ନୂଆଦିଲ୍ଲୀ: ଅତି ଭୀଷଣ ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’ ବର୍ତ୍ତମାନ ସ୍ଥଳଭାଗ ସହିତ ସଂସ୍ପର୍ଶରେ ଆସୁଛି । ଏହାର ବାହ୍ୟ ସର୍ପିଳ ବଳୟ ସ୍ଥଳଭାଗରେ ପ୍ରବେଶ କରିସାରିଛି । ଏହାର ଅଧିକ ଗତି ଯୋଗୁଁ ସାମୁଦ୍ରିକ ବତ୍ୟା ପୂର୍ବାନୁମାନ ସମୟଠାରୁ ଆଗୁଆ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି । ଏହା ୨୮ ଅକ୍ଟୋବରର ରାତି ୨ଟାରୁ ଭୋର ୪ଟା ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି ।

ଅତି ଭୀଷଣ ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’ ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି । ବର୍ତ୍ତମାନ ଏହା ଆନ୍ଧ୍ରପ୍ରଦେଶର କାକିନାଡ଼ାଠାରୁ ପ୍ରାୟ ୯୦ କିଲୋମିଟର ଦକ୍ଷିଣ-ପୂର୍ବରେ, ବିଶାଖାପାଟଣାଠାରୁ ୧୭୦ କିଲୋମିଟର ଦକ୍ଷିଣ-ଦକ୍ଷିଣପଶ୍ଚିମରେ, ମଚ୍ଛଲିପଟନମଠାରୁ ୧୭୦ କିଲୋମିଟର ପୂର୍ବ-ଉତ୍ତରପୂର୍ବରେ, ବାପଟଲାଠାରୁ ୨୪୦ କିଲୋମିଟର ପୂର୍ବ-ଉତ୍ତରପୂର୍ବରେ ଏବଂ ଓଡ଼ିଶାର ଗୋପାଳପୁରଠାରୁ ୪୧୦ କିଲୋମିଟର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ ।

 

ଆଇଏମଡି ବୁଲେଟିନ୍ ଅନୁସାରେ, ଏହା ଆଗାମୀ କିଛି ଘଣ୍ଟା ପର୍ଯ୍ୟନ୍ତ ପ୍ରାୟ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି ଜାରି ରଖିବାର ସମ୍ଭାବନା ରହିଛି । ଏହାପରେ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ଏବଂ ଅକ୍ଟୋବର ୨୮ ଭୋର ସମୟରେ ବାପଟଲା ଓ ବିଶାଖାପାଟଣା ମଧ୍ୟବର୍ତ୍ତୀ ଅଞ୍ଚଳରେ, ୟାନାମର ଠିକ୍ ଦକ୍ଷିଣ ଦେଇ ଆନ୍ଧ୍ରପ୍ରଦେଶ ଓ ୟାନାମ୍ ଉପକୂଳ ଅତିକ୍ରମ କରିବାର ଆଶଙ୍କା ରହିଛି । ସ୍ଥଳଭାଗ ଛୁଇଁବା ସମୟରେ ଏହା ଏକ ଅତି ଭୀଷଣ ସାମୁଦ୍ରିକ ଝଡ଼ ଭାବେ ରହିବ । ଏହାର ପବନର ବେଗ ଘଣ୍ଟାପ୍ରତି ୧୨୫ରୁ ୧୩୫ କିଲୋମିଟର ରହିବା ସହିତ ଝଟକା ପବନର ବେଗ ଘଣ୍ଟାପ୍ରତି ୧୫୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ ।