ନୂଆଦିଲ୍ଲୀ: ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏଣିକି ବଜାରରେ ମିଳୁଥିବା ଶସ୍ତା ଏବଂ ନିମ୍ନମାନର ସ୍କ୍ରିନ୍ ଗାର୍ଡ ବିକ୍ରି ଉପରେ ରୋକ୍ ଲଗାଯିବ । ସରକାର ସମସ୍ତ ପ୍ରକାରର ସ୍ମାର୍ଟଫୋନ୍ ସ୍କ୍ରିନ୍ ପ୍ରୋଟେକ୍ଟର୍ସ ପାଇଁ ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡସ (BIS) ରେଜିଷ୍ଟ୍ରେସନ୍ ବାଧ୍ୟତାମୂଳକ କରିଛନ୍ତି ।

ଜାରି ବିଜ୍ଞପ୍ତି ଅନୁଯାୟୀ, ୨୦୨୭ ଏପ୍ରିଲ ୧ ତାରିଖରୁ ଏହି ନୂଆ ମାନଦଣ୍ଡ ଲାଗୁ କରାଯିବ । ଏହି ସମୟସୀମା ପରେ ବିନା BIS ପ୍ରମାଣପତ୍ରରେ କୌଣସି ବି ସ୍କ୍ରିନ୍ ଗାର୍ଡର ସ୍ଥାନୀୟ ଉତ୍ପାଦନ କିମ୍ବା ଆମଦାନୀ କରାଯାଇପାରିବ ନାହିଁ ।

ଗ୍ରାହକଙ୍କୁ କ’ଣ ହେବ ଫାଇଦା ?

ବଜାରରେ ଉପଲବ୍ଧ ହେଉଥିବା ନକଲି ଏବଂ ସହଜରେ ଭାଙ୍ଗିଯାଉଥିବା କାଚରୁ ଗ୍ରାହକଙ୍କୁ ମୁକ୍ତି ମିଳିବ । କଡ଼ା ନିୟମ ଦ୍ବାରା ଯାଞ୍ଚ କରାଯାଇଥିବା କାଚରେ ମୋବାଇଲ୍ ସ୍କ୍ରିନକୁ ପ୍ରକୃତ ସୁରକ୍ଷା ମିଳିବ । ଶସ୍ତା ଗ୍ଲାସରେ ଆଣ୍ଟି-ଗ୍ଲେୟାର୍ କିମ୍ବା ୟୁଭି କୋଟିଂ ରହୁନଥିବାରୁ ଏହା ଆଖିକୁ କ୍ଷତି ପହଞ୍ଚାଏ । କିନ୍ତୁ BIS ଗାର୍ଡରେ ଏହି ସମସ୍ୟା ରହିବ ନାହିଁ ।

୧୦%ରୁ ୨୦% ହୋଇପାରେ ମହଙ୍ଗା

ନୂଆ ନିୟମ ପରେ କମ୍ପାନୀଗୁଡ଼ିକୁ ସେମାନଙ୍କର ଉତ୍ପାଦ BIS ଲ୍ୟାବରେ ପରୀକ୍ଷା କରାଇବାକୁ ପଡ଼ିବ । ତେବେ ଏଥିପାଇଁ ହେଉଥିବା ଟେଷ୍ଟିଂ ଫି’ ଏବଂ ଗୁଣବତ୍ତା ବୃଦ୍ଧି କାରଣରୁ ଆଗାମୀ ଦିନରେ ସ୍କ୍ରିନ୍ ଗାର୍ଡର ଦାମ୍ ୧୦ ପ୍ରତିଶତରୁ ୨୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିପାରେ। ବିଶେଷ କରି ୫୦ରୁ ୧୦୦ ଟଙ୍କାରେ ମିଳୁଥିବା ଚାଇନିଜ୍ ଗ୍ଲାସ୍ ବଜାର ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ ।

Also Read: ଦରମା ୧୫,୦୦୦ରୁ ଅଧିକ କି ? ସରକାରଙ୍କ ନୂଆ ନିୟମ ଜାଣିନିଅନ୍ତୁ

କେମିତି ଚିହ୍ନିବେ ଅସଲି ସ୍କ୍ରିନ୍ ଗାର୍ଡ?

ନୂଆ ନିୟମ ଲାଗୁ ହେବା ପରେ ଗ୍ରାହକମାନେ ସ୍କ୍ରିନ୍ ଗାର୍ଡ ପ୍ୟାକେଟ୍ ଉପରେ ISI ମାର୍କ ଏବଂ ରଜିଷ୍ଟ୍ରେସନ୍ ନମ୍ବର ଦେଖିବାକୁ ପାଇବେ । ଏହାକୁ ସରକାରଙ୍କ 'BIS CARE' ମୋବାଇଲ୍ ଆପ୍ ଜରିଆରେ ଯାଞ୍ଚ ମଧ୍ୟ କରିପାରିବେ ।

ସେହିଭଳି ନିୟମ ଲାଗୁ ପରେ ଯଦି କୌଣସି ବ୍ୟବସାୟୀ ତଥା ଦୋକାନୀ ବିନା BIS ପ୍ରମାଣପତ୍ରରେ ସ୍କ୍ରିନ୍ ଗାର୍ଡ ବିକ୍ରି କରନ୍ତି, ତେବେ ସେମାନଙ୍କ ଉପରେ ମୋଟା ଅଙ୍କର ଜରିମାନା ସହ ସାମଗ୍ରୀ ଜବତ କରାଯିବାର ବ୍ୟବସ୍ଥା ରହିଛି ।