ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜନୀତିକୁ ନେଇ ଚର୍ଚ୍ଚା ଲାଗି ରହିଛି । ପାଓ୍ବାର ପରିବର୍ତ୍ତନକୁ ନେଇ କଂଗ୍ରେସ ଦଳ ଭିତରେ ତୁତୁ ମେଁମେଁ ଚାଲିଛି । ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଭ୍ୟନ୍ତରୀଣ କନ୍ଦଳ ଚାଲିଛି। କର୍ଣ୍ଣାଟକରେ କଂଗ୍ରେସ ସରକାର ଗଠନ ହେବା ପରେ ସିଦ୍ଦରମୈୟା ଅଢ଼େଇ ବର୍ଷ ପାଇଁ କ୍ଷମତାରେ ରହିବେ ଏବଂ ତାଙ୍କ ପରେ ବାକି ଅଢ଼େଇ ବର୍ଷ ଡିକେ ଶିବକୁମାର କ୍ଷମତାରେ ରହିବେ ବୋଲି ଦଳରେ ଆଲୋଚନା ହୋଇଥିଲା । କିନ୍ତୁ ଏନେଇ ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଇ ନଥିଲା । ଏବେ ଡିକେ ଶିବକୁମାର ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ତାଙ୍କର ସମର୍ଥକମାନେ ଦାବି କରୁଛନ୍ତି । ସିଦ୍ଦରମୈୟା ଅଢ଼େଇ ବର୍ଷର କାର୍ଯ୍ୟକାଳ ପୂରଣ ହୋଇସାରିଛି। ଏବେ ମୁଖ୍ୟମନ୍ତ୍ରୀ ଚୌକିରେ କିଏ ବିସିବେ ତାକୁ ନେଇ ଟଣା ଓଟରା ଜାରି ରହିଛି । ତେବେ ଏହି ପ୍ରସଙ୍ଗକୁ ନେଇ ଶିବକୁମାର ଇସାରା ଇସାରାରେ ଅନେକ କଥା କହିଛନ୍ତି ।

କିଛି ଦିନ ପୂର୍ବରୁ, ଶିବକୁମାରଙ୍କ ଗୋଷ୍ଠୀର ଅନେକ ବିଧାୟକ ଦିଲ୍ଲୀରେ ହାଇକମାଣ୍ଡଙ୍କୁ ଭେଟିଥିଲେ। ଏହି ବୈଠକ ସମୟରେ, ସେମାନଙ୍କୁ ଗଣମାଧ୍ୟମକୁ କୌଣସି ମନ୍ତବ୍ୟ ଦେବାକୁ ବାରଣ କରାଯାଇଥିଲା। ଏହା ପରେ, କଂଗ୍ରେସ ନେତା ସୁରଜେୱାଲା କହିଥିଲେ ଯେ, ଦଳ ଭିତରେ କନ୍ଦଳ ନାହିଁ ଏବଂ ସବୁକିଛି ଠିକ୍ ଚାଲିଛି। ସେତେବେଳେ ଡିକେ ଶିବକୁମାର ମଧ୍ୟ ନୀରବ ଥିଲେ । କିନ୍ତୁ ସେ ଏବେ ତାଙ୍କର ନୀରବତା ଭାଙ୍ଗିଛନ୍ତି।

ଆଭ୍ୟନ୍ତରୀଣ ଦ୍ୱନ୍ଦ୍ୱ ମଧ୍ୟରେ, ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ସ୍ପଷ୍ଟ ଭାବରେ କହିଛନ୍ତି ଯେ, ସେ ଖୁବ୍ ଶୀଘ୍ର ଦିଲ୍ଲୀ ଯାତ୍ରା କରିବେ ଏବଂ ଦଳର ନିର୍ଦ୍ଦେଶ ପାଳନ କରିବେ। କଂଗ୍ରେସ ଦଳକୁ ମନ୍ଦିର ବୋଲି କହିଛନ୍ତି ଶିବକୁମାର । ଦଳର ଏକ ଲମ୍ବା ଇତିହାସ ଅଛି ଏବଂ ଦିଲ୍ଲୀ ସର୍ବଦା ମାର୍ଗଦର୍ଶନ ଦେଇଆସିଛି। ଯେତେବେଳେ ହାଇକମାଣ୍ଡ ଡାକିବେ, ସେ ଏବଂ ମୁଖ୍ୟମନ୍ତ୍ରୀ ଉଭୟ ସେଠାରେ ରହିବେ ବୋଲି ସେ କହିଛନ୍ତି। ଶିବକୁମାର ସମ୍ପ୍ରଦାୟିକ ରାଜନୀତିରୁ ନିଜକୁ ଦୂରେଇ ରଖି କହିଛନ୍ତି ଯେ, ସେ ସମାଜର ସମସ୍ତ ବର୍ଗ ପାଇଁ କାମ କରନ୍ତି। କୌଣସି ପଦବୀ ଖୋଜନ୍ତି ନାହିଁ, କିନ୍ତୁ ଦଳ ଯାହା ନିଷ୍ପତ୍ତି ନେବ ତାହା ଗ୍ରହଣୀୟ ହେବ। ସେ ଏହା ମଧ୍ୟ କହିଛନ୍ତି ଯେ, ତାଙ୍କର ବିଶ୍ୱସ୍ତତା କଂଗ୍ରେସ ଦଳ ସହିତ ଦୃଢ଼ ଭାବରେ ରହିଛି ଏବଂ ସେ ସଂଗଠନର ଏକତା ବଜାୟ ରଖିବା ପାଇଁ ପ୍ରତିବଦ୍ଧ। ଉଲ୍ଲେଖନୀୟ ଯେ, ସିଦ୍ଦରମୈୟା ୫ ବର୍ଷ କାର୍ଯ୍ୟକାଳ ପୂରଣ କରନ୍ତୁ ବୋଲି କହି ନାହାଁନ୍ତି ଶିବକୁମାର ।