ଭୁବନେଶ୍ୱର ୨୭।୧୦: ମାଡ଼ିଆସୁଛି ବାତ୍ୟା ଅର୍ଣ୍ଣବ । ବାତ୍ୟା ପ୍ରଭାବରେ ପବନ ବହିବ, ବର୍ଷା ବି ହେବ। ହୁଏତ ଉଜୁଡ଼ିଯିବ ଅନେକ କିଛି। ଏହି ବିପଦ ସମୟରେ ଲୋକଙ୍କ ସୁରକ୍ଷା ପାଇଁ ପୁରା ସଜାଗ ରହିଛି ଓଡ଼ିଶା ପୋଲିସ। ସମ୍ଭାବ୍ୟ ବାତ୍ୟାକୁ ନେଇ ପୋଲିସ କମିଶନର ଏକ ବୈଠକ କରିଥିଲେ । ଏହି ବୈଠକ ପରେ ଆକ୍ସନ ମୋଡ୍ରେ ବିଭିନ୍ନ ଥାନା। ଜରୁରୀ ସାମଗ୍ରୀଠାରୁ ଆରମ୍ଭ କରି ପାଟ୍ରୋଲିଂ ଯାଏ, ସବୁ ଦିଗ ଉପରେ ରହିଛି କଡ଼ା ନଜର।

ବାତ୍ୟା ମୁକାବିଲା ପାଇଁ ପୂରା ପ୍ରସ୍ତୁତ ପୋଲିସ। ଥାନାରେ ଥାନାରେ ଚାଲିଛି ପ୍ରସ୍ତୁତି। ଲାଇଟ୍, ଟର୍ଚ୍ଚ, ଦଉଡ଼ି, କଟୁରୀ ଓ କୁରାଢ଼ି ଭଳି ଜରୁରୀ ସାମଗ୍ରୀ ସହ ସଜାଗ ରହିଛନ୍ତି ପୋଲିସ କର୍ମଚାରୀ। ବାତ୍ୟା ସମୟରେ ଯେକୌଣସି ଜରୁରୀ ପରିସ୍ଥିତିର ମୁକାବିଲା କରିବା ସହ ଲୋକଙ୍କୁ ସହାୟତା ଯୋଗାଇଦେବା ଲକ୍ଷ୍ୟରେ ଏହି ପ୍ରସ୍ତୁତି।

Also Read:-ବାତ୍ୟା ଅର୍ଣ୍ଣବ ଭୟ! ଭୂସ୍ଖଳନ ଆଶଙ୍କାରେ ରାସ୍ତାରେ ପୋଲିସର ପହରା

ସିପିଙ୍କ ଭିଡିଓ କନଫରେନ୍ସିଂରେ ବ୍ରିଫିଂ ପରେ ଥାନା ଅଧିକାରୀଙ୍କୁ ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ରହିଛି। ବିଶେଷକରି ସମ୍ବେଦନଶୀଳ ଓ ବିପଦସଙ୍କୁଳ ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବେ ପୋଲିସ କର୍ମଚାରୀ। କେଉଁଠି ଗଛ ଉପୁଡ଼ିଛି କି, ରାସ୍ତା ଅବରୋଧ ହୋଇଛି କିମ୍ବା ଲୋକଙ୍କ ସୁରକ୍ଷା ପ୍ରତି ବିପଦ ରହିଛି କି, ସେସବୁ ଉପରେ ନଜର ରଖିବେ।

କେବଳ ସେତିକି ନୁହେଁ, ପ୍ରତି ଘଣ୍ଟାରେ ସ୍ଥିତି ସମ୍ପର୍କରେ ଥାନା ଅଧିକାରୀଙ୍କୁ ରିପୋର୍ଟ ଦେବାକୁ ମଧ୍ୟ ନିର୍ଦ୍ଦେଶ ରହିଛି। ଅର୍ଥାତ୍ ପ୍ରତିଟି ଘଟଣା ଉପରେ ରହିବ ନଜର, ଜରୁରୀ ସ୍ଥିତିରେ ତୁରନ୍ତ ନିଆଯିବ ପଦକ୍ଷେପ।

Watch Video:-