କେନ୍ଦୁଝର ୩୧।୮: ଭିଜିଲାନ୍ସ ଜାଲରେ କେନ୍ଦୁଝର ଜିଲ୍ଲା ଶ୍ରମ ଅଧିକାରୀ ଆକାଶ ବିଷୋୟୀ । ରବିବାର ସନ୍ଧ୍ୟାରେ ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ରଙ୍ଗେହାତ ଧରାପଡ଼ିଥିଲେ । ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ଆରମ୍ଭ ହୋଇଛି ଜୋରଦାର ତଲାସି ଅଭିଯାନ । ଚଢ଼ାଉ ବେଳେ ତାଙ୍କ କେନ୍ଦୁଝର ସ୍ଥିତ ସରକାରୀ ବାସଭବନରୁ ୭ ଲକ୍ଷ ୨୯ ହଜାରରୁ ଅଧିକ ନଗଦ ଟଙ୍କା ସହ ବିପୁଳ ପରିମାଣର ସୁନା ଗହଣା ଜବତ କରାଯାଇଛି ।

ତେବେ ଜଣେ ଇଲେକ୍ଟ୍ରିକାଲ୍ ଠିକାଦାରଙ୍କ ଏଜେନ୍ସି ପାଇଁ ଶ୍ରମ ଲାଇସେନ୍ସ ପ୍ରଦାନ କରିବା ବାବଦକୁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ କେନ୍ଦୁଝର ଜିଲ୍ଲା ଶ୍ରମ ଅଧିକାରୀ (DLO) ଆକାଶ ବିଷୋୟୀ । ରବିବାର ସନ୍ଧ୍ୟାରେ ଓଡ଼ିଶା ଭିଜିଲାନ୍ସର ଏକ ଟିମ୍ ଚଢ଼ାଉ କରି ତାଙ୍କୁ ଲାଞ୍ଚ ନେଉଥିବା ବେଳେ ରେଡ୍ହ୍ୟାଣ୍ଡେଡ୍ ଧରିଥିଲା ।

Also Read:- ମିଳିଲା ଗୁଇନ୍ଦା ସୂଚନା, ଜଙ୍ଗଲରୁ ଜବତ ହେଲା ବିପୁଳ ମାଓ ସାମଗ୍ରୀ

ଏହି ଗିରଫଦାରୀ ପରେ ଆୟ ବହିର୍ଭୂତ ସମ୍ପତ୍ତି ଠାବ କରିବା ଆଶଙ୍କାରେ ଆକାଶ ବିଷୋୟୀଙ୍କ ଦୁଇଟି ସ୍ଥାନରେ ଏକାସଙ୍ଗେ ତଲାସି ଅଭିଯାନ ଆରମ୍ଭ ହୋଇଥିଲା । ଚଢ଼ାଉ ସମୟରେ କେନ୍ଦୁଝର ସ୍ଥିତ ତାଙ୍କ ସରକାରୀ ବାସଭବନରୁ ନଗଦ ୭ ଲକ୍ଷ ୨୯ ହଜାର ୨୦୦ ଟଙ୍କା ଜବତ କରାଯାଇଛି । ଏହା ବ୍ୟତୀତ ପ୍ରାୟ ୩୦୦ ଗ୍ରାମ୍ର ସୁନା ଗହଣା ମଧ୍ୟ ଭିଜିଲାନ୍ସ ଉଦ୍ଧାର କରିଛି । ତାଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଆକଳନ ଜାରି ରହିଥିବା ବେଳେ ଆଗକୁ ଏନେଇ ଅଧିକ ତଥ୍ୟ ସାମ୍ନାକୁ ଆସିବ ।

Watch Video: