ଗିଲଗିଲ: କେନ୍ୟା ନକୁରୁ କାଉଣ୍ଟିସ୍ଥିତ ଗିଲଗିଲର ଉତୁମିସି ଗାର୍ଲସ ଆକାଡେମୀ ଛାତ୍ରାବାସରେ ଅଗ୍ନିକାଣ୍ଡ ଘଟିଛି। ବିଳମ୍ବିତ ରାତ୍ରିରେ ଲାଗିଥିବା ନିଆଁ ଯୋଗୁ ୧୬ ଜଣ ଛାତ୍ରୀ ପୋଡି ହୋଇ ପ୍ରାଣ ହରାଇଥିବା ବେଳେ ୭୯ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଛାତ୍ରବାସରେ ନିଆଁ ଲାଗିବାର କାରଣ ଜଣାପଡି ନାହିଁ। ତେବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଶିକ୍ଷାମନ୍ତ୍ରୀ ଜୁଲିୟସ ଓଗାମ୍ବା ଅଗ୍ନିକାଣ୍ଡ ପୁଷ୍ଟି କରିଛନ୍ତି। ଏହି ସ୍କୁଲରେ ୮୦୦ରୁ ଅଧିକ ଛାତ୍ରୀ ପଢନ୍ତି।

କୁହାଯାଉଛି କେନ୍ୟା ବୋର୍ଡିଂ ସ୍କୁଲମାନଙ୍କ ଛାତ୍ରାବାସରେ ନିଆଁ ଲାଗିବା ଏକ ସାଧାରଣ କଥା। ଏଥିରୁ କିଛି ଅଗ୍ନିକାଣ୍ଡର କାରଣ ଥାଏ ତ ଆଉ କିଛି ବିଦ୍ୟୁତ ସର୍ଟ ସର୍କିଟ ଯୋଗୁ ହୋଇଥାଏ। କେନ୍ୟା ରେଡକ୍ରସ ଅନୁସାରେ ନିଆଁ ଲାଗିବା ସୂଚନା ମିଳିବାମାତ୍ରେ ଜରୁରିକାଳୀନ ସେବା ଓ ଆମ୍ବୁଲାନ୍ସ ଘଟଣାସ୍ଥଳକୁ ପହଞ୍ଚିଥିଲା ଓ ତୁରନ୍ତ ଉଦ୍ଧାର ଅଭିଯାନ ଆରମ୍ଭ କରାଯାଇଥିଲା। ଘଟଣାସ୍ଥଳକୁ ପହଞ୍ଚିଥିବା ପ୍ରଶାସନିକ ଟିମ୍ ନିଆଁ ଲାଗିବାର କାରଣ ଯାଞ୍ଚ କରୁଛନ୍ତି।