ନୂଆଦିଲ୍ଲୀ, ୦୬/୧୦:ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ମଙ୍ଗଳବାର ରାଜଧାନୀ ଦିଲ୍ଲୀରେ ଗର୍ଜିବେ ୧୯ ବିରୋଧୀ ଦଳ। ଦିଲ୍ଲୀରେ ନିର୍ବାଚନ କମିଶନ(ଇସି)ଙ୍କ ମୁଖ୍ୟାଳୟ ଘେରାଉ କରିବେ । ବିରୋଧୀଙ୍କ‘ଇଣ୍ଡି’ମେଣ୍ଟର ସାଂସଦମାନେ‘ଗଣତନ୍ତ୍ର ବଞ୍ଚାଅ ପଦଯାତ୍ରା ବାହାର କରିବେ। ସଂସଦରୁ ଇସି ମୁଖ୍ୟାଳୟ ପର୍ଯ୍ୟନ୍ତ ପ୍ରାୟ ୩ କିଲୋମିଟର ଚାଲି ଚାଲି ଯିବେ।

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି,ଦଳର ୩ଟି ମୁଖ୍ୟ ଦାବିକୁ ନେଇ କୌଣସି ପ୍ରକାର ସାଲିସ କରାଯିବ ନାହିଁ । ତାହା ହେଉଛି ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା,ଏସଆଇଆର୍ ରଦ୍ଦ ଏବଂ ବାଲଟ୍ ପେପରରେ ନିର୍ବାଚନ। ଦେଶବ୍ୟାପୀ କଂଗ୍ରେସ କାର୍ଯ୍ୟକର୍ତ୍ତା ଏବଂ‘ଇଣ୍ଡି’ମେଣ୍ଟ ସାଥୀମାନେ ଏହି ୩ଟି ପ୍ରସଙ୍ଗକୁ ନେଇ ରାସ୍ତାକୁ ଓହ୍ଲାଇବେ।

ଫର୍ମ-୬ରେ କୌଣସି ସଂଶୋଧନକୁ ସୁପ୍ରିମକୋର୍ଟ ମଞ୍ଜୁରି ଦେଇ ନ ଥିବା ସୋମବାର ସ୍ପଷ୍ଟ କରିବା ପରେ କଂଗ୍ରେସ ଆହୁରି ଆକ୍ରାମକ ହୋଇଛି । ସିଇସିଙ୍କ ବିରୋଧରେ ଚାଲିଥିବା ଆନ୍ଦୋଳନକୁ ଆହୁରି ବ୍ୟାପକ କରିବା ପାଇଁ ବଡ଼ ଘୋଷଣା କରିଛି। ଏହି ପରିପ୍ରେକ୍ଷୀରେ କଂଗ୍ରେସ ଦେଶବ୍ୟାପୀ‘ଭୋଟ ବଞ୍ଚାଅ,ଦେଶ ବଞ୍ଚାଅ'ଅଭିଯାନ ଘୋଷଣା କରିଛି । ଦଳର ସାଧାରଣ ସମ୍ପାଦକ କେସି ବେଣୁଗୋପାଳ କହିଛନ୍ତି,ନିର୍ବାଚନ ବ୍ୟବସ୍ଥାକୁ ଠିକ୍ କରା ନ ଯିବା ପର୍ଯ୍ୟନ୍ତ ଏବଂ ଜ୍ଞାନେଶ କୁମାର ଇସ୍ତଫା ନ ଦେବା ଯାଏ ଆନ୍ଦୋଳନ ଜାରି ରହିବ।

ବେଣୁଗୋପାଳ କହିଛନ୍ତି, ‘ଭୋଟ ବଞ୍ଚାଅ ଦେଶ ବଞ୍ଚାଅ 'ଅଭିଯାନରେ ଅକ୍ଟୋବର ୧୦ ଓ ନଭେମ୍ବର ୨୬ ମଧ୍ଯରେ ଆନ୍ଦୋଳନ ତୀବ୍ରତର ହେବ । ବ୍ଳକ ଏବଂ ଗ୍ରାମପଞ୍ଚାୟତଠାରୁ ରାଜଧାନୀ ଦିଲ୍ଲୀ ପର୍ଯ୍ୟନ୍ତ ପଦଯାତ୍ରା,ରଲି ଆଦି ଜାରି ରହିବ । ଦିଲ୍ଲୀରେ ବିଶାଳ ଜନସମାବେଶ ଆୟୋଜନ ହେବ । ଏଥିଲାଗି ପିସିସି ସଭାପତି,ପ୍ରଭାରୀ ଏବଂ ସାଧାରଣ ସମ୍ପାଦକମାନଙ୍କୁ ଆକ୍ରମକ ଅଭିଯାନ ଚଳାଇବାକୁ କଂଗ୍ରେସ ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଛନ୍ତି।

କଂଗ୍ରେସ ଅଧ୍ୟକ୍ଷ ଖଡଗେଙ୍କ ପକ୍ଷରୁ ସୋମବାର ଅନୁଷ୍ଠିତ ବୈଠକରେ ଦଳର ସାଧାରଣ ସମ୍ପାଦକ,ପ୍ରଭାରୀ,ପିସିସି ସଭାପତି ଏବଂ ଆଗ ଧାଡ଼ିର କାର୍ଯ୍ୟକର୍ରା ସାମିଲ ହୋଇଥିଲେ । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବି ଉପସ୍ଥିତ ଥିଲେ । ଦେଶବ୍ୟାପୀ ଅଭିଯାନ ଚଳାଇବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ବେଣୁଗୋପାଳ ସ୍ପଷ୍ଟ କରିଛନ୍ତି ଯେ ଏହି ଅଭିଯାନ କୌଣସି ସ୍ବଳ୍ପ ମିଆଦୀ ଆନ୍ଦୋଳନ ହେବ ନାହିଁ । ଦିନେ ଦୁଇଦିନରେ ଏହି ଆନ୍ଦୋଳନକୁ ଶେଷ ନ କରିବା ପାଇଁ ରାହୁଲ ଗାନ୍ଧୀ ଆମ ନେତାମାନଙ୍କୁ ସ୍ପଷ୍ଟ ବାର୍ଭା ଦେଇଛନ୍ତି । ସିଇସି ଲୋକଙ୍କୁ ଭୂଆଁ ବୁଲାଉଥିବା ବେଣୁଗୋପାଳ କହିଛନ୍ତି ।