ନୂଆଦିଲ୍ଲୀ: ପଞ୍ଜାବରୁ ନ୍ୟୁ ଜଲପାଇଗୁଡ଼ି ଯାଉଥିବା କର୍ମଭୂମି ଏକ୍ସପ୍ରେସରେ ଶୁକ୍ରବାର ଅପରାହ୍ଣରେ ନିଆଁ ଲାଗିଛି । ପଞ୍ଜାବର ପଟିଆଲା ନିକଟରେ ଏହି ଅଗ୍ନିକାଣ୍ଡ ଘଟିଛି । ଟ୍ରେନର ଚାରିଟି ବଗିରେ ନିଆଁ ଲାଗିଥିବା ଜଣାପଡ଼ିଛି । ନିଆଁ ଲାଗିବା ପରେ ଚାରିଆଡ଼େ ଧୂଆଁ ଉଠୁଥିବା ଦେଖିବାକୁ ମିଳିଛି । ପ୍ରଥମିକ ସୂଚନା ଅନୁସାରେ, ଟ୍ରେନ୍ ଚଳନ୍ତା ଅବସ୍ଥାରେ ଥିବା ସମୟରେ ହଠାତ୍ ଭୀଷଣ ନିଆଁ ଲାଗିଯାଇଥିଲା । ପଟିଆଲା ନିକଟ ରାଜପୁରା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ତେବେ ଆଶ୍ୱସ୍ତି କଥା ହେଉଛି, ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ସୂଚନା ରହିଛି ।

 

ରିପୋର୍ଟ ଅନୁଯାୟୀ ଦୁର୍ଘଟଣା ଘଟିବା ସମୟରେ ଟ୍ରେନଟି ଅମୃତସରରୁ ନ୍ୟୁ ଜଲପାଇଗୁଡ଼ି ଅଭିମୁଖେ ଯାତ୍ରା କରୁଥିଲା । ପ୍ରାରମ୍ଭିକ ଭାବରେ ଟ୍ରେନର ପ୍ୟାଣ୍ଟ୍ରିରୁ ନିଆଁ ଲାଗିଥିବା କୁହାଯାଉଛି । ଅଗ୍ନିକାଣ୍ଡ ଯୋଗୁଁ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ରିପୋର୍ଟ ଅନୁଯାୟୀ, ଇଞ୍ଜିନରୁ ପଞ୍ଚମ କୋଚକୁ ନିଆଁ ବ୍ୟାପିଥିଲା । ନିଆଁ ଲାଗିବା ଖବର ପାଇବା ପରେ ଟ୍ରେନକୁ ଅଟକାଇ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବରେ ବାହାର କରାଯାଇଛି ଏବଂ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ପ୍ରୟାସ ଜାରି ରହିଛି ।

 

ଅମର ଉଜାଲା ରିପୋର୍ଟ ଅନୁସାରେ ଉତ୍ତର ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ହିମାଂଶୁ ଶେଖର ଉପାଧ୍ୟାୟ କହିଛନ୍ତି ଯେ ଅମ୍ବାଲା ଡିଭିଜନର ସରାଇ ବଞ୍ଜାରା ଷ୍ଟେସନ ନିକଟରେ ଅମୃତସରରୁ ନ୍ୟୁ ଜଲପାଇଗୁଡ଼ି ଯାଉଥିବା ୧୨୫୦୮ କର୍ମଭୂମି ଏକ୍ସପ୍ରେସର ଚାରୋଟି କୋଚରେ ଅଗ୍ନିକାଣ୍ଡ ଘଟିଥିବାର ସୂଚନା ମିଳିଛି । ସମସ୍ତ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଏହି ଘଟଣାରେ କୌଣସି ଆହତ, ଅନ୍ୟାନ୍ୟ କ୍ଷୟକ୍ଷତି କିମ୍ବା ଜୀବନହାନିର ରିପୋର୍ଟ ନାହିଁ ।