ବେଙ୍ଗାଲୁରୁ: କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନକୁ ନେଇ କୌଣସି ନିଷ୍କର୍ସ ବାହାରି ପାରୁନାହିଁ । ଦୀର୍ଘ ଦିନ ଧରି ଏହି ପ୍ରସଙ୍ଗ ରାଜ୍ୟ ରାଜନୀତିକୁ ସରଗରମ କରିଆସିଛି । ଏହାରି ମଧ୍ୟରେ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ବଡ଼ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆହୁରି ବଢ଼ାଇ ଦେଇଛନ୍ତି । ଖଡ଼ଗେ କହିଛନ୍ତି, ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ନେଇ କୌଣସି ତାରିଖ ଧାର୍ଯ୍ୟ କରାଯାଇ ନାହିଁ। ଏନେଇ ଦଳର ଶୀର୍ଷ ନେତୃତ୍ବ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ସେ ନିଜେ ବିଚାର କରି ନିଷ୍ପତ୍ତି ନେବେ ବୋଲି ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି ।

କର୍ଣ୍ଟାଟକରେ ଏକ ଐତିହାସିକ ସହର କଲବୁର୍ଗୀରେ ସାମ୍ବାଦିକ ସମ୍ମିଳନୀରେ ଖଡ଼ଗେ କହିଛନ୍ତି, ତାରିଖ ଧାର୍ଯ୍ୟ ହୋଇନାହିଁ, ତେଣୁ ମୁଁ କେମିତି କହିବି ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ହେବ କି ନାହିଁ ? ଆମେ ୩ ଜଣ ବସି ନିଷ୍ପତ୍ତି ନେବା ପରେ, ଏନେଇ କହିପାରିବି । ଗଣମାଧ୍ୟମରେ ତାଙ୍କର ମନ୍ତବ୍ୟକୁ ପରିବର୍ତ୍ତନ ନକରିବାକୁ ସେ ଅପିଲ ମଧ୍ୟ କରିଛନ୍ତି ।

ରାଜ୍ୟ ହିତରେ ନିଷ୍ପତ୍ତି ହେବ

ଖଡ଼ଗେ କହିଛନ୍ତି ଯେ, କଂଗ୍ରେସ ଦଳରେ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟା ପରାମର୍ଶ ଆଧାରିତ । ଆମେ ନିଜ ନିଜ ମଧ୍ୟରେ ବିସ୍ତୃତ ଆଲୋଚନା କରୁ, ବରିଷ୍ଠ ନେତାମାନଙ୍କ ସହ ପରାମର୍ଶ କରୁ ଏବଂ ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେଉ। ଦଳର ସଭାପତି ଗୁରୁତ୍ୱାରୋପ କରିଛନ୍ତି ଯେ, ଯାହା ନିଷ୍ପତ୍ତି ନିଆଯିବ ତାହା ରାଜ୍ୟର ସର୍ବୋତ୍ତମ ସ୍ୱାର୍ଥରେ ହେବ ଏବଂ ସମସ୍ତେ ଏହାକୁ ସମର୍ଥନ କରିବା ଉଚିତ।

ରାଜ୍ୟରେ କ୍ଷମତା ପରିବର୍ତ୍ତନ ଚର୍ଚ୍ଚା ଜୋର

କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଏବଂ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ମଧ୍ୟରେ କ୍ଷମତା ପରିବର୍ତ୍ତନ ନେଇ ଚର୍ଚ୍ଚା ଲାଗିରହିଛି । ନଭେମ୍ବର ୨୦୨୫ରେ କଂଗ୍ରେସ ସରକାରର ଅଢ଼େଇ ବର୍ଷ ପୂରଣ ହୋଇଥିଲା ଏବଂ ପୂର୍ବ ଯୋଜନା ମୁତାବକ ଡିକେ ଶିବକୁମାର ମୁଖ୍ୟମନ୍ତ୍ରୀ ହେବାର ଥିଲା । କିନ୍ତୁ ସିଦ୍ଦରମୈୟା ଦାବି କରିଥିଲେ, ସେ ସଂପୂର୍ଣ୍ଣ ୫ ବର୍ଷ କାର୍ଯ୍ୟକାଳ ପୂରଣ କରିବେ । ଏହା ସହ ଦଳୀୟ ନେତୃତ୍ବ ନିଷ୍ପତ୍ତିକୁ ଗ୍ରହଣ କରିବେ ବୋଲି କହିଥିଲେ ସିଏମ ସିଦ୍ଦରମୈୟା । ସେପଟେ ଶିବକୁମାରଙ୍କ ସମର୍ଥକ ସିଦ୍ଦରମୈୟାଙ୍କ ନିଷ୍ପତ୍ତିକୁ ନେଇ ଅସନ୍ତୁଷ୍ଟ ଅଛନ୍ତି ।