କାମାକ୍ଷାନଗର : ଗଜଲକ୍ଷ୍ମୀ ଦର୍ଶନ ହେଲା ଶେଷ ଦର୍ଶନ। ଆଉ ଘରକୁ ଫେରିଲେନି। ଅଜଣା ଗାଡି ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ମୃତକମାନେ ହେଲେ କାମାକ୍ଷାନଗର ଥାନା ପଥରଖମ୍ବ ଗ୍ରାମ ଶାନ୍ତିନଗର ସାହିର ଅଜିତ ନାଏକ ଓ ଅନିଲ ନାଏକ। ସେହି ଗାଁର ସୁମନ୍ତ ନାଏକ ଏହି ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ୫୩ନଂ ଜାତୀୟ ରାଜପଥର ମୁକ୍ତାପଶି ମେଡିକାଲ ଛକରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।

ସୂଚନା ଅନୁଯାୟୀ, ତିନି ଜଣ ଗୋଟିଏ ବାଇକ୍ରେ ଲକ୍ଷ୍ମୀପୂଜା ଦେଖି ବିଳମ୍ବିତ ରାତିରେ ଘରକୁ ଫେରୁଥିଲେ। ଏହି ସମୟରେ ମୁକ୍ତାପଶି ମେଡିକାଲ ଛକ ନିକଟରେ ଏକ ଅଜଣା ଗାଡି ସେମାନଙ୍କୁ ଧକ୍କା ଦେଇ ଗାଡି ଟି ଫେରାର୍ ହୋଇଯାଇଛି। ଦୁର୍ଘଟଣାରେ ଅଜିତ ଓ ଅନିଲଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଗୁରୁତର ସୁମନ୍ତଙ୍କୁ ପ୍ରଥମେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇ ପରେ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ କାମାକ୍ଷାନଗର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

Also Read- ବାତ୍ୟା ଅର୍ଣ୍ଣବ ଭୟ! ଭୂସ୍ଖଳନ ଆଶଙ୍କାରେ ରାସ୍ତାରେ ପୋଲିସର ପହରା