ଏବଂ କୋଝିକୋଡ୍ରେ ଇଡିର ଚଢ଼ାଉ ଚାଲିଥିବା ବେଳେ ସିପିଆଇ(ଏମ୍) କର୍ମୀମାନେ ରାସ୍ତା ଅବରୋଧ କରି ପ୍ରଦର୍ଶନ କରିଥିଲେ।

ତିରୁଅନନ୍ତପୁରମର ବେକରୀ ଜଙ୍କସନସ୍ଥିତ ପିନାରାୟୀ ବିଜୟନଙ୍କ ଘର ସାମ୍ନାରେ ବିରୋଧ ପ୍ରଦର୍ଶନ ତୀବ୍ର ରୂପ ନେଇଥିଲା। ବିକ୍ଷୋଭକାରୀମାନେ ଇଡି ଅଧିକାରୀଙ୍କ ଗାଡ଼ିକୁ ଟାର୍ଗେଟ୍ କରି ଇଟା ଓ ପଥର ମାଡ଼ କରିଥିଲେ, ଯେଉଁଥିରେ ଗାଡ଼ିର କାଚ ଭାଙ୍ଗିଯାଇଛି। ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ଓ ପ୍ରଦର୍ଶନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। କୋଝିକୋଡ୍ରେ ଥିବା ମହମ୍ମଦ ରିୟାସଙ୍କ ଘର ବାହାରେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହୋଇଥିଲା। ପରବର୍ତ୍ତୀ ସମୟରେ ଦଳୀୟ ନେତାମାନଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଏହି ସମଗ୍ର ସର୍ଚ୍ଚ ଅପରେସନ୍ ପ୍ରଦର୍ଶନ ମଧ୍ୟରେ ପ୍ରାୟ ୮ ଘଣ୍ଟା ଧରି ଚାଲିଥିଲା।

କଣ ଏହି CMRL ମାମଲା?

ଏହି ମାମଲାଟି କୋଚିନ୍ ମିନେରାଲ୍ସ ଆଣ୍ଡ ରୁଟାଇଲ୍ ଲିମିଟେଡ୍ (CMRL) ନାମକ ଏକ କମ୍ପାନୀରେ ହୋଇଥିବା ମନି ଲଣ୍ଡରିଂ ସହ ଜଡ଼ିତ।୨୦୧୯ ମସିହାରେ ଆୟକର ବିଭାଗ ଏହି କମ୍ପାନୀ ଉପରେ ଚଢ଼ାଉ କରିବା ପରେ ପ୍ରଥମେ ଏହି ଦୁର୍ନୀତି ସାମ୍ନାକୁ ଆସିଥିଲା, ଯେଉଁଥିରେ ପ୍ରାୟ ₹୧୩୦ କୋଟିର ନକଲି ଖର୍ଚ୍ଚ ଦେଖାଯାଇଥିଥିଲା। ପରେ ଏହି ମାମଲା ସିରିୟସ୍ ଫ୍ରଡ୍ ଇନଭେଷ୍ଟିଗେସନ୍ ଅଫିସ୍ (SFIO) କୁ ହସ୍ତାନ୍ତର କରାଯାଇଥିଲା। SFIO ଦାବି କରିଛି ଯେ, କମ୍ପାନୀ ଗତ ୧୫ ବର୍ଷ ମଧ୍ୟରେ ପ୍ରାୟ ୧୮୨ କୋଟିର ମିଥ୍ୟା ନଗଦ ଖର୍ଚ୍ଚ ଦେଖାଇଛି। ଏହା ସହ କମ୍ପାନୀର ଏମଡି ଏସ.ଏନ. ଶଶିଧରନ କାର୍ତ୍ତା ଏବଂ ତାଙ୍କ ପୁଅ ସାରନ କାର୍ତ୍ତାଙ୍କୁ ୨୦୧୫-୧୬ ରୁ ୨୦୨-୨୩ ମଧ୍ୟରେ ୩୦.୬୩ କୋଟିର ଦରମା ଓ ଅନ୍ୟାନ୍ୟ ଭତ୍ତା ଦିଆଯାଇଛି, ଅଥଚ ସାଧାରଣ ସେୟାରଧାରକଙ୍କୁ କୌଣସି ଲାଭାଂଶ ଦିଆଯାଇ ନାହିଁ।

ଏହି ମାମଲାରେ ସବୁଠାରୁ ବଡ଼ ଲିଙ୍କ୍ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ଝିଅ ବୀଣା ବିଜୟନ । ଇଡିର ଅଭିଯୋଗ ଅନୁଯାୟୀ, ବୀଣା ବିଜୟନଙ୍କ ଆଇଟି ସଂସ୍ଥା 'ଏକ୍ସାଲଜିକ୍ ସଲ୍ୟୁସନ୍ସ ପ୍ରାଇଭେଟ୍ ଲିମିଟେଡ୍' କୁ CMRL କମ୍ପାନୀ ପକ୍ଷରୁ କୌଣସି ପ୍ରକୃତ ସେବା ନଦେଇ କେବଳ ଆଇଟି କନସଲଟେନ୍ସି ନାମରେ ପ୍ରାୟ ୨.୭୮ ଟଙ୍କା କୋଟି ଦିଆଯାଇଥିଲା। ତଦନ୍ତରୁ ଏହା ମଧ୍ୟ ଜଣାପଡ଼ିଛି ଯେ, CMRL ସହ ଜଡ଼ିତ ଅନ୍ୟ ଏକ କମ୍ପାନୀ ବୀଣାଙ୍କ ଏକ୍ସାଲଜିକ୍ ସଂସ୍ଥାକୁ ୫୦ ଲକ୍ଷ ଟଙ୍କାର ଋଣ ମଧ୍ୟ ଦେଇଥିଲା।

ହାଇକୋର୍ଟଙ୍କ ନିର୍ଦ୍ଦେଶ

CMRL କମ୍ପାନୀ ଇଡିର ଏହି ତଦନ୍ତ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରି କେରଳ ହାଇକୋର୍ଟରେ ଏକ ଆବେଦନ କରିଥିଲା। କିନ୍ତୁ ୨୬ ମଇ ୨୦୨୬ ରେ ହାଇକୋର୍ଟ କମ୍ପାନୀର ଆବେଦନକୁ ଖାରଜ କରିଦେବା ସହ ଇଡିର ତଦନ୍ତ ସମ୍ପୂର୍ଣ୍ଣ ଆଇନଗତ ବୋଲି ସ୍ପଷ୍ଟ କରିଥିଲେ। କୋର୍ଟଙ୍କ ସବୁଜ ସଙ୍କେତ ମିଳିବା ପରେ ଇଡି କେରଳର କନ୍ନୁର, ଏର୍ନାକୁଲମ, ତିରୁବନନ୍ତପୁରମ ଏବଂ କର୍ଣ୍ଣାଟକର ବେଙ୍ଗାଲୁରୁ ସମେତ ପ୍ରାୟ ୧୦ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଆରମ୍ଭ କରିଥିଲା। ଯେଉଁ ସମୟରେ ବୀଣା ବିଜୟନଙ୍କ ଘରେ ଚଢ଼ାଉ ଚାଲିଥିଲା, ସେଠାରେ ତାଙ୍କ ପିତା ପିନାରାୟୀ ବିଜୟନ ମଧ୍ୟ ଉପସ୍ଥିତ ଥିଲେ। ଏହି ଚଢ଼ାଉ ସମୟରେ ଇଡି ଅଫିସରମାନେ ବ୍ୟାଙ୍କ ଫିକ୍ସଡ୍ ଡିପୋଜିଟ୍ (FD) ଏବଂ ବିଭିନ୍ନ Investment ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଜବତ କରିଛନ୍ତି, ଯାହାର ବର୍ତ୍ତମାନ ଯାଞ୍ଚ କରାଯାଉଛି।