ନୂଆଦିଲ୍ଲୀ ୦୪।୦୯; ଅଲଟ୍ରାସାଉଣ୍ଡ ରିପୋର୍ଟରେ ଥିଲା ମହିଳା ଗର୍ଭବତୀ ଅଛନ୍ତି । ପ୍ରସବ ପାଇଁ ହସ୍ପିଟାଲରେ ଅପରେସନ୍ ମଧ୍ୟ ହେଲା । ହେଲେ ଅପରେସନ୍ ପରେ ଡାକ୍ତରଙ୍କୁ ମିଳିଲାନି ଶିଶୁ । ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ପାକିସ୍ତାନର କରାଚିରୁ ସାମ୍ନାକୁ ଆସିଛି । ଘଟଣା ପରେ ହସ୍ପିଟାଲରେ ହଙ୍ଗାମା ସହ ପରିବାର ଲୋକେ ଶିଶୁ ଗାଏବ ହୋଇଥିବା ଅଭିଯୋଗ କରିଥିଲେ ।

ଅଗଷ୍ଟ ୨୭ ତାରିଖରେ ଜଣେ ମହିଳା ପ୍ରସବ ଯନ୍ତ୍ରଣା ହେଉଥିବା କହି କରାଚିର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପରିବାର ଲୋକେ ତାଙ୍କର ମେଡିକାଲ୍ ରିପୋର୍ଟ ମଧ୍ୟ ଡାକ୍ତରଙ୍କୁ ଦେଇଥିଲେ । ରିପୋର୍ଟ ଅନୁସାରେ ମହିଳା ଜଣକ ୩୮ ସପ୍ତାହର ଗର୍ଭବତୀ ଥିଲେ । ଏହାପରେ ଡାକ୍ତରମାନେ ମହିଳାଙ୍କୁ ଅପରେସନ୍ ପାଇଁ ନେଇଥିଲେ । କିନ୍ତୁ ଅପରେସନ୍ ପରେ ପରିବାରକୁ ସୂଚନା ଦିଆଗଲା ଯେ, ଗର୍ଭରେ କୌଣସି ଶିଶୁ ନାହିଁ । ଏହା ଶୁଣି ପରିବାର ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତାପରେ ଶିଶୁ କୁଆଡେ ଗଲା ? ଏହାକୁ ନେଇ ହସ୍ପିଟାଲରେ ବିବାଦ ଦେଖାଦେଇଥିଲା ଏହା ପରେ ଡାକ୍ତର କର୍ମଚାରୀ ପୋଲିସକୁ ସୂଚନା ଦେଇଥିଲା ।

ପୋଲିସର ତଦନ୍ତ ପରେ ଜଣାପଡ଼ିଥିଲା ଯେ, ଶିଶୁ ଗାଏବ ହୋଇନଥିଲା ବରଂ ମହିଳା ଜଣକ ନିଜ ପରିବାରକୁ ଗର୍ଭବତୀ ଥିବା ନେଇ ମିଛ କହିଥିଲେ । ମହିଳାଙ୍କ ବିବାହକୁ ପ୍ରାୟ ୩ ବର୍ଷ ହୋଇଥିବା ବେଳେ ପରିବାର ପକ୍ଷରୁ ସନ୍ତାନ ପାଇଁ ଚାପ ରହିଥିଲା । ଏହି ଚାପ ଯୋଗୁଁ ସେ ନିଜକୁ ଗର୍ଭବତୀ ବୋଲି ପରିବାରକୁ କହିଥିଲେ ଏବଂ ଏକ ମିଛ ଅଲଟ୍ରାସାଉଣ୍ଡ ରିପୋର୍ଟ ପ୍ରସ୍ତୁତ କରାଇଥିବା ନେଇ ତଦନ୍ତରୁ ଜଣାପଡ଼ିଛି ।