ଭୁବନେଶ୍ଵର: ସମୁଦ୍ରରେ ଭୀଷଣ ରୂପ ଧରି ସ୍ଥଳଭାଗକୁ ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ଅର୍ଣ୍ଣବ। ଘଣ୍ଟା ପ୍ରତି ୨୦ କିମି ବେଗରେ ଆଗକୁ ବଢୁଥିବା ବାତ୍ୟା ଅର୍ଣ୍ଣବ ଆନ୍ଧ୍ର ପ୍ରଦେଶର  କାକିନାଡ଼ା ପାଖରେ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏହାର ପ୍ରଭାବ ମଧ୍ୟ ଓଡ଼ିଶାରେ ଅନୁଭୂତ ହେଲାଣି। ଦକ୍ଷିଣ ଓଡ଼ିଶାଠୁ ନେଇ ଉପକୂଳ ପର୍ଯ୍ୟନ୍ତ ବର୍ଷା ଆରମ୍ଭ ହେବା ସହ ପବନ ବହିବାରେ ଲାଗିଛି। ତେବେ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ।

ପାଣିପାଗ ବିଭାଗ ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ପାଇଁ ୨ ଜିଲ୍ଲାକୁ ରେଡ୍ ଆଲର୍ଟ, ୯ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଓ ୧୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଅତ୍ୟନ୍ତ ପ୍ରବଳ ବର୍ଷା ସହ ପବନର ବେଗ ରହିବ ୪୦ ରୁ ୫୦ ଓ ଝଟକା ପବନ ୫୦ କିମି ରହିପାରେ । ସେହିପରି କୋରାପୁଟ, ମାଲକାନଗିରିରେ ବର୍ଷା ସହ ପବନର ବେଗ ଅଧିକ ରହିବ ଅର୍ଥାତ ଘଣ୍ଟା ପ୍ରତି ପବନର ବେଗ ୫୦ ରୁ ୬୦ କିମ୍ବା ଝଟକା ପବନ ୭୦ କିମି ରହିବ। ରାୟଗଡ଼ା,କନ୍ଧମାଳ,ନୟାଗଡ଼,ପୁରୀ,ଖୋର୍ଦ୍ଧା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।

Also Read: କାକିନାଡ଼ା ପାଖରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଅର୍ଣ୍ଣବ, ୧୫୦ କିମି ବେଗରେ ବହିପାରେ ପବନ!

ସେହିପରି ଅତି ଭୀଷଣ ବାତ୍ୟା ଘଣ୍ଟା କୁ ୨୦କିମି ବେଗରେ ଆଗକୁ ବଢୁଛି। ବିଶାଖାପାଟନମ ଠାରୁ ୨୨୦ କିମି ଦକ୍ଷିଣ-ଦକ୍ଷିଣପୂର୍ବ, କାକିନାଡ଼ା ଠାରୁ ୨୪୦କିମି  ପୂର୍ବ ଦକ୍ଷିଣପୂର୍ବ ଏବଂ ଗୋପାଳପୁର ଠାରୁ ଦକ୍ଷିଣରେ ୩୭୦କିମି କିମି ଦୂରରେ ରହିଛି ବାତ୍ୟା।  ସ୍ଥଳଭାଗ ଛୁଇଁବା ବେଳକୁ ପବନର ବେଗ ୧୨୫ ରୁ ୧୩୫କିମି ଏବଂ ଝଟକା ପବନ ୧୫୦ କିମି ରହିବାର ସମ୍ଭାବନା ରହିଛି।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ବାତ୍ୟା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ। ଏହାପରେ ଉତ୍ତର-ପଶ୍ଚିମ ଦିଗରେ ଗତି କରି ୨୮ ଅକ୍ଟୋବର ପୂର୍ବାହ୍ନରେ ବାପଟଲା ଓ ବିଶାଖାପାଟଣା ମଧ୍ୟରେ ୟାନମ୍‌ ନିକଟରେ ଆନ୍ଧ୍ରପ୍ରଦେଶ ଓ ୟାନମ୍‌ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି।