ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜନୀତିରେ ମୁଖ୍ୟମନ୍ତ୍ରୀ ଚୌକିକୁ ନେଇ ଟଣାଓଟରା ଖବର କାହାକୁ ଅଛପା ନାହିଁ । ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଇସ୍ତଫା ଦେବା ପରେ ଏବେ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । କିନ୍ତୁ ସେ ମୁଖ୍ୟମନ୍ତ୍ରୀ ହେବା କଥା, ବହୁ ଆଗରୁ ତାଙ୍କର ଜ୍ୟୋତିଷ ଭବିଷ୍ୟବାଣୀ କରିଥିଲେ । ଏନେଇ ଗଣମାଧ୍ୟମ ସାମ୍ନାରେ ଦାବି କରିଛନ୍ତି ଶିବକୁମାରଙ୍କ ଜ୍ୟୋତିଷ ଏବଂ ପରାମର୍ଶଦାତା ବେଲୁର ଦ୍ୱାରକାନାଥ । ଜ୍ୟୋତିଷଙ୍କ କହିବା ଅନୁଯାୟୀ, ଏହି କ୍ଷମତା ଲଢ଼େଇ ସମୟରେ ଶିବକୁମାର ପ୍ରବଳ ମାନସିକ ଚାପ ଓ ଅବସାଦରେ ଥିଲେ । ଅନେକ ସମୟରେ ସେ ନିଜ ଭାବନାକୁ ସମ୍ଭାଳି ନପାରି କାନ୍ଦି ପକାଉଥିଲେ।

ନିକଟରେ ଅନୁଷ୍ଠିତ ଏକ ବ୍ରେକଫାଷ୍ଟ ମିଟିଂରେ ସିଦ୍ଦରମୈୟା ଏବଂ ଡିକେ ଶିବକୁମାରଙ୍କ ମଧ୍ୟରେ ମଧୁର ସମ୍ପର୍କ ଦେଖିବାକୁ ମିଳିଥିଲା। ସେଠାରେ ଶିବକୁମାର, ସିଦ୍ଦରମୈୟାଙ୍କ ପାଦ ସ୍ପର୍ଶ କରି ଆଶୀର୍ବାଦ ନେଇଥିଲେ ଏବଂ ତାଙ୍କୁ ଆଲିଙ୍ଗନ ମଧ୍ୟ କରିଥିଲେ। ତେବେ ଜ୍ୟୋତିଷଙ୍କ ଦାବି ଅନୁସାରେ, ଦୁହିଁଙ୍କ ମଧ୍ୟରେ ଲୋକ ଦେଖାଣିଆ ଭଲ ସଂପର୍କ ରହିଛି । ପ୍ରକୃତରେ ସିଦ୍ଦରମୈୟା ଏବଂ ଶିବକୁମାରଙ୍କ ମଧ୍ୟ ଭଲ ସଂପର୍କ ନାହିଁ । ଡିକେ ଶିବକୁମାର ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ଆଦୌ ଚାହୁଁନାହାନ୍ତି ସିଦ୍ଦରମୈୟା ।

ସିଦ୍ଦରମୈୟା ନିଜେ ସିଧାସଳଖ ଭାବେ କୌଣସି ସମସ୍ୟା ସୃଷ୍ଟି କରିବେ ନାହିଁ, କିନ୍ତୁ ସେ ନିଜର ସମର୍ଥକ ଓ ଅନୁଗାମୀମାନଙ୍କ ଜରିଆରେ ଡିକେଙ୍କ ପାଇଁ ଅସୁବିଧା ସୃଷ୍ଟି କରିବେ ବୋଲି ବେଲୁର ଦ୍ୱାରକାନାଥ କହିଛନ୍ତି। ଶିବକୁମାରଙ୍କ ଜ୍ୟୋତିଷ କର୍ଣ୍ଣାଟକର ପ୍ରଶାସନିକ ସ୍ଥିତିକୁ ନେଇ ମଧ୍ୟ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଗତ ତିନି ବର୍ଷ ମଧ୍ୟରେ ରାଜ୍ୟ ସରକାର କୌଣସି ଉଲ୍ଲେଖନୀୟ ବା ଆଖିଦୃଶିଆ କାମ କରିନାହାନ୍ତି। ବେଙ୍ଗାଲୁରୁ ସହରର ଜନସାଧାରଣ ଅନେକ ଗମ୍ଭୀର ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ମୁଖ୍ୟମନ୍ତ୍ରୀ ଆସନରେ ବସିବା ପରେ ଶିବକୁମାରଙ୍କୁ ଏହି ସବୁ ସ୍ଥିତି ବଦଳାଇବାକୁ ପଡ଼ିବ ଏବଂ ଜନସାଧାରଣଙ୍କ ସମସ୍ୟାର ସମାଧାନ ଦିଗରେ ବିଶେଷ ଧ୍ୟାନ ଦେବାକୁ ହେବ ବୋଲି ସେ କହିଛନ୍ତି। ଏହି ସମସ୍ତ ବିବାଦ ଏବଂ ଆହ୍ୱାନ ସତ୍ତ୍ୱେ, ଜ୍ୟୋତିଷ ବେଲୁର ଦ୍ୱାରକାନାଥ ଡିକେ ଶିବକୁମାରଙ୍କ ଭବିଷ୍ୟତକୁ ନେଇ ଏକ ବଡ଼ ଏବଂ ସକାରାତ୍ମକ ଭବିଷ୍ୟବାଣୀ କରିଛନ୍ତି। ତାଙ୍କ ଗ୍ରହ ନକ୍ଷତ୍ରର ସ୍ଥିତି ଅନୁସାରେ, ଆଗାମୀ ଦିନରେ ଶିବକୁମାର କେବଳ ରାଜ୍ୟ ନୁହେଁ, ବରଂ ଦେଶର ରାଜନୀତିର ସର୍ବୋଚ୍ଚ ଶିଖରରେ ପହଞ୍ଚିବେ। ଅର୍ଥାତ୍ ଜାତୀୟ ସ୍ତରରେ ତାଙ୍କର ଦବଦବା ଏବଂ ପଦପଦବୀ ଆହୁରି ବୃଦ୍ଧି ପାଇବ।